ଅଭିଶପ୍ତ ଗାଁ ! ସହରଠାରୁ ପାଖରେ ହେଲେ ସମସ୍ତଙ୍କ ଆଢ଼ୁଆଳରେ...

ସହର ଠାରୁ ପାଖରେ କିନ୍ତୁ ବିକାଶ ଠାରୁ ବହୁ ଦୂରରେ ଅଭିଶପ୍ତ ଗାଁ ସୋନୁବାଡ଼ି। ଅଭିଶପ୍ତ ଗାଆଁରେ ଅଭିଶପ୍ତ ଜୀବନ ବିତାଉଛନ୍ତି ନିରୀହ ଆଦିବାସୀ। ନା ଚାଲିବାକୁ ଅଛି ପକ୍କା ରାସ୍ତା ନା ପିଇବାକୁ ଅଛି ବିଶୁଦ୍ଧ ପାଣି । ଦୁନିଆ ଦେଖିବାକୁ ଆହୁରି ଅନେକ ବାଟ ରହିଛି । ଯୁଗ ଯୁଗ ଧରି ଅଭିଶପ୍ତ ଜୀବନ କାଟୁଛନ୍ତି ନିରୀହ ସନୁବାଡ଼ି ଗାଁର ୨୫ରୁ ଉର୍ଦ୍ଧ୍ବ ଆଦିବାସୀ ପରିବାର ।
ବାଲିଗୁଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସୁଡ୍ରା ପଂଚାୟତର ଅଭିଶପ୍ତ ଗାଁ ସୋନୁବାଡ଼ି। ଗାଁକୁ ଯିବାକୁ ହେଲେ ସୁଡ୍ରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରଠାରୁ ପାଖାପାଖି ୪ କିଲୋମିଟର ପଥୁରିଆ ଖାଲ ଢିପ ଜଙ୍ଗଲି ମାଟି ରାସ୍ତା ଦେଇ ବିପଦଶଙ୍କୁଳ ଭାବେ ଯିବାକୁ ପଡ଼େ। ଗାଁରେ ଜରୁରୀ ସେବା ସାତ ସପନ। ଜରୁରୀକାଳିନ ପରିସ୍ଥିତିରେ ପହଞ୍ଚି ପାରୁନାହିଁ ଆମ୍ବୁଲାନ୍ସ ସେବା। ଯଦି କେବେ ଆମ୍ବୁଲାନ୍ସ ଗାଡ଼ି ଆସେ ତାହେଲେ ପଂଚାୟତ କାର୍ଯ୍ୟାଳୟ ନିକଟରେ ରୁହେ।
ଆଦିବାସୀ ପରିବାର ପାଇଁ ବିଶୁଦ୍ଧ ପାନୀୟ ଜଳ ବି ସାତ ସପନ। ଗାଁରେ ନଳକୂପ ଅଛି କିନ୍ତୁ ଏହାର ପାଣି ବ୍ୟବହାର ଉପଯୋଗୀ ନୁହେଁ। ଗାଁ ମୁଣ୍ଡରେ ଥିବା ନାଳ ଓ ଚୁଆରୁ ପାନୀୟ ଜଳ ସଂଗ୍ରହ କରୁଛନ୍ତି ନିରୀହ ଆଦିବାସୀ। ସେପୁଣି ବିପଦ ସଙ୍କୁଳ ଅବସ୍ଥାରେ ତାହା ପୁଣି ନିଜ ଜୀବନକୁ ବାଜିରେ ଲଗାଇ ବିପଦପୁର୍ଣ୍ଣ ଅବସ୍ଥାରେ ମହିଳାମାନେ ପାଣି ସଂଗ୍ରହ କରନ୍ତି।
ଯଦି ସୂର୍ଯ୍ୟାଲୋକରେ ଏତେ ସମସ୍ୟା ରାତି କଥା ନ କହିବା ଭଲ ହେବ। ଦୁର୍ଗମର ଏହି ଅଭିଶପ୍ତ ଗାଁରେ କେମିତି କଟେ ରାତି ତାହା ପରଖିବା ପାଇଁ ସଧ୍ୟା ପରେ ଗାଁରେ ପହଞ୍ଚିଥିଲା ଅର୍ଗସ ଟିମ । ଆଉ ଗ୍ରାଉଣ୍ଡରେ ଅନୁଭବ କରିଥିଲା ଗ୍ରାମବାସୀଙ୍କ ସମସ୍ୟା।
ସଞ୍ଜ ନଇଁଲେ ପୁରା ଗାଁରେ ଭରିଯଏ ଅନ୍ଧାକାର। ସେହି ଅନ୍ଧାର ଭିତରେ ପାଦଚଲା ରାସ୍ତା ଦେଇ ସୋନୁବାଡ଼ିରେ ପହଞ୍ଚିଥିଲା ଆମ ଟିମ। ଗାଁରେ କିଏ ଡିବିରି ଜାଳି ଘର କାମ କରୁଥିଲା ତ କିଏ ଚୁଲି ନିଆଁରେ ରୋଷେଇ କରୁଥିଲା। ମାତ୍ର ଖୁସିର କଥା ଏଇ ଅନ୍ଧାରୀ ରାଇଜରେ ବି ନିଜ ଖୁସିର ବାଟ ନିଜେ ଖୋଜୁଛନ୍ତି ଅଞ୍ଚଳବାସୀ। ଅନ୍ଧାର ଓ ଯନ୍ତୁଙ୍କ ଭୟ ସତ୍ତ୍ବେ ନିଜ ଭିତରେ ଖୁସି ମଜା କରି ବିତାଉଛନ୍ତି ଜୀବନ। ବୋଧେ ସେମାନେ ବୁଝି ଯାଇଛନ୍ତି ଏଇ ଅନ୍ଧାର ତାଙ୍କ ଭାଗ୍ୟରେ ଲେଖା।
ନିଜ ପିଲାଙ୍କ ଉଜ୍ଜ୍ବଳ ଭବିଷ୍ୟତ କଥା ଚିନ୍ତା କରି ପରିଣତ ବୟସରେ ପାଦଦେଇଛନ୍ତି ବୃଦ୍ଧ ବୃଦ୍ଧା । ତଥାପି ମିଳିନି ସରକାରୀ ସହାୟତା। ଆଗାମୀ ପିଢ଼ିର ଭବିଷ୍ୟତ କଥା ଭାବି ଘଞ୍ଚ ଜଙ୍ଗଲ ପାହାଡ ତଳେ ନିଶବ୍ଦ ଅନ୍ଧାରରେ ଖୋଜୁଛନ୍ତି ପିଲାଙ୍କ ଭବିଷ୍ୟତ। ଗାଁରେ ଏକ ପ୍ରାଥମିକ ବିଦ୍ୟାଳୟ ଥିଲା ମାତ୍ର ପରେ ବିଭିନ୍ନ ଆଳ ଦେଖାଇ ୨୦୧୭ ରେ ବିଦ୍ୟାଳୟକୁ ବନ୍ଦ କରାଗଲା । ସେବେଠାରୁ ଗାଁର ଅଧିକାଶ ଶିଶୁଙ୍କ ପାଠପଢାରେ ଡୋରି ବନ୍ଧା ହୋଇଛି।
ସୋନୁବାଡ଼ିରେ ଆଜି ଯାଏ କୌଣସି ପ୍ରଶାସନିକ ଅଧିକାରୀ କି ବିଧାୟକ ଏମିତିକି ପଞ୍ଚାୟତ ଅଧିକାରୀଙ୍କ ପାଦ ପଡିନି ।
