''ଜାଣି ନାହିଁ ଧର୍ମ, ମୁଁ ଯେ ଭାରତୀୟ... ବୁଝେନି ଠାକୁର, ମୋ ପାଇଁ ତ୍ରିରଙ୍ଗା ଇଶ୍ବର"

Key Points
"ଅଛି ପରିବାର, ଗଢିଛି ସଂସାର
ସବୁ ସମର୍ପିତ, ଦେଶ ଆଗ ମୋର''
ଦେଶ ଆଗ, ପଛରେ ପରିବାର । ଯୁଦ୍ଧ ଡାକରା ପାଇ ଡାକ୍ତରଖାନାରେ ଗୁରୁତର ଅବସ୍ଥାରେ ପଡ଼ିଥିବା ପ୍ରସୂତି ସ୍ତ୍ରୀଙ୍କୁ ଛାଡ଼ି ସୀମାକୁ ଯାଉଥିଲେ ଯବାନ । ରାସ୍ତାରେ ତାଙ୍କ ମୃତ୍ୟୁ ଖବର ପାଇଲେ । ଝାରସୁଗୁଡ଼ା ଲଖନପୁରର SSB ଯବାନ ଦେବରାଜ । ମାଟି ମାଆ ପାଇଁ ଶେଷ ସମୟରେ ଦେଇପାରିଲେନି ଜୀବନ ସାଥୀଙ୍କ ସାଥ୍ ।
ଜଣେ ଯବାନ ପାଇଁ ଦେଶ ହେଉଛି ସର୍ବ ପ୍ରଥମ । ସେ ଅର୍ଦ୍ଧାଙ୍ଗିନୀ ହେଉ କିମ୍ବା ପରିବାର, ଦେଶ ସୁରକ୍ଷା ପାଇଁ ଯେବେ ବି ଡାକରା ଆସେ ସେ ସବୁକୁ ପଛରେ ପକାଇ ନିଜ ଦେଶ ମାତୃକାର ସୁରକ୍ଷା ପାଇଁ ବାହାରିପଡ଼େ ଯବାନ । ପହଲଗାମରେ ଆତଙ୍କୀ ଆକ୍ରମଣ ପରେ ଆତଙ୍କୀଙ୍କୁ ନିପାତ କରିବାକୁ ପୁରା ଦେଶ କ୍ରୋଧର ନିଆଁରେ ଜଳୁଥିଲା । ଆଉ ବଦଲା ନେବା ପାଇଁ ଭାରତ ଆରମ୍ଭ କରିଥିଲା ଅପରେସନ 'ସିନ୍ଦୂର' । ସେଥିପାଇଁ ଯିଏ ବି ଛୁଟିରେ ଥିଲା ତୁରନ୍ତ ଦେଶର ସୁରକ୍ଷା ନିମନ୍ତେ ଡାକରା ପଠାଯାଇଥିଲା । ଆଉ ଝାରସୁଗୁଡ଼ା ଲଖନପୁରର ଟେଙ୍ଗେନାମାଲ ଗାଁର ଏସ୍ଏସ୍ବି ଯବାନ ଦେବରାଜ ଗଣ୍ଡ ମଧ୍ୟ ଡାକରା ଆସିବା କ୍ଷଣି ସୀମାକୁ ବାହାରିପଡ଼ିଥିଲେ ।
ବୁର୍ଲା ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ନିଜ ସ୍ତ୍ରୀ ଏବଂ ୧୩ ଦିନର ନବ ଜାତ ଝିଅକୁ ପରିବାର ଲୋକଙ୍କ କୋଳରେ ଛାଡି କର୍ମକ୍ଷେତ୍ରକୁ ବାହାରିଥିଲେ । ଦେଶ ଆଗ କହି ଦେବରାଜ ସିନା ସୀମାକୁ ବାହାରିଥିଲେ, ହେଲେ ଗତକାଲି ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ହଠାତ ତାଙ୍କ ସ୍ତ୍ରୀ ଆଖି ବୁଜିଛନ୍ତି । ଯାହାପରେ ପୁରା ଅଞ୍ଚଳରେ ଶୋକର ଛାୟା । କାନ୍ଦ ବୋବାଳିରେ ଫାଟି ପଡ଼ୁଛି ପରିବେଶ । ପରିବାର ଲୋକଙ୍କ ଆଖିରୁ ଲୁହ ଶୁଖୁନଥିବା ବେଳେ ଆଜି ସକାଳେ ଗାଁରେ ପହଞ୍ଚିଛି ଦେବରାଜଙ୍କ ସ୍ତ୍ରୀ ଲିପିଙ୍କର ମର ଶରୀର ।
ଲିପିଙ୍କର ପ୍ରସବ ହେବାକୁ ଥିବାରୁ ଗତ ଏପ୍ରିଲ ୧୮ ତାରିଖରେ ଛୁଟି ନେଇ ଘରକୁ ଆସିଥିଲେ ଦେବରାଜ । ଏହାପରେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ ଲିପି । କିନ୍ତୁ ପ୍ରସବ ପରେ ଲିପିଙ୍କର ଅବସ୍ଥା ଅତି ଗୁରୁତର ହେବାରୁ ବୁର୍ଲା ବଡ଼ ଡାକ୍ତରଖାନାକୁ ତାଙ୍କୁ ସ୍ଥାନାନ୍ତର କରାଯାଇଥିଲା । ତେବେ ଏହାରି ଭିତରେ କାର୍ଯ୍ୟରତ ବାଟାଲିଅନ୍ରୁ ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ ଦେବରାଜଙ୍କୁ ଡାକରା ଆସିଥିଲା । ମାତ୍ର ସ୍ତ୍ରୀ ଲିପିଙ୍କ ମୃତ୍ୟୁ ଖବର ମିଳିବା ପରେ ଏବେ ଅଧାବାଟରୁ ଗାଁକୁ ପୁଣି ଫେରୁଛନ୍ତି ଦେବରାଜ । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହଯୋଗରେ ଦେବରାଜ ଅରୁଣାଚଳ ପ୍ରଦେଶରୁ ଝାରସୁଗୁଡାକୁ ବିମାନ ଯୋଗେ ଆସୁଛନ୍ତି । ଆଉ ଗାଁରେ ପହଂଚିବାପରେ ସ୍ତ୍ରୀ ଲିପିଙ୍କର କରାଯିବ ଅନ୍ତିମ ସତ୍କାର ।
ଦେଶ ପାଇଁ ଯବାନ ବଳୀଦାନ ଦେଇଥାଏ । କର୍ତ୍ତବ୍ୟ ହିଁ ତା ପାଇଁ ଭଗବାନ ହୋଇଥାଏ । ସେହି କର୍ତ୍ତବ୍ୟ କରିବାକୁ ଯାଇ ସ୍ତ୍ରୀଙ୍କ ଶେଷ ସମୟରେ ଉପସ୍ଥିତ ରହିପାରି ନାହନ୍ତି । ଏବେ ପାଖରେ କେବଳ ତାଙ୍କ ସ୍ତ୍ରୀଙ୍କ ସନ୍ତକ ସ୍ବରୂପ କଅଁଳା ଶିଶୁ କନ୍ୟାଟି ।