SI Scam / ୪ ଦଲାଲଙ୍କଠାରୁ CBI ପାଇଛି ବଡ଼ ସୁରାକ୍ !

Key Points
ପ୍ରାୟ ୩ବର୍ଷ ହେବ ମୁନା ସହ ସାଥିରେ ରହୁଥିଲା ।
ପୋଲିସ SI ଚାକିରି କେଳେଙ୍କାରୀ ମାମଲା । ୪ ଦଲାଲଙ୍କୁ ଜେରାରେ CBIକୁ ମିଳିଛି ବଡ଼ ଷଡ଼ଯନ୍ତ୍ରର ସୁରାକ । ମିଳିଲା ଆନ୍ତଃରାଜ୍ୟ ଲିଙ୍କ ଓ ବିହାରର ମାଷ୍ଟରମାଇଣ୍ଡ ଚିହ୍ନଟ । ଏହି ମହାଦୁର୍ନୀତିର ଚେର ବିହାର ସମେତ ବିଭିନ୍ନ ରାଜ୍ୟକୁ ଲମ୍ବିଛି ଓ ସମ୍ପୃକ୍ତ ମାଷ୍ଟରମାଇଣ୍ଡ୍କୁ ଚିହ୍ନଟ କରାଯାଇଛି । ପୂରା ନେଟୱର୍କର ମାଷ୍ଟରମାଇଣ୍ଡ ଜୟନ୍ତ ଯାଦବ । ତା'ସହ ଦୁର୍ନୀତିରେ ଶତାଧିକ ସମ୍ପୃକ୍ତ ଅଛନ୍ତି । ୪ ଦଲାଲ ଲୋକନାଥ ସାହୁ, ତଫିମ ଅହମ୍ମଦ ଖାନ, ବିଶ୍ବଜିତ ହରିଚନ୍ଦନ ଓ SSB ଯବାନ ବିଶ୍ବରଞ୍ଜନ ସେନାପତିଙ୍କୁ ଜେରା କରିବା ପରେ ଅନେକ ନୂଆ ତଥ୍ୟ ପାଇଛି CBI ।
ଦଲାଲଙ୍କୁ ପଚରାଉଚରା ପରେ ବଡ଼ଧରଣର ମହାଦୁର୍ନୀତି ଷଡ଼ଯନ୍ତ୍ରର ଗୁମର ଖୋଲୁଛି । ନେଟୱର୍କର ମାଷ୍ଟରମାଇଣ୍ଡ ଜୟନ୍ତ ଯାଦବ ଶଙ୍କର ପୃଷ୍ଟି ସହ ସିଧାସଳଖ ସମ୍ପୃକ୍ତ ଥିଲା ଓ ଦଲାଲଙ୍କ ସହ ରୀତିମତ ଯୋଗାଯୋଗରେ ଥିଲା । ଉତ୍ତରପ୍ରଦେଶ,କୋଲକାତା, ଦିଲ୍ଲୀ ଓ ଝାଡ଼ଖଣ୍ଡରୁ କିଛି ଦଲାଲ ରହି ଗୋଟି ଚାଳନା କରିବା ସହ ବଡ଼ଧରଣ ଷଡ଼ଯନ୍ତ୍ରରେ ସାମିଲ ଥିଲେ ।
ସେହିପରି ମୁଖ୍ୟ ଦଲାଲ ମୁନା ମହାନ୍ତିର ଗାଡ଼ି ଚାଳକ ଥିଲା ଲୋକନାଥ । ପ୍ରାୟ ୩ବର୍ଷ ହେବ ମୁନା ସହ ସାଥିରେ ରହୁଥିଲା । ମୁନା ପ୍ରରୋଚନାରେ ଲୋକନାଥ ପରୀକ୍ଷାର୍ଥୀଙ୍କୁ ଯୋଗାଡ଼ ଦାୟିତ୍ବ ନେଇଥିଲା । ଲୋକନାଥ ନିଜର ଦୁଇ ସହଯୋଗୀ ତଫିମ ଓ ବିଶ୍ବଜିତକୁ ଗ୍ୟାଙ୍ଗ୍ରେ ମିଶାଇ ଥିଲା । ପ୍ରତି