ଏକା ଗୋପାଳ ନା ନବଙ୍କୁ ଆଉ କିଏ ମାରିଥିଲା ଗୁଳି ? ରାଜ୍ୟ ଫରେନସିକ୍ ଲ୍ୟାବ୍ ରିପୋର୍ଟରେ ସାଂଘାତିକ ତଥ୍ୟ

Key Points
ରାଜ୍ୟ ଫରେନସିକ୍ ଲ୍ୟାବ୍ ରିପୋର୍ଟରେ ସାଂଘାତିକ ତଥ୍ୟ
ନବଙ୍କ ଗାଡ଼ି ଉପରକୁ ୩ଟି ଗୁଳିମାଡ଼
ପଛରୁ ଆସୁଥିବା ସରକାରୀ ଗାଡ଼ି ଉପରକୁ ବି ୫ଟି ଗୁଳିମାଡ଼
ହତ୍ୟା ଲାଗି ନିଯୁକ୍ତ ହୋଇଥିଲେ କି ସ୍ନାଇପର ?
ଭୁବନେଶ୍ଵର: କାହା ଗୁଳିରେ ହୋଇଥିଲା ନବ ଦାସଙ୍କ ମୃତ୍ୟୁ । ନବଙ୍କୁ ଏକାଧିକ ବନ୍ଧୁକରୁ ଗୁଳିମାଡ଼ ହୋଇଥିବା ନେଇ ରାଜ୍ୟ ଫରେନସିକ୍ ଲ୍ୟାବର ଫିଲ୍ଡ ରିପୋର୍ଟରେ ଦର୍ଶାଯାଇଛି । ରିପୋର୍ଟ ଅନୁସାରେ, ନବ ଦାସଙ୍କ ହତ୍ୟା ଦିନ ତାଙ୍କ ଗାଡ଼ି ଉପରକୁ ୩ଟି ଏବଂ ପଛରୁ ଆସୁଥିବା ସରକାରୀ ଗାଡ଼ି ଉପରକୁ ବି ୫ଟି ଗୁଳିମାଡ଼ ହୋଇଥିଲା । ତେଣୁ ସ୍ଵାଭାବିକ ଭାବେ ଏଏସ୍ଆଇ ଗୋପାଳ ଦାସଙ୍କ ବ୍ୟତୀତ ଏହି ଗୁଳିକାଣ୍ଡରେ ଆଉ କିଏ ସମ୍ପୃକ୍ତ ତାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ସେ ଦିନ କେବଳ ଗୋପାଳ ଦାସଙ୍କ ବନ୍ଧୁକରୁ ନୁହେଁ ବରଂ ଏକାଧିକ ବନ୍ଧୁକରୁ ଗୁଳିମାଡ଼ ହୋଇଥିବା ରିପୋର୍ଟ ସ୍ପଷ୍ଟ କରୁଛି । ରିପୋର୍ଟ ସାମ୍ନାକୁ ଆସିବା ପରେ ଏବେ ମାମଲାରେ ନୂଆ ମୋଡ଼ ନେଇଛି । ନବ ଦାସଙ୍କୁ ହତ୍ୟା ଲାଗି ନିଯୁକ୍ତ ହୋଇଥିଲେ କି ସ୍ନାଇପର । ସ୍ନାଇପର ନିଯୁକ୍ତ ହୋଇଥିବା ନେଇ ଅଭିଯୁକ୍ତ ଗୋପାଳଙ୍କ ଓକିଲ ନରେଶ ନାୟକ ଲଗାତାର ଭାବେ ଆଶଙ୍କା ମଧ୍ୟ କରି ଆସୁଛନ୍ତି ।
କ୍ରାଇମବ୍ରାଞ୍ଚ ପକ୍ଷରୁ ଦାଖଲ ଚାର୍ଜସିଟ୍ ଓ ଏସଏଫଏସଏଲର ରିପୋର୍ଟ ଅନୁସାରେ ୨୦୨୩ ଜାନୁଆରୀ ୨୯ ତାରିଖରେ ନବ ଦାସଙ୍କର ୨ଟି ଗାଡ଼ି ବ୍ରଜରାଜନଗର ଗାନ୍ଧୀ ଛକକୁ ଯାଇଥିଲା । ପ୍ରଥମ ଗାଡ଼ିରେ ନବ ଦାସ ବସିଥିବା ବେଳେ ଦ୍ଵିତୀୟ ଗାଡ଼ିରେ ତାଙ୍କର ସହଯୋଗୀ ବସିଥିଲେ । କ୍ରାଇମବ୍ରାଞ୍ଚ ପକ୍ଷରୁ ଦାଖଲ ହୋଇଥିବା ଫାଇନାଲ ଫର୍ମରେ ଗୋପାଳ ପାଖରୁ ୧୮ଟି ଗୁଳିଥିବା ଗୋଟିଏ ମ୍ୟାଗାଜିନ୍, ୩ଟି ଅଫୁଟା ଗୁଳି ଜବତ କରାଯାଇଥିବା ନେଇ ଦର୍ଶାଯାଇଥିଲା ।
📱 Get Argus News App
✨ଘଟଣାସ୍ଥଳରୁ ଗୋଟିଏ ଖୋକା ଓ ଅନ୍ୟ ଏକ ଅକାମୀ ଗୁଳି ବି ଜବତ କରାଯାଇଥିଲା ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି । ଗୋଟିଏ ଗୁଳି ସେ ବ୍ଲାଙ୍କ ଫାୟାରିଂ ମଧ୍ୟ କରିଥିଲେ । କିନ୍ତୁ ଷ୍ଟେଟ୍ ଫରେନସିକ୍ ଲ୍ୟାବର ରିପୋର୍ଟ କହୁଛି, ଭେଇକିଲ୍ ୨ ଅର୍ଥାତ୍ ପଛରେ ଥିବା ଗାଡ଼ିରେ ବି ପାଞ୍ଚଟି ଗୁଳି ବାଜିଥିବାର କଣା ରହିଛି । ଏଭଳି ସ୍ଥିତିରେ ନବ ଦାସଙ୍କୁ କେଉଁ ବନ୍ଧୁକରୁ ଗୁଳି ବାଜିଛି ତାହା ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି ।
ପଛ ଗାଡ଼ିଟି ସରକାରୀ ଥିବା ବେଳେ ସେହି ଗାଡ଼ିରେ ନବ ଦାସ ଥିବା ଅନୁମାନ କରି ଗୁଳି ବର୍ଷା କରାଯାଇଥିଲା କି ? କେତୋଟି ବନ୍ଧୁକ ପ୍ରକୃତରେ ବ୍ୟବହାର କରାଯାଇଥିଲା ସେ ଦିନ ? ଘଟଣାସ୍ଥଳରେ ଏତେ ଗୁଳିମାଡ଼ ହେବା ପରେ କେହି କେମିତି କିଛି ଜାଣିପାରି ନ ଥିଲେ ଆଦି ଅନେକ ପ୍ରଶ୍ନ ଏବେ ବି ଅସମାହିତ ।
ସେପଟେ ଘଟଣା ସମୟରେ ନବ ଦାସଙ୍କୁ ଆହତ ଅବସ୍ଥାରେ ଉଠାଇ କାର୍ ଭିତରକୁ ନେଇଥିବା ଦ୍ଵାରିକାନାଥ ପଣ୍ଡା ଓ ଶୁଭେନ୍ଦୁ ପଟ୍ଟନାୟକଙ୍କ ପୋଷାକ, ନବ ଦାସଙ୍କ ବେକରେ ପଡ଼ିଥିବା ଫୁଲ ମାଳ, ତାଙ୍କ ଚପଲକୁ କ୍ରାଇମ୍ବ୍ରାଞ୍ଚ ଜବତ କରିଥିଲା ବେଳେ ଘଟଣା ସମୟରେ ନବ ଦାସ ପିନ୍ଧିଥିବା ସାର୍ଟ, ବସିଥିବା କାର୍ ସିଟ୍ର ରକ୍ତଭିଜା ଟର୍କିସ୍ ସିଜର୍ ଲିଷ୍ଟରେ ନଥିଲା ।
ନବ ଦାସଙ୍କ ହତ୍ୟାରେ ଏକାଧିକ ବନ୍ଧୁକ ବ୍ୟବହାର ହୋଇଥିବା ତଥ୍ୟ ପଦାକୁ ଆସିବା ପରେ ଚାଞ୍ଚଲ୍ୟକର ସ୍ଥିତି ସୃଷ୍ଟି ହୋଇଛି । ଗୋପାଳଙ୍କ ସହ ଆଉ କେଉଁମାନେ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ? ହତ୍ୟା ପାଇଁ କିଏ ସୁପାରି ଦେଇଥିଲା ? ଏଭଳି ଅନେକ ପ୍ରଶ୍ନ ଉଠିଛି ।