କୁନି ପିଲାଙ୍କୁ ଗୋଲାପ ଦେଇ ସ୍କୁଲକୁ ଡାକିଲେ, ନିମନ୍ତ୍ରଣ କାର୍ଡ ବି ଦେଲେ

ଦିନକ ପରେ ରାଜ୍ୟର ସମସ୍ତ ପ୍ରାଥମିକ ବିଦ୍ୟାଳୟରେ ଆରମ୍ଭ ହେବ ଶିଶୁ ବାଟିକା । ସ୍କୁଲରେ ଅନୁଷ୍ଠିତ ହେବ କୁନି କୁନି ଛାତ୍ରଛାତ୍ରୀଙ୍କ ପ୍ରବେଶ ଓ ଖଡିଛୁଆଁ ଉତ୍ସବ । ପ୍ରତି ଜିଲ୍ଲାରେ ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣ ପତ୍ର ବାଣ୍ଟୁଛନ୍ତି ଜିଲ୍ଲାପାଳ ଓ ଅଧିକାରୀ । କୁନି ପିଲାଙ୍କୁ ଉତ୍ତମ, ସଂଗଠିତ, ଅନୁଭୂତି ମୂଳକ ଶିକ୍ଷା ପ୍ରଦାନ ପାଇଁ ସରକାରଙ୍କ ମହତ ଉଦ୍ୟମ । ଜାତୀୟ ଶିକ୍ଷା ନୀତିରେ ଏଭଳି ପଦକ୍ଷେପକୁ ଅଭିଭାବକ ଓ ଶିକ୍ଷକଙ୍କ ମହଲରେ ପ୍ରଶଂସା ।
ଶିଶୁ ବାଟିକା ଏବଂ ପ୍ରାଥମିକ ଶିକ୍ଷାକୁ ରାଜ୍ୟରେ ସୁଦୃଢ଼ କରିବ ଜାତୀୟ ଶିକ୍ଷା ନୀତି । ଏପ୍ରିଲ୍ ୨ରୁ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ଦେବା ପାଇଁ ଆରମ୍ଭ ହେବାକୁ ଯାଉଛି ଶିଶୁ ବାଟିକା । ସମସ୍ତ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ପ୍ରବେଶ ଉତ୍ସବ ଓ ଖଡିଛୁଆଁ ଉତ୍ସବ ଅନୁଷ୍ଠିତ ହେବ । ଏଥିପାଇଁ ପ୍ରତି ଜିଲ୍ଲାରେ ଶିକ୍ଷା ବିଭାଗର ସମସ୍ତ କର୍ମଚାରୀ, ଜିଲ୍ଲା ପ୍ରଶାସନ ଘର ଘର ବୁଲି ଛୋଟ ଛୁଆମାନଙ୍କୁ ଭେଟିବା ସହ ଗୋଲାପ ଓ ନିମନ୍ତ୍ରଣ ପତ୍ର ଦେଇ ସ୍ଵାଗତ କରୁଛନ୍ତି । କୁନି ପିଲାଙ୍କୁ ଉତ୍ତମ, ସଂଗଠିତ ଓ ଅନୁଭୂତି ମୂଳକ ଶିକ୍ଷଣ ପରିବେଶ ଦେବାକୁ ସରକାରଙ୍କ ପ୍ରୟାସ୍ ।
ଆସନ୍ତା ସେପ୍ଟେମ୍ବର ମାସ ୧ ତାରିଖରୁ ୨୦୨୫-୨୬ ଶିକ୍ଷାବର୍ଷ ଆରମ୍ଭ ହେବ । ସେଠାରେ ୫ରୁ ୬ ବର୍ଷ ପିଲାଙ୍କର ନାମ ଲେଖାଯିବ । ଏହି ଶିକ୍ଷାବର୍ଷରୁ ସମସ୍ତ ପ୍ରାଇମେରୀ ସ୍କୁଲରେ ଖୋଲୁଛି ‘ଶିଶୁବାଟିକା’ । ଶିଶୁ ବାଟିକା ହେବା ଦ୍ଵାରା ରାଜ୍ୟରେ ଡ୍ରପ୍ ଆଉଟ ସଂଖ୍ୟା କମିବ । ସରକାରଙ୍କ ଏହା ଏକ ଉତ୍ତମ ପଦକ୍ଷେପ ବୋଲି ଅଭିଭାବକ ମାନେ କହିଛନ୍ତି ।
ଜାତୀୟ ଶିକ୍ଷା ନୀତି ଗୁଣାତ୍ମକ, ସର୍ବବ୍ୟାପୀ, ସର୍ବସ୍ପର୍ଶୀ, ଉତ୍ତରଦାୟୀ ଭଳି ୫ଟି ସ୍ତମ୍ଭ ଉପରେ ପ୍ରସ୍ତୁତ ହୋଇଛି । ଓଡ଼ିଶାର ସାହିତ୍ୟ, ସଂସ୍କୃତି ଓ ଇତିହାସ ସହ ପିଲାମାନେ ଯୋଡି ହେବାର ସୁଯୋଗ ମିଳିବ । ଏନସିଇଆରଟି ମଧ୍ୟ ବେଶ ପ୍ରସ୍ତୁତ ଅଛି। ବିଭିନ୍ନ ଭାଷାରେ ପିଲାମାନଙ୍କ ପାଠ୍ୟପୁସ୍ତକ ଉପଲବ୍ଧ ହେବା ସହ ପାଠ୍ୟକ୍ରମକୁ ସଜାଡିବାରେ ଏହା ସହାୟକ ହେବ। ଓଡ଼ିଆ ଭାଷା ଅର୍ଥାତ ମାତୃଭାଷାରେ ପିଲାଙ୍କ ପାଠପଢା ସହ ଆଞ୍ଚଳିକ ଭାଷାକୁ ଗୁରୁତ୍ବ ଦିଆଯିବ ।
