Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

SI Scam / ପଟିଆରେ କରିଥିଲା ମେନ୍‌ ଅଫିସ, ସେଇଠୁ କରୁଥିଲା ଅପରେଟ !

Satyendu Sekhar Mishra
Browse all articles by Satyendu Sekhar Mishra
·8 months ago·3 min read
ପଟିଆରେ କରିଥିଲା ମେନ୍‌ ଅଫିସ, ସେଇଠୁ କରୁଥିଲା ଅପରେଟ !

Key Points

ମୁନା ମହାନ୍ତି, ଶ୍ରୀକାନ୍ତ ମହରାଣା, ଅରବିନ୍ଦ ଦାସ ସହଯୋଗୀ ଥିଲେ ।
ଟି. ଅଭିମନ୍ୟୁ ଦୋରା ଓ ପ୍ରିୟଦର୍ଶିନୀ ସାମଲ ମଧ୍ୟ ଶଙ୍କରଙ୍କ ସହଯୋଗୀ ଥିଲେ ।

ଶଙ୍କର ପୃଷ୍ଟି । ଏହି ନାଁ ଏବେ ଓଡ଼ିଶାର ପ୍ରତ୍ୟେକ ଗଣମାଧ୍ୟମର ହେଡ୍‌ଲାଇନ୍‌ରେ ରହିଛି । ରବିବାର ସକାଳୁ ଏହି ନାଁ ଟଭିରୁ ଆରମ୍ଭ କରି ସବୁ ଡିଜିଟାଲ ଫର୍ମାଟରେ କେବଳ ଶଙ୍କର ପୃଷ୍ଟିର ନାଁ । SI ପରୀକ୍ଷା କେଳେଙ୍କାରୀର ମୁଖ୍ୟ କାର୍ପଟଦାର ହେଉଛି ଶଙ୍କର ପୃଷ୍ଟି । ଯେଉଁଥିପାଇଁ ତାକୁ କ୍ରାଇମବ୍ରାଞ୍ଚ ପୋଲିସ ଗିରଫ କରିଛି । ଗତ ମାସେ ହେବ ସେ ଫାରାର ଥିଲା । ଏବେ କ୍ରାଇମବ୍ରାଞ୍ଚର ୪ ଜଣିଆ ଟିମ୍‌ ତାକୁ ନେପାଳ ସୀମାରେ ଥିବା ଉତ୍ତରାଖଣ୍ଡରୁ ଗିରଫ କରିଛି । ଆଉ ତା' ନାଁରେ ଲାଗିଛି ସଂଗୀନ ଦଫା ।

319(2), 318(4), 338/336(3) ଦଫାରେ ଶଙ୍କର ନାଁରେ ମାମଲା ରୁଜୁ ହୋଇଛି । 340(2), 111/61(2), 3(5) ଦଫା ବି ଲାଗିଛି । ଗିରଫଦାରି ନେଇ ପ୍ରେସ୍‌ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦେଇଛି କ୍ରାଇମବ୍ରାଞ୍ଚ । ଶଙ୍କରଠାରୁ ଗୋଟିଏ ଫର୍ଚୁନର, ୨ଟି ଆଇଫୋନ୍‌ ଓ ପାସପୋର୍ଟ ମଧ୍ୟ ଜବତ କରାଯାଇଛି । ଗଞ୍ଜାମ ଜଗନ୍ନାଥପୁର ଜଙ୍କସନ୍‌ SBI ରୋଡ୍‌ ଡିଫେନ୍ସ କଲୋନୀର ବାସିନ୍ଦା ହେଉଛି ଶଙ୍କର । ପଞ୍ଚସଫ୍ଟ ଟେକ୍ନୋଲୋଜି ପ୍ରା.ଲି.ର ଡାଇରେକ୍ଟର ଭାବେ ସେ କାର୍ଯ୍ୟ କରୁଥିଲା । ଭୁବନେଶ୍ବର ପଟିଆରେ ଅଫିସ୍‌ ଖୋଲି ପୂରା ନେଟୱର୍କ ଚଳାଇ ଆସିଥିଲା । ମୁନା ମହାନ୍ତି, ଶ୍ରୀକାନ୍ତ ମହରାଣା, ଅରବିନ୍ଦ ଦାସ ସହଯୋଗୀ ଥିଲେ । ଟି. ଅଭିମନ୍ୟୁ ଦୋରା ଓ ପ୍ରିୟଦର୍ଶିନୀ ସାମଲ ମଧ୍ୟ ଶଙ୍କରଙ୍କ ସହଯୋଗୀ ଥିଲେ ।

ଗତ ମାସେ ହେବ ଏହି ନାଁ ଗଣମାଧ୍ୟମ ପାଇଁ ଏକ ରହସ୍ୟ ପାଲଟିଥିଲା । ପୋଲିସ ସହ ଲୁଚକାଳି ଖେଳୁଥିଲା ଶଙ୍କର । କେବେ ଧରାପଡ଼ିବ ବୋଲି ସରକାରଙ୍କ ଉପରେ ବଢ଼ୁଥିଲା ଚାପ । ହେଲେ ଶଙ୍କରର ସବୁ ଖେଳ ଖତମ । ମାସକର ଲୁଚକାଳି ଖେଳରେ ଫୁଲ୍‌ଷ୍ଟପ ଲଗାଇଲା କ୍ରାଇମବ୍ରାଞ୍ଚ । ପୋଲିସ ଓ କ୍ରାଇମବ୍ରାଞ୍ଚକୁ ଫିଲ୍ମ ଷ୍ଟାଇଲ୍‌ରେ ଚକମା ଦେଇ ଫେରାର୍ ଥିଲା ଶଙ୍କର । SI ପରୀକ୍ଷା କେଳେଙ୍କାରୀ ପ୍ରଘଟ ପରେ ହୋଇଯାଇଥିଲା ଫେରାର୍ ।

କ'ଣ ଥିଲା ଶଙ୍କରର ପ୍ଲାନ୍ ?

ଶଙ୍କର କଉଁଠି ଲୁଚିଥିଲା ? ଓଡ଼ିଶାରୁ ବାହାରି କୁଆଡ଼େ ଯାଇଥିଲା ? କ'ଣ ଥିଲା ତାର ପ୍ଲାନିଂ ? ଏନେଇ ସାଧାରଣରେ ଉଠିଥିଲା ପ୍ରଶ୍ନ । ହେଲେ ଏବେ ସବୁ ପ୍ରଶ୍ନର ଉତ୍ତର ସାମ୍ନାକୁ ଆସିଛି । ମିଳିଥିବା ସୂଚନାନୁସାରେ, SI ପରୀକ୍ଷା କେଳେଙ୍କାରୀ ଖବର ସାମ୍ନାକୁ ଆସିବା ପରେ ଶଙ୍କର ପ୍ରଥମେ ଓଡ଼ିଶା ଛାଡ଼ି ଦିଲ୍ଲୀ ଚାଲିଯାଇଥିଲା । ତାପରେ ସେଠାରେ କିଛି ଦିନ ଆତ୍ମଗୋପନ କରିଥିଲା । କିନ୍ତୁ ସେଠି ଯେତେବେଳେ ସୁରକ୍ଷିତ ମଣିନଥିଲା, ତାପରେ ନେପାଳରେ କିଛି ଦିନ ଲୁଚିଥିଲା ।

ନେପାଳରେ ବି ଭୟ ଭିତରେ ରହୁଥିଲା ଶଙ୍କର । ତେଣୁ ସେ ଚିନ୍ତା କଲା, ଭାରତ ଛାଡ଼ି ବିଦେଶ ଚାଲିଯିବ । ତେଣୁ ନେପାଳରୁ ସିଧା ଦୁବାଇ ପାଇଁ ପ୍ଲାନ କରୁଥିଲା । ହେଲେ ତା'ପୂର୍ବରୁ ଧରାପଡ଼ିଗଲା । କାରଣ ତା ନାଁରେ ଲୁକ୍‌ ଆଉଟ୍‌ ନୋଟିସ ଜାରି ହୋଇସାରିଥିଲା । ତେଣୁ ସେ ଆଉ ବର୍ଡର ପାର କରି ଦେଶ ଛାଡ଼ି ଯାଇପାରିନଥିଲା । ଶେଷରେ ସେହି ନେପାଳ ସୀମା ଉତ୍ତରାଖଣ୍ଡରୁ ଧରାପଡ଼ିଥିଲା । ଏପଟେ ଗାଜିଆବାଦ ପାଖାପାଖି ଅଞ୍ଚଳରେ ନିଜ ପରିବାରକୁ ରଖିଥିଲା ଶଙ୍କର । ସେଠାରୁ ମଧ୍ୟ ଶଙ୍କରର ପତ୍ନୀ ଦିପ୍ତିମୟୀଙ୍କୁ ଗିରଫ କରିଛି ପୋଲିସ ।

