Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ପ୍ରବଳ ତାତିରୁ ସାମନ୍ୟ ଆଶ୍ୱସ୍ତି, କାଳବୈଶାଖୀରେ କୁଆ ପଥର ମାଡ଼-ଭାଙ୍ଗିଲା ଆଜବେଷ୍ଟ

Odisha

ପ୍ରବଳ ତାତିରୁ ସାମନ୍ୟ ଆଶ୍ୱସ୍ତି, କାଳବୈଶାଖୀରେ କୁଆ ପଥର ମାଡ଼-ଭାଙ୍ଗିଲା ଆଜବେଷ୍ଟ

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ପ୍ରବଳ ତାତିରୁ ସାମନ୍ୟ ଆଶ୍ୱସ୍ତି, କାଳବୈଶାଖୀରେ କୁଆ ପଥର ମାଡ଼-ଭାଙ୍ଗିଲା ଆଜବେଷ୍ଟ

ଆରମ୍ଭ ହେଲା କାଳବୈଶାଖୀର ତାଣ୍ଡବ । ନିର୍ଧୁମ କାଚିଲା । ଜୋରଦାର ପବନ ବହିଲା । ଗଛ ଡାଳ ବି ଭାଙ୍ଗିଲା । କୁଆ ପଥର ମାଡ଼ ହେଲା । ଆଜବେଷ୍ଟ ଭାଙ୍ଗିଲା । ଗାଈ ଗୋରୁ ବି ମଲେ । ମୟୂରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକରେ ଏଭଳି ତାଣ୍ଡବ ରଚିଛି କାଳବୈଶାଖୀ । ଖଡ଼ମବେଡା, ଦେଓପଟା, ମୂଷାମାରି, ପୁଣ୍ଡିଦା, ସାରସପଦା ଗାଁରେ ବ୍ୟାପକ କ୍ଷୟକ୍ଷତି ଘଟିଛି । କୁଆପଥର ମାଡ଼ରେ ଅନେକ ଘରର ଆଜବେଷ୍ଟ, ଟାଇଲ ଛପର ଭାଙ୍ଗି ଯାଇଛି । ଅନେକ ଗୃହପାଳିତ ପଶୁଙ୍କ ମୃତ୍ୟୁ ହୋଇଥିବାବେଳେ କିଛି ଲୋକ ଆହତ ହୋଇ ବିଶୋଇ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି । କୁଆପଥର ମାଡରେ କିଛି ଗାଡ଼ି ମୋଟରର କାଚ ମଧ୍ୟ ଭାଙ୍ଗି ଚୂରମାର୍ ହୋଇଯାଇଥିବା ଦେଖାଯାଇଛି।

ଅନ୍ୟପଟେ ପ୍ରବଳ ଗ୍ରୀଷ୍ମପ୍ରବାହରୁ ଏଭଳି କାଳବୈଶାଖି ସାମାନ୍ୟ ଆଶ୍ଵସ୍ତି ଦେଇଛି । କାଳବୈଶାଖି ପାଇଁ ତାତି ଖସିଥିବା ବେଳେ ଆଗକୁ ତାପମାତ୍ରା ଆହୁରି ହ୍ରାସ ପାଇବା ସମ୍ଭାବନା ରହିଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ ଅନୁସାରେ, ଆଗାମୀ ୩ ଦିନରେ ତାପମାତ୍ରା ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବାର ସମ୍ଭାବନା ରହିଛି । ସେହିଭଳି ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ଖସିବ ବୋଲି ମଧ୍ୟ ଆକଳନ କରାଯାଇଛି ।

ରାଜ୍ୟରେ ୨୪ ତାରିଖ ପର୍ଯ୍ୟନ୍ତ ରହିବ କାଳବୈଶାଖି ପ୍ରଭାବ । ଏନେଇ ବିଭିନ୍ନ ଜିଲ୍ଲାକୁ ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ଉତ୍ତର ଓଡ଼ିଶା ସହ ପଶ୍ଚିମ ଓ ଆଭ୍ୟନ୍ତରୀଣ ଏବଂ ଉପକୂଳରେ କାଳବୈଶାଖି ବର୍ଷା ସମ୍ଭାବନା ରହିଛି । ବାଲେଶ୍ଵର, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ, ଦେବଗଡ଼, ଯାଜପୁର, ବରଗଡ଼, ଦେବଗଡ଼ ଓ କଟକ ଜିଲ୍ଲାକୁ ଆଲର୍ଟ କରାଯାଇଛି ।

କାଳବୈଶାଖି ସମୟରେ ପାଗ ଓ ବଜ୍ରପାତକୁ ଦେଖି ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ । କାଳବୈଶାଖି ସମୟରେ ଘଣ୍ଟାପ୍ରତି ପବନର ବେଗ ୩୫ରୁ ୪୫ କିଲୋମିଟର ଏବଂ ଘଣ୍ଟାପ୍ରତି ୫୫ କିଲୋମିଟର ବେଗରେ ଝଟ୍‌କା ପବନ ବାଲେଶ୍ଵର, ଭଦ୍ରକ ଉପକୂଳରେ ବହିପାରେ । ତେଣୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ପ୍ରବେଶ ବାରଣ କରାଯାଇଛି ।

ଆଜି କାଳବୈଶାଖି ନେଇ ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ ଓ ଦେବଗଡ଼କୁ ଅରେଞ୍ଜ ଆଲର୍ଟ ରହିଛି । ସେହିଭଳି ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ୭ରୁ ୧୧ ସେଣ୍ଟିମିଟର ବର୍ଷା ସହ ବଜ୍ରପାତ ହୋଇପାରେ ।

୨୨ ତାରିଖରେ କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ, ବାଲେଶ୍ଵର, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, କଟକ, ଢେଙ୍କାନାଳ, ଅନୁଗୁଳ ଓ ଦେବଗଡ଼କୁ କାଳବୈଶାଖି ନେଇ ଅରେଞ୍ଜ ଆଲର୍ଟ ରହିଛି । ମୟୂରଭଞ୍ଜ. କେନ୍ଦୁଝର, ବାଲେଶ୍ଵର ଓ ଭଦ୍ରକରେ ୭ରୁ ୧୧ ସେଣ୍ଟିମିଟର ବର୍ଷା ସହ ବଜ୍ରପାତ ହୋଇପାରେ । ୨୩ ଓ ୨୪ରେ କାଳବୈଶାଖି ବର୍ଷା ନେଇ ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Slight relief from intense heat, Due to Kalbaisakhi hits | Argus News