ପରୀକ୍ଷାର୍ଥୀଙ୍କ ପିଛା ଦଲାଲ ୨ରୁ୩ ଲକ୍ଷ ଟଙ୍କା ନେଇଥାନ୍ତେ ବୋଲି ଡିଲ୍ ହୋଇଥିଲା । ମୁନାର ଅନ୍ୟତମ ସହଯୋଗୀ SSB ଯବାନ ବିଶ୍ବରଞ୍ଜନ । ସେ ସବୁଠାରୁ ଅଧିକ ପରୀକ୍ଷାର୍ଥୀଙ୍କୁ ଯୋଗାଡ଼ କରିଥିବା ତଦନ୍ତରୁ ଜଣାପଡ଼ିଛି । ସେ ପୋଲିସ ବିଭାଗରେ କାର୍ଯ୍ୟ କରୁଥିବାରୁ ପରୀକ୍ଷାର୍ଥୀ ବିଶ୍ବାସ କରିଥିଲେ । ପ୍ରତି ପରୀକ୍ଷାର୍ଥୀଙ୍କ ପିଛା ୧ଲକ୍ଷରୁ ୨ ଲକ୍ଷ ଟଙ୍କା ନେବାକୁ ଡିଲ୍ କରିଥିଲା ।
ଚାକିରି ପିଛା ୨୫ ଲକ୍ଷରେ ଡିଲ୍ ହେଉଥିବାରୁ ଶଙ୍କର ଓ ସୁରେଶ ନାୟକ ଏଥିରେ ସହମତି ପ୍ରକାଶ କରିଥିଲେ ଓ ଆହୁରି ପରୀକ୍ଷାର୍ଥୀଙ୍କୁ ଯୋଗାଡ଼ କରିବା ଲାଗି କହିଥିଲେ । ୪ ଦଲାଲଙ୍କୁ ପଚରାଉଚରା ପରେ ଟଙ୍କା ନେଣଦେଣର ଲିଙ୍କ୍ ମିଳିଛି । ପରୀକ୍ଷାର୍ଥୀଙ୍କ ଠାରୁ ଟଙ୍କା ଆଣି ମୁଖ୍ୟ ଅଭିଯୁକ୍ତଙ୍କୁ ଦେବା ସହ ନିଜେ ରଖିଥିବାର ପ୍ରମାଣ ହାତେଇଛି ତଦନ୍ତକାରୀ ଦଳ । ସେଭଳି ସିବିଆଇର ସମନ ପରେ ଗତକାଲି କିଛି ଅଭିଭାବକ ପଚରାଉଚୁରା ପାଇଁ ହାଜର ହୋଇଥିଲେ । କିଭଳି ଡିଲ୍ ହୋଇଥିଲା ଓ ସେମାନଙ୍କ ପିଲା କ’ଣ କହି ଟଙ୍କା ଆଣିଥିଲେ, ସେନେଇ ପଚରାଉଚରା କରାଯାଇଛି ।
ଗିରଫ ପରୀକ୍ଷାର୍ଥୀଙ୍କୁ ଦଲାଲଙ୍କ ସହ ଚିହ୍ନା ପରିଚିତ କରିଥିବା ଜଣେ ଯୁବକଙ୍କୁ ମଧ୍ୟ ପଚରାଉଚରା କରୁଛି ସିବିଆଇ । ସେପଟେ ଆଜି ସରିବ ଏହି ୪ ଅଭିଯୁକ୍ତଙ୍କ ରିମାଣ୍ଡ । ପୁଣି ରିମାଣ୍ଡ ପାଇଁ କୋର୍ଟରେ ହୋଇପାରେ ଆବେଦନ । ଆଜି ସମସ୍ତ ଅଭିଯୁକ୍ତଙ୍କୁ ଭୁବନେଶ୍ୱର ସ୍ୱତନ୍ତ୍ର CBI କୋର୍ଟରେ ହାଜର କରାଯିବ । ପୁଣି ଥରେ ଏମାନଙ୍କୁ CBI ରିମାଣ୍ଡରେ ଆଣି ଜେରା କରିପାରେ ବୋଲି ସୂଚନା ମିଳିଛି ।