କାନ୍ଦବୋବାଳିରେ ଫାଟି ପଡ଼ୁଛି ସୌମ୍ୟାଶ୍ରୀଙ୍କ ଗାଁ, ସଭିଙ୍କ ଆଖିରୁ ଜରୁଛି ଲୁହ...

Key Points
ବହୁ ପ୍ରତିଭାର ଅଧିକାରୀ ଥିଲେ ସୌମ୍ୟାଶ୍ରୀ।
ତାଙ୍କ ଶବ ବ୍ୟବଚ୍ଛେଦ ପରେ ଜନ୍ମମାଟିକୁ ନିଆଯାଇଥିଲା ପାର୍ଥୀବ ଶରୀର।
ପଞ୍ଚଭୂତରେ ବିଲୀନ ହେଲା ଏଫଏମ୍ ଛତ୍ରୀ ସୌମ୍ୟାଶ୍ରୀଙ୍କ ପାର୍ଥୀବ ଶରୀର । ମାଟିର ଝିଅକୁ ହରାଇ ପଳାସିଆଁ ଗ୍ରାମବାସୀ ଓ ପରିବାର ଶୋକରେ ଆତୁର । ପୀଡ଼ିତାଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୨୦ ଲକ୍ଷ ଟଙ୍କାର ସହାୟତା ଘୋଷଣା କରାଯାଇଛି । ଗ୍ରାମବାସୀ କହିଲେ- ଦୋଷୀଙ୍କୁ ଦଣ୍ଡ ମିଳିଲେ ଯାଇ ଦୂର ହେବ ମନରେ ଜଳୁଥିବା ବ୍ୟଥା ।
ମାଟିର ଝିଅ ସୌମ୍ୟାଶ୍ରୀ ବିଶିଙ୍କୁ ଲୁହ ଭିଜା ଆଖିରେ ଶେଷ ବିଦାୟ ଜଣାଇଛନ୍ତି ପଳାସିଆଁ ଗ୍ରାମବାସୀ ଓ ବନ୍ଧୁ ପରିଜନ ବର୍ଗ। ପଞ୍ଚଭୂତରେ ବିଲୀନ ହୋଇଛି ଏଫଏମ ପୀଡ଼ିତାଙ୍କ ପାର୍ଥିବ ଶରୀର। ଗାଁ ମଶାଣୀରେ ହୋଇଥିବା ଶେଷକୃତ୍ୟରେ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ, ବାଲେଶ୍ବର ସଦର ବିଧାୟକ ମାନସ ଦତ୍ତ, ରେମୁଣା ବିଧାୟକ ଗୋବିନ୍ଦ ଦାସ ଓ ଭୋଗରାଇ ବିଧାୟକ ଗୌତମ ବୁଦ୍ଧ ଦାସ ପ୍ରମୁଖ ସାମିଲ ହୋଇଥିଲେ।
କଲେଜ କର୍ତ୍ତୃପକ୍ଷଙ୍କଠାରୁ ନ୍ୟାୟ ଆଶାକରି ବିଫଳ ହେବା ପରେ ଯେଉଁଭଳି ଆତ୍ମାହୁତି ଦେଇ ଜୀବନ ହାରିଲେ ସୌମ୍ୟାଶ୍ରୀ ତାକୁ ନେଇ ଗ୍ରାମବାସୀ ଓ ପରିବାର ବର୍ଗଙ୍କ କ୍ଷୋଭ ସ୍ପଷ୍ଟ ବାରି ହୋଇପଡୁଥିଲା। ବହୁ ପ୍ରତିଭାର ଅଧିