Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମହାଶିବରାତ୍ରି ପାଳନ କରାଯିବାର କିଛି ପୌରାଣିକ ତଥ୍ୟ

Ritu Das
Browse all articles by Ritu Das
·1 year ago·3 min read
ମହାଶିବରାତ୍ରି ପାଳନ କରାଯିବାର କିଛି ପୌରାଣିକ ତଥ୍ୟ

ମହାଶିବରାତ୍ରି ଏକ ହିନ୍ଦୁ ପର୍ବ । ଏହି ଦିନ ଶିବଙ୍କ ପୂଜା କରଯାଏ । ଏହା ଫାଲ୍‌ଗୁନମାସ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ଦିନ ପାଳନ କରାଯାଏ। ମୁନି ସନତ କୁମାରଙ୍କ ମତରେ ଶିବଙ୍କୁ ପ୍ରସନ୍ନ କରିବାର ଦଶଗୋଟି ବ୍ରତ ଅଛି । ସେ ମଧ୍ୟରୁ ଶିବରାତ୍ରି ବ୍ରତ ସର୍ବଶ୍ରେଷ୍ଠ ଓ ସର୍ବକାମପ୍ରଦ ଅଟେ । ଜାବାଳି ଶ୍ରୁତି ଅନୁସାରେ ଦଶ ଶୈବ ବ୍ରତ ମଧ୍ୟରେ ଏହି ଶିବରାତ୍ରି ବ୍ରତ ଅତ୍ୟନ୍ତ ସିଦ୍ଧିଦାୟକ । କେତେକ ଶ୍ରୁତି ଅନୁସାରେ ପୁଣ୍ୟ ମାସ ମାଘ ମାସର 'ମାଘସ୍ନାନ' ବ୍ରତ ମଧ୍ୟରେ କୃଷ୍ଣ ଚତୁର୍ଦ୍ଦଶୀ ତିଥିକୁ ଏକ ଶିବରାତ୍ରି ବ୍ରତ ପାଳନ କରାଯାଏ ବୋଲି ବର୍ଣ୍ଣନା ଥିଲେ ମଧ୍ୟ ଫାଲଗୁନ ମାସ କୃଷ୍ଣ ଚତୁର୍ଦ୍ଦଶୀ ତିଥିରେ ପାଳନ କରାଯାଉଥିବା ଶିବରାତ୍ରି ବ୍ରତକୁ ସର୍ବଶ୍ରେଷ୍ଠ ଭାବେ ଗ୍ରହଣ କରାଯାଏ। ଭାରତର ବିଭିନ୍ନ ସ୍ଥାନରେ ଥିବା ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ କ୍ଷେତ୍ରରେ ଏହି ପର୍ବ ବେଶ୍‌ ଭକ୍ତି ଓ ଉଲ୍ଲାସର ସହ ପାଳିତ ହୋଇଥାଏ ।


ଦେବଦେବ ମହାଦେବଙ୍କଦ୍ୱାରା ଏଇ ଦିନ ସଂସାର ପ୍ରକଟ ହୋଇଥିଲା ବୋଲି ଲୋକେ ବିଶ୍ୱାସ କରିଥାନ୍ତି । ପୁରାଣର ଅନ୍ୟଏକ ଆଖ୍ୟାନ ଅନୁସାରେ, ଦେବ ଓ ଅସୁରମାନଙ୍କଦ୍ୱାରା ସମୁଦ୍ର ମନ୍ଥନ ସମୟରେ ସେଥିରୁ ବାହାରିଥିବା ସମସ୍ତ ବିଷକୁ ଶିବ ପାନକରି ଧରାକୁ ଏକ ଆସନ୍ନ ବିପଦରୁ ଉଦ୍ଧାର କରିଥିଲେ । ଏହି ବିଷକୁ ପାନ କରିବା ପରେ ବିଷର ଜ୍ୱାଳାରେ ସେ ମୂର୍ଚ୍ଛା ହୋଇଯାଇଥିଲେ । ତାଙ୍କର ସଂଜ୍ଞା ନ ଫେରିବା ପର୍ଯ୍ୟନ୍ତ ଦେବଗଣ ଓ ଶୈବବୃନ୍ଦ ଅଖଣ୍ଡ ପ୍ରଦୀପ ଜାଳି ଉଜାଗରରେ ବସିଥିଲେ । ସେହିଦିନକୁ ମନେପକାଇ ଶ୍ରଦ୍ଧାଳୁମାନେ ମହାଶିବରାତ୍ରି ପାଳନ କରିଥାନ୍ତି । ଫାଲଗୁନ କୃଷ୍ଣ ଚତୁର୍ଦ୍ଦଶୀ ଦିନ ଶିବ ଲିଙ୍ଗ ଭାବରେ ଆବିର୍ଭୂତ ହୋଇଥିବାରୁ ପ୍ରତିବର୍ଷ ଏହି ଦିନକୁ ମହାଶିବରାତ୍ରି ଭାବରେ ପାଳନ କରାଯାଏ ।


ଶିବରାତ୍ରିର ମହିମା ସମ୍ପର୍କରେ ମହାଭାରତର ଶାନ୍ତିପର୍ବରେ କଥିତ ଅଛି ଯେ ପିତାମହ ଭୀଷ୍ମ ଶରଶଯ୍ୟାରେ ଥାଇ ଧର୍ମୋପଦେଶ ଦେଲାବେଳେ ମହାଶିବରାତ୍ରି ପାଳନ ସମ୍ପର୍କରେ ଇକ୍ଷାକୁ ବଂଶର ରାଜା ଚିତ୍ରଭାନୁଙ୍କ କାହାଣୀ ଉଦ୍ଧାର କରିଥିଲେ । ଜମ୍ବୁଦ୍ୱୀପର ରାଜା ଚିତ୍ରଭାନୁଙ୍କ ସ୍ତ୍ରୀ ଥରେ ଶିବରାତ୍ରି ଉପବାସ ପାଳନ କରିଥିଲେ । ସେ ସମୟରେ ଋଷି ଅଷ୍ଟବକ୍ର ରାଜଦରବାରକୁ ଆସି ରାଜାଙ୍କୁ ଏହି ଦିବସ ପାଳନର କାରଣ ପଚାରିଥିଲେ । ରାଜା ଜାତିସ୍ମର ଥିବାରୁ ନିଜ ପୂର୍ବଜନ୍ମର କାହାଣୀ ବର୍ଣ୍ଣନା କଲେ: ପୂର୍ବଜନ୍ମରେ ସୁସ୍ୱର ନାମରେ ସେ ଜଣେ ଶିକାରୀ ଥିଲେ । ଦିନେ ବଣରେ ବୁଲୁବୁଲୁ ସନ୍ଧ୍ୟା ହେଲା । ନିଜ କୁଟୀରକୁ ଫେରି ନ ପାରି ରାତିରେ ହିଂସ୍ରଜନ୍ତୁଙ୍କ କବଳରୁ ରକ୍ଷାପାଇବା ପାଇଁ ସେ ନିକଟରେ ଥିବା ବେଲଗଛ ଉପରକୁ ଚଢ଼ିଗଲେ । ରାତିସାରା ବେଲପତ୍ର ଛିଡ଼ାଇ ତଳକୁ ପକାଇବା ସହ ନିଜ ପରିବାର କଥା ଭାବି ଲୁହ ଝରାଇବାକୁ ଲାଗିଲେ । ତାଙ୍କ ଅଜାଣତରେ ସେହି ଲୁହ ଓ ପତ୍ର ବିଲ୍ୱ ବୃକ୍ଷର ପାଦଦେଶରେ ଥିବା ଶିବଲିଙ୍ଗ ଉପରେ ପଡୁଥାଏ । ସକାଳ ହେବାରୁ ସେ ଶିକାର ଧରି ଘରକୁ ଫେରିଲେ । ପ୍ରଥମେ ଜଣେ ଭିକ୍ଷୁକଙ୍କୁ କିଛି ଖାଦ୍ୟ ଦାନକରି ନିଜେ ଖାଦ୍ୟଗ୍ରହଣ କଲେ । କିଛି ବର୍ଷ ପରେ ତାଙ୍କ ମୃତ୍ୟୁ ହେବାରୁ ସେ ଶୈବଲୋକ ପ୍ରାପ୍ତ ହେଲେ । ଅଜ୍ଞାତରେ, ସେ ଶିବରାତ୍ରି ଦିନ ଉପବାସ ରହି ଶିବଲିଙ୍ଗ ଉପରେ ବେଲପତ୍ର ଓ ଲୋତକ ସମର୍ପଣ କରିଥିବାରୁ ସେ ଶିବଙ୍କ ପାଖରେ ରହିବାର ସୁଯୋଗ ଲାଭ କରି ପରଜନ୍ମରେ ଚିତ୍ରଭାନୁ ରୂପରେ ରାଜଗାଦି ଭୋଗ କଲେ । ଏଭଳି ମହାଦେବଙ୍କୁ ନେଇ ବହୁ ପୌରାଣିକ ଉପାଖ୍ୟାନ ରହିଛି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଶିବଙ୍କ ପୂଜା ଉପାସନା ନିମନ୍ତେ ସୋମବାର, ପ୍ରତ୍ୟେକ ପକ୍ଷର ଚତୁର୍ଦ୍ଦଶୀ ତିଥି ଓ ଶିବରାତ୍ରି ସର୍ବୋତ୍କୃଷ୍ଟ । ଅନ୍ୟ ଦେବତାଙ୍କ ପୂଜା ଦିନରେ ହେଉଥିବାବେଳେ ଏହି ପର୍ବରେ ଭଗବାନ ଶିବଙ୍କର ପୂଜା ରାତିରେ ହେଇଥାଏ।ବ୍ରତାଚାରୀମାନେ ଉକ୍ତ ଦିନରେ ଉପବାସ ରହନ୍ତି ଓ ସନ୍ଧ୍ୟାରେ ଶିବ ମନ୍ଦିର ଯାଇ ଅଖଣ୍ଡ ଦୀପ ଜାଳି ଉଜାଗର ରହନ୍ତି । ସେହି ରାତ୍ରିର ଚାରିପ୍ରହରରେ ଦୀପ ଜାଳିବା ସହିତ ଶିବଙ୍କର ପୂଜା ସହିତ ନାମ ଜପ କରାଯିବାର ବିଧି ରହିଛି । ଗୁରୁଦତ୍ତ ନାମ ଜପର ବିଧି ରହିଛି ଯିଏ ଗୁରୁ କରିନଥିବ ସେ ଶିବଙ୍କର ଅଷ୍ଟନାମ ଯଥା- ଭବ, ଶର୍ବ, ରୁଦ୍ର, ପଶୁପତି, ଉଗ୍ର, ମହାନ ଭୀମ, ଈଶାନ ମଧ୍ୟରୁ ଯେକୌଣସି ନାମ କିମ୍ବା ' ଓଁ ନମଃ ଶିବାୟ' ପଞ୍ଚାକ୍ଷର ମନ୍ତ୍ର ଜପ କରିପାରିବ । 


ଶିବରାତ୍ରିକୁ ଚାରୋଟି ପ୍ରହରରେ ସମ୍ପନ୍ନ କରାଯାଏ । ପ୍ରତ୍ୟେକ ପ୍ରହରର ସମୟ ତିନି ଘଟିକା । ପ୍ରଥମ ପ୍ରହର ବା ସନ୍ଧ୍ୟା ସମୟରେ ଶିବଲିଙ୍ଗକୁ ଦୁଗ୍ଧରେ ଅଭିଷେକ କରାଯାଏ । ଦ୍ୱିତୀୟ ପ୍ରହର ବା ସନ୍ଧ୍ୟାର ପରବର୍ତ୍ତୀ ସମୟରେ ଲିଙ୍ଗକୁ ଦହିରେ ଅଭିଷେକ କରାଯାଏ । ତୃତୀୟ ପ୍ରହର ବା ଘୋର ରାତ୍ର ସମୟରେ ଶିବଲିଙ୍ଗକୁ ମହୁରେ ଅଭିଷେକ କରାଯାଏ । ରାତ୍ରର ଶେଷ ପ୍ରହର ସମୟରେ ଶିବ ମନ୍ଦିରର ଚୁଡ଼ାଦେଶକୁ ମହାଦୀପ ଉଠାଯାଏ । ସାରା ସଂସାରରୁ ଅଜ୍ଞାନରୂପକ ଅନ୍ଧକାରକୁ ଦୂରକରି ଆଲୋକ ପ୍ରଦାନ କରିବା ହେଉଛି ମହାଦୀପ ଉଠାଣର ଉଦ୍ଦେଶ୍ୟ । ରାତ୍ରର ପ୍ରତ୍ୟେକ ପ୍ରହରରେ ଶିବଲିଙ୍ଗକୁ ପୁଷ୍ପ, ପତ୍ର ଓ ଫଳ ଆଦି ପ୍ରଦାନ କରାଯାଇ ଉପାସନା କରାଯାଏ। ଏହିଦିନ ଭଗବାନ ଶିବଙ୍କ ଉପରେ କେତକୀଫୁଲ ଚଢ଼ାଯିବାର ବିଧି ରହିଛି ।


ସମଗ୍ର ଓଡ଼ିଶାର ଶୈବପୀଠ, ବିଶେଷ କରି ଆଖଣ୍ଡଳମଣି ମନ୍ଦିର,ଆରଡ଼ି, କପିଳାସ ଶିବ ମନ୍ଦିର, କପିଳାସ, ଗୁପ୍ତେଶ୍ୱର ଗୁମ୍ଫା,ଗୁପ୍ତେଶ୍ୱର, ବେଦବ୍ୟାସ, ଲିଙ୍ଗରାଜ ମନ୍ଦିର,ଭୁବନେଶ୍ୱର,ଲୋକନାଥ ମନ୍ଦିର,ପୁରୀ, ମହେନ୍ଦ୍ରଗିରି, ହରିଶଙ୍କର ମନ୍ଦିର, ହରିଶଙ୍କର, ବିମଳେଶ୍ୱର ଦେଉଳ, ହୁମା, ଧବଳେଶ୍ୱର ମନ୍ଦିର,କଟକ-ଆଠଗଡରେ ଏହି ଦିନ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଏକତ୍ରିତ ହୋଇ ଏହା ପାଳନ କରିଥାନ୍ତି।

Sponsored
Some mythological facts about the celebration of Mahashivaratri | Argus News