ଗାଁ ଗାଁ ବୁଲି ଲୋକଙ୍କ ସମସ୍ୟା ବୁଝୁଛନ୍ତି ଶତ୍ରୁଘ୍ନ ସାର୍

ମାନବ ସେବା ହିଁ ମାଧବ ସେବା । ଏଇ କେଇଟା କଥା ପଦକୁ ନିଜ ଜୀବନର ଆଦର୍ଶ କରିଛନ୍ତି ଶତ୍ରୁଘ୍ନ ସାର୍ । ଗାଁକୁ ରାସ୍ତା ହେଉ କି ପିଲାଙ୍କ ପାଠପଢା କି ଶୁଖିଲା ତଣ୍ଟିକୁ ପାଣି ଯୋଗାଇବା । ନିଜ ପାଇଁ ନୁହେଁ ସବୁବେଳେ ଅନ୍ୟ ପାଇଁ ଚିନ୍ତା କରୁଥିବା ମଣିଷ ହେଉଛନ୍ତି ସେ ।ସତେ ଯେମିତି ସେ ଗରିବଙ୍କ ପାଇଁ ଦେବଦୂତ । ଗାଁ ଗାଁ ବୁଲି ଲୋକଙ୍କୁ ଏକାଠି କରି ସେମାନଙ୍କ ସମସ୍ୟା ଶୁଣିଥାନ୍ତି । ଦୀର୍ଘ ୨୮ ବର୍ଷ ହେଲା ଜଗନ୍ନାଥପ୍ରସାଦ ବ୍ଲକର କୋକଳବା, ତାରାସିଂ, ଗାୟଗଣ୍ଡା, ରୁଢାପଦର, କ୍ଷେତମୁଣ୍ଡଳୀ ଭଳି ପଞ୍ଚାୟତର ଗରିବ, ପଛୁଆ ବର୍ଗ, ଆଦିବାସୀ, ହରିଜନଙ୍କ ପାଇଁ ନିଜ ଜୀବନକୁ ଉତ୍ସଗୀକୃତ କରିଛନ୍ତି ।
କୌଣସି ସମସ୍ୟା ହେଲେ ଲୋକେ ପ୍ରଥମେ ମନେପକାନ୍ତି ଶତ୍ରୁଘ୍ନ ଗୌଡ଼ ସାରଙ୍କୁ । ଆଦିବାସୀଙ୍କ ଶିକ୍ଷା ପ୍ରଥମ ଆବଶ୍ୟକତା ମନେ କରି କୋକଳବାଠାରେ ନିଜ ଦୁଇ ଏକର ଜମି ହସ୍ତାନ୍ତର କରି ଏକ ଶିକ୍ଷାନୁଷ୍ଠାନ ସହ ହଷ୍ଟେଲ ଗଢି ପିଲାଙ୍କୁ ୪ ବର୍ଷ ପାଢ ପଢାଇଥିଲେ । ପରେ ସରକାର ଏହାକୁ ନିଜ ହାତକୁ ନେଇ ଏଠାରେ ଏକ ସୁନ୍ଦର ଅନୁଷ୍ଠାନ ଜ୍ଞାନ ପଟ୍ଟନାୟକ ଉଚ୍ଚ ବିଦ୍ୟାଳୟ ତିଆରି କରିଛନ୍ତି । ଜଗନ୍ନାଥପ୍ରସାଦ ବ୍ଲକ ଅଞ୍ଚଳରେ ଅନେକ ଆଦିବାସୀ ଗାଁ ରହିଥିବା ବେଳେ ରାସ୍ତା, ଜଳଯୋଗାଣ, ଶିକ୍ଷା, ଓ ସ୍ୱାସ୍ଥ୍ୟ ପାଇଁ ବାରମ୍ବାର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥାନ୍ତି ଶତ୍ରୁଘ୍ନ । ମାଳ ବିକାଶ ମଞ୍ଚ ନାମକ ସଂଗଠନ ଗଢି ୧୯୯୯ ରୁ ଏହା ସକ୍ରିୟ ଭାବେ କାମ କରିଆସୁଛନ୍ତି ।
କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କୁ ଭେଟି ଅଞ୍ଚଳର ଉନ୍ନତି ପାଇଁ ଜଣାଇବା ସହ ଏକଲବ୍ୟ ସ୍କୁଲ ପାଇଁ ଅନୁରୋଧ କରି ଆଣିବାରେ ସମ୍ଭବ ହୋଇଛି । ତାଙ୍କ ଉଦ୍ୟମ ଯୋଗୁଁ ଜିରୀପଡା ଓ ଶିଉଳି ଭଳି ଘାଟି ଅଞ୍ଚଳକୁ ୧୬ କିମି ରାସ୍ତା ନିର୍ମାଣ ସମ୍ଭବପର ହୋଇ ପାରିଛି । ୨୦୧୧ରୁ ଶିକ୍ଷକତାରୁ ଅବସରନେବା ପରେ ସେ ସମ୍ପୂର୍ଣ୍ଣ ସମୟ ଦେଇ ଆଦିବାସୀଙ୍କ ସେବା କାର୍ଯ୍ୟରେ ଲାଗି ପଡିଛନ୍ତି । ନିଜର ଉର୍ତ୍ସଗୀକୃତ ସେବା ପାଇଁ ଶତ୍ରୁଘ୍ନ ସାର୍ ଅଞ୍ଚଳବାସୀଙ୍କ ଲାଗି ପାଲଟିଛନ୍ତି ଉଦାହରଣ ।