ଏହି ଲୁଚକାଳି ସମୟରେ ଶଙ୍କର କିଛି ଆଇନଜୀବୀଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା ଚଳାଇଥିଲା । ଖାଲି ସେତିକି ନୁହେଁ ଗିରଫ ଭୟରେ ନିଜ ପରିଚୟ ଲୁଚାଇବାକୁ ବି କରିଥିଲା ବଡ଼ ପ୍ଲାନ୍ । ଦାଢ଼ି ବଢ଼ାଇଥିଲା ନିଜ ଚେହେରାକୁ ଢ଼ାଙ୍କିବାକୁ ଚେଷ୍ଟା କରିଥିଲା ।

ଯେତେବେଳ କ୍ରାଇମବ୍ରାଞ୍ଚ ଶଙ୍କର ବାବଦରେ ସୂଚନା ପାଇଥିଲା, ସେତେବେଳେ ଏକ ୪ ଜଣିଆ ଟିମ୍‌ ଉତ୍ତରାଖଣ୍ଡ ଯାଇ ଡେରାପକାଇଥିଲା । ଏହି ଟିମ୍‌ରେ ଜଣେ DSP ରାଙ୍କର ଅଧିକାରୀ ମଧ୍ୟ ଥିଲେ । ଶେଷରେ ଜାଲ ବିଛାଇ ଶଙ୍କରକୁ ନେପାଳ ସୀମା ଉତ୍ତରାଖଣ୍ଡରୁ ଧରିଥିଲା କ୍ରାଇମବ୍ରାଞ୍ଚ ଏହି ସ୍ୱତନ୍ତ୍ର ଟିମ୍ । ଖାଲି ସେତିକି ନୁହେଁ ଏପଟେ ତାର ଦାମୀ ଫର୍ଚ୍ୟୁନର୍ ଗାଡ଼ିକୁ ମଧ୍ୟ ଜବତ କରିଛି ପୋଲିସ ।

ଧରାପଡ଼ିବା ପରେ କ'ଣ କହିଲା ଶଙ୍କର ?

ଶଙ୍କରକୁ ଗିରଫ କରି ଭୁବନେଶ୍ୱର ଆଣିଛି କ୍ରାଇମବ୍ରାଞ୍ଚ । ଆଉ ତାପରେ ଗଣମାଧ୍ୟମ ଆଗରେ ଶଙ୍କର କରିଛି ବଡ଼ ଖୁଲାସା । ଭୁବନେଶ୍ୱରରେ ପହଞ୍ଚିବା ପରେ ଦେଇଛି ଚାଞ୍ଚଲ୍ୟକର ବୟାନ । କହିଲା ବିଜେଡି ସରକାର ସମୟରେ ହୋଇଥିଲା ବଡ଼ ଷଡ୍‌ଯନ୍ତ୍ର । ବିଜେଡି ଶାସନରେ ହୋଇଥିଲା ୧୦୦୦ କୋଟିର ଡିଲ । ଖାଲି ସେତିକି ନୁହେଁ, ଶଙ୍କର ନିଜକୁ ନିର୍ଦ୍ଦୋଷ ବୋଲି କହିବା ସହ ଆହୁରି କହିଛି, 'ମୁଁ ଲୁଚିନଥିଲି, ଆଇନଗତ ଭାବେ ଲଢ଼ୁଥିଲି । ଆଗୁଆ ବେଲ ପାଇଁ ହାଇକୋର୍ଟରେ ଫାଇଲ୍ କରାଯାଇଥିଲା, ସୁପ୍ରିମକୋର୍ଟରେ ବି ଫାଇଲ୍ କରିଥିଲି । ଗୋଟିଏ ମାସ ସମୟ ଦେଇଥିଲେ ମୁଁ ନିଜେ ସରେଣ୍ଡର କରିଥାନ୍ତି । ମୋ ପତ୍ନୀଙ୍କ ନାଁରେ କୌଣସି କେସ୍‌ ନାହିଁ । ଗିରଫ ହୋଇଥିବା ଆଶୟୀଙ୍କ ସହ ମୋର କିଛି ଯୋଗାଯୋଗ ନାହିଁ' ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
SI Scam | Shankar Prusty had main office In Patia, He operating from there! | Argus News