୧୯୭୭ରୁ କେବେ ଦିନକରେ ସରିନି ରଥଟଣା !

Key Points
ବିରୋଧୀଙ୍କ ସମାଲୋଚନାର କଡ଼ା ଜବାବ ରଖିଛନ୍ତି ଆଇନ ମନ୍ତ୍ରୀ ।
ପ୍ରେସମିଟ କରି ବିଜେପି ମୁଖପାତ୍ର କହିଛନ୍ତି ଚିଲ ଶାଗୁଣା ଭଳି ବିଜେଡିକୁ ଦେଖାଯାଉଛି ଅଘଟଣ ।
ରଥଟଣା ବିଳମ୍ବକୁ ନେଇ ବିରୋଧୀଙ୍କ ଆକ୍ଷେପର ବିଜେପି କଲା କାଉଣ୍ଟର । ଆଇନ ମନ୍ତ୍ରୀଙ୍କ ଜବାବ, ୧୯୭୭ରୁ ପ୍ରଥମ ଦିନରେ କେବେ ବି ପହଞ୍ଚିନି ରଥ । ବ୍ରହ୍ମ ବିଭ୍ରାଟ କଥା ଉଠାଇ ଆରୁଣ ସାହୁଙ୍କୁ ବିଜେପି ଦେଖାଇଲା ଆଇନା । ଗବେଷକ କହିଲେ, ପୂର୍ବରୁ ରଥଯାତ୍ରା ଦିନ ରଥ ଅଟକି ରହିବାର ରହିଛି ବହୁ ଉଦାହରଣ ।
ରଥଯାତ୍ରା ଦିନ ରଥା ଟଣାରେ ବିଳମ୍ବକୁ ନେଇ ଦେଖିବାକୁ ମିଳିଛି ଅଯଥା ବିବାଦ । ଗତକାଲି ତାଳଧ୍ବଜ ରଥ ମୋଡ଼ ନେବାରେ ସମସ୍ୟା ଯୋଗୁଁ ରଥଟଣା ହୋଇଥିଲା ବିଳମ୍ବିତ । ଯେଉଁଥିପାଇଁ ନନ୍ଦିଘୋଷ ରଥ ଟଣା ଆରମ୍ଭ ବେଳକୁ ସନ୍ଧ୍ୟା ୭ଟା ୪୬ ହୋଇଯାଇଥିଲା । ଏହାକୁ ନେଇ ଆଜି ଆରମ୍ଭ ହୋଇଯାଇଥିଲା ଜୋରଦାର ରାଜନୀତି । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏକ୍ସରେ ପୋଷ୍ଟ କରି ଭିଡ଼ ନିୟନ୍ତ୍ରଣରେ ଅପାରଗତା ହେତୁ ଶହ ଶହ ଭକ୍ତ ଆହତ ହୋଇଥିବା ଅଭିଯୋଗ କରିଥିଲେ । ଏଥିସହ ସରକାରଙ୍କୁ ଆତ୍ମ ଚିନ୍ତନ ପାଇଁ ଦେଇଥିଲେ ପରାମର୍ଶ ।
ମୁଖିଆଙ୍କ ପରେ ସମାଲୋଚନା ପାଇଁ ମଇଦାନକୁ କୁଦିଥିଲେ ବିଜେଡିର ଅନ୍ୟ ନେତା । ବିଧାୟକ ଅରୁଣ ସାହୁ ରଥଯାତ୍ରା ପରିଚାଳନା ଉପରେ ପ୍ରଶ୍ନ ଉଠାଇ ସରକାରଙ୍କୁ କରିଥିଲେ ସମାଲୋଚନା । ବିଜେଡି ସହ କଂଗ୍ରେସ ବି ମିଶାଇଥିଲା ସ୍ୱର ।
ବିରୋଧୀଙ୍କ ସମାଲୋଚନାର କଡ଼ା ଜବାବ ରଖିଛନ୍ତି ଆଇନ ମନ୍ତ୍ରୀ । କହିଛନ୍ତି ଜଣ୍ଡିସ୍ ହୋଇଥିବା ଲୋକଙ୍କୁ ମହାପ୍ରଭୁଙ୍କ ଲୀଳା ରାଜନୀତି ଭଳି ଲାଗୁଛି । ଅତୀତରେ ସେମାନେ ତ୍ରୁଟି କରି ମହାପ୍ରଭୁଙ୍କୁ କରିଛନ୍ତି ଘୋର ଅପମାନିତ । ୧୯୭୭ରୁ ଆଜି ପର୍ଯ୍ୟନ୍ତ ପ୍ରଥମ ଦିନରେ କେବେ ବି ପହଞ୍ଚିନି ରଥ । ସେପଟେ ନବୀନଙ୍କୁ କାଉଣ୍ଟର କରିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ।
ସେହିଭଳି ଅରୁଣ ସାହୁଙ୍କୁ ବ୍ରହ୍ମ ବିଭ୍ରାଟ ପ୍ରସଙ୍ଗ ମନେ ପକାଇ ବିଜେପି କରିଛି କାଉଣ୍ଟର । ପ୍ରେସମିଟ କରି ବିଜେପି ମୁଖପାତ୍ର କହିଛନ୍ତି ଚିଲ ଶାଗୁଣା ଭଳି ବିଜେଡିକୁ ଦେଖାଯାଉଛି ଅଘଟଣ । ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଛେରାପହଁରା କିଭଳି ବିଳମ୍ବିତ କରାଯାଉଥିଲା ସେ ପ୍ରସଙ୍ଗ ଉଠାଇ ଆଇନା ଦେଖାଇଛି ବିଜେପି ।
ସେପେଟ ଜଗନ୍ନାଥ ସଂସ୍କୃତି ଗବେଷକ କହିଛନ୍ତି ରଥ ଟଣା ବିଳମ୍ବ ହେବା କିମ୍ବା ନନ୍ଦିଘୋଷ ରଥ ଅଟକି ରହିବାର ପୂର୍ବରୁ ରହିଛି ବହୁ ଉଦାହରଣ। ମହାପ୍ରଭୁଙ୍କ ବିନା ଇଚ୍ଛାରେ କିଛି ବି ନୁହେଁ ସମ୍ଭବ। ସେବାୟତ ବି ରଖିଛନ୍ତି ସମାନ ମତ। ରଥଟଣା ବିଳମ୍ବକୁ ନେଇ ରାଜନୀତି ଭକ୍ତଙ୍କୁ କରିପାରିନି ପ୍ରଭାବିତ। ଦୁଇଦିନ ରଥଟଣାର ଆନନ୍ଦ ଉଠାଇଛନ୍ତି ଲକ୍ଷାଧିକ ଭକ୍ତ । ଗତକାଲି ଭଳି ଆଜି ମଧ୍ୟ ବଡ଼ ଦାଣ୍ଡ ହୋଇଥିଲା ଲୋକାରଣ୍ୟ। ଦୁଇ ଦିନ ରଥ ଟାଣିବାର ସୁଯୋଗ ମିଳିଥିବାରୁ ମହାପ୍ରଭୁଙ୍କ କୃପା କହି ନିଜକୁ ଧନ୍ୟ ମନେକରିଛନ୍ତି ଭକ୍ତ।