Sisir Saras / ଜମୁଛି 'ଶିଶିର ସରସ', ଭଳିକି ଭଳି ଖାଦ୍ୟ ପସରାରେ ଜମୁଛି ଭିଡ଼

Key Points
ବର୍ଷକର ବିରତି ପରେ ଜମୁଛି ଶିଶିର ସରସ। ପ୍ରଦର୍ଶନୀ ପଡ଼ିଆରେ ଲାଗୁଛି ଲୋକଙ୍କ ଭିଡ଼। ଶୀତୁଆ ସନ୍ଧ୍ୟାରେ ନୃତ୍ୟ ଓ ସଙ୍ଗୀତର ତାଳେ ତାଳେ ମତୁଆଲା ହେଉଛନ୍ତି ରାଜଧାନୀବାସୀ । ନଥିଲା ୱିକ ଏଣ୍ଡ ବା ଛୁଟି ଦିନ । ତଥାପି ପ୍ରଦର୍ଶନୀର ପଡ଼ିଆରେ ଚାଲିଥିବା ଶିଶିର ସରସରେ ନାହିଁ ନଥିବା ଭିଡ ।
ମନକୁ ପାଇଲା ଭଳି ଜିନିଷ ପାଇଁ ଛୋଟଠୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସବୁ ବର୍ଗର ଲୋକେ ଗୋଟିଏ ସ୍ଥାନରେ ଏକାଠି ହୋଇଥିଲେ । ରାଜ୍ୟ ତଥା ରାଜ୍ୟ ବାହାର ଓ ଜଙ୍ଗଲଜାତ ଦ୍ରବ୍ୟ କିଣିବା ପାଇଁ ଲାଗିଥିଲା ଭିଡ଼ । ଶୀତୁଆ ସନ୍ଧ୍ୟାରେ କିଏ ବୁଲାବୁଲି କରି ସାମଗ୍ରୀ କିଣୁଥିଲେ ତ କିଏ ଭଳିକି ଭଳି ଖାଦ୍ୟର ଆନନ୍ଦ ନେଉଥିଲେ । ପୁଣି ଆଉ କିଏ ‘ଆଇ ଲଭ୍ ଶିଶିର ସରସ’ ଆଗରେ ସେଲ୍ଫି ଉଠାଇବାକୁ ଧାଡ଼ିରେ ଅପେକ୍ଷା କରି ରହିଥିଲେ । ମଲ୍, ବଜାର ଭିତରେ ଯେତେ ଜିନିଷ ମିଳିଲେ ବି ମେଳାରୁ କିଣିବାର ଆନନ୍ଦ କିଛି ଭିନ୍ନ ।
ଶିଶିର ସରସରେ ସବୁଠାରୁ ଅଧିକ ବିକ୍ରି ହେଉଥିବା ସମାଗ୍ରୀ ମଧ୍ୟରେ ରହିଛି ଜଙ୍ଗଲଜାତ ଦ୍ରବ୍ୟ। ଖାଲି ସେତିକି ନୁହେଁ ମହିଳା ଗ୍ରାହକଙ୍କ ଆଦର ସାଉଁଟିଛି ହ୍ୟାଣ୍ଡଲୁମ ସାମଗ୍ରୀ ସହ ପାରମ୍ପରିକ ଗହଣା ଓ ଘର ସଜା ସାମଗ୍ରୀ । ଓରମାସ ଏବଂ ସୁଭଦ୍ରା ଶକ୍ତିର ମିଳିତ ଉଦ୍ୟମରେ ଆୟୋଜିତ ‘ଶିଶିର ସରସ ୨୦୨୬’ରେ ମୋଟ ୩୪୦ଟି ଷ୍ଟଲ ସ୍ଥାନ ପାଇଥିବା ବେଳେ ମେଳାର ପ୍ରଥମ ତିନି ଦିନରେ ବିକ୍ରୟ ରାଶି ୩.୬ କୋଟି ଟଙ୍କା ପାର ହୋଇଥିବା ବେଳେ ମଙ୍ଗଳବାର ଦିନ ପାଖାପାଖି 95,26,700 ଟଙ୍କା ବ୍ୟବସାୟ ହୋଇଛି।
ଏହି ମେଳା ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ଚାଲିବା ସହ ଆଜି ରାଜଧାନୀରେ ଜମିବ ମକର ମାହୋଲ । ‘ମିନି ଇଣ୍ଡିଆ ଫେୟାର’ ଭାବେ ପରିଚିତ ଏହି ମେଳାରେ କେବଳ ଓଡ଼ିଆ ସଂସ୍କୃତି ନୁହେଁ, ଦେଶର ବିଭିନ୍ନ ଅଞ୍ଚଳର ସାଂସ୍କୃତିକ ପରମ୍ପରାକୁ ମଧ୍ୟ ଆପଣାଇବାର ପ୍ରୟାସ କରାଯାଉଛି।
📱 Get Argus News App
✨Related Topics
Explore more stories