ମାଫିଆଙ୍କ କବ୍ଜାରେ ଶିମିଳିପାଳ, କିଏ କରିବ ରକ୍ଷା ?

Key Points
ଜୈବମଣ୍ଡଳ ପରିସରରେ ଗଢ଼ିଉଠୁଛି ବିଶାଳ ହୋଟେଲ ।
ଯାହା ସମ୍ପୂର୍ଣ୍ଣ ନିୟମ ବିରୁଦ୍ଧ ।
ଏହାର ପ୍ରଭାବରେ ଜଙ୍ଗଲୀ ଜୀବମାନେ ସହରମୁହାଁ ।
ଶିମିଳିପାଳକୁ ଜାତୀୟ ଉଦ୍ୟାନର ମାନ୍ୟତା ମିଳିବା ମୟୂରଭଞ୍ଜ ଜିଲ୍ଲା ତଥା ସାରା ରାଜ୍ୟ ପାଇଁ ଏକ ବଡ଼ ଉପଲବ୍ଧି। ଶିମିଳିପାଳର ଜୈବ ବିବିଧତା ତଥା ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ଏହି ମାନ୍ୟତା ବେଶ୍ ସହାୟକ ହେବ ବୋଲି ଆଶା । ଏଥିସହ ପର୍ଯ୍ୟଟନ ଶିଳ୍ପକୁ ମଧ୍ୟ ବଳ ମିଳିବାର ସମ୍ଭାବନା ସୃଷ୍ଟି ହୋଇଛି।
ତେବେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଆଳରେ ପ୍ରାକୃତିକ ପରିବେଶ ନଷ୍ଟ କରାଯାଉଥିବାର ଅଭିଯୋଗ ଉଠିଛି। ଶିମିଳିପାଳର ପ୍ରବେଶ ପଥ କୁହାଯାଉଥିବା ଶ୍ୟାମାଖୁଣ୍ଟା ବ୍ଲକ ଅଧିନ କୁଚିଳାଘାଟି ପଞ୍ଚାୟତ ଅଞ୍ଚଳରେ ୧୦ଟି ଘରୋଇ ହୋଟେଲ, ରିସୋର୍ଟ ଓ ପାନ୍ଥନିବାସ ରହିଥିବା ବେଳେ ଆଗକୁ ଆହୁରି ଅନେକ ନିର୍ମାଣ ପାଇଁ ପ୍ରସ୍ତାବ ରହିଛି । ହେଲେ ଏହି ମାଲିକମାନେ ପରିବେଶ ଓ ଜଙ୍ଗଲ ଆଇନ୍ର ଉଲଂଘନ କରୁଛନ୍ତି । ଏହି ପାନ୍ଥନିବସର ମାଲିକମାନେ ତାଙ୍କର ନିର୍ଦ୍ଦିଷ୍ଟ ଜାଗା ବ୍ୟତୀତ ଅନେକ ସରକାରୀ ଜମିକୁ ନିଜ ଅକ୍ତିଆରକୁ ନେଇ ହୋଟେଲ ନିର୍ମାଣ କରୁଛନ୍ତି। ଏଥିପାଇଁ ବ୍ୟାପକ ଗଛ କଟାଯାଉଛି। ତେବେ ଜଙ୍ଗଲ ଜମି ଜବର ଦଖଲ ଓ ଶହଶହ ବର୍ଷର ପୁରୁଣା ମୂଲ୍ୟବାନ ଗଛକଟାକୁ ଘୋର ବିରୋଧ କରୁଛନ୍ତି ନିକଟସ୍ଥ ଗ୍ରାମବାସୀ ।
ସରକାରୀ କଳର ଉଦାସୀନତା ଯୋଗୁ ଏହି ଜୈବମଣ୍ଡଳ ପରିସରରେ ଗଢ଼ିଉଠୁଛି ବିଶାଳ ହୋଟେଲ, ଯାହା ସମ୍ପୂର୍ଣ୍ଣ ନିୟମ ବିରୁଦ୍ଧ । ଏହାର ପ୍ରଭାବରେ ଜଙ୍ଗଲୀ ଜୀବମାନେ ସହରମୁହାଁ ହେବାକୁ ବାଧ୍ୟ ହେଉଛନ୍ତି । ହୁଗୁଳା ନିୟମ ଯୋଗୁଁ ମୂଲ୍ୟବାନ ଗଛ କାଟି ବେଆଇନ ଭାବେ ଜଙ୍ଗଲ ଜମିକୁ ମଧ୍ୟ ହଡ଼ପ୍ କରାଯାଉଛି ବୋଲି କହିଛନ୍ତି ପରିବେଶବିତ୍ ଭାନୁମିତ୍ର ଆଚାର୍ଯ୍ୟ । ସେପଟେ ସରକାରୀ ଜମି ଅକ୍ତିଆର କରି ଗଛ କାଟିବା ଭଳି ଘଟଣା ଆମ ନଜରକୁ ଆସିଲେ ଆମେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ବୋଲି କହିଛନ୍ତି ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ପ୍ରକାଶଚାନ୍ଦ ଗୋଗିନେନୀ ।
ଶିକାରୀ ଓ ନିଶାବେପାରୀଙ୍କ ପରେ ଶିମିଳିପାଳ ଉପରେ ଏବେ ଜମି ମାଫିଆଙ୍କ ନଜର । ମୟୂରଭଞ୍ଜ ଜିଲ୍ଲାର ମୁକୁଟ ବୋଲାଉଥିବା ଶିମିଳିପାଳର ସୁରକ୍ଷା ଦିଗରେ ଆଗକୁ ଯଦି କୌଣସି ଦୃଢ଼ ପଦକ୍ଷେପ ଗ୍ରହଣ କରାନଯାଏ ତେବେ ବଣ, ଜଙ୍ଗଲ, ଜୀବଜନ୍ତୁ ଯେ ଦିନେ ଏଠାରୁ ନିଶ୍ଚିହ୍ନ ହୋଇନଯିବେ, ଏଥିରେ ସନ୍ଦେହ ନାହିଁ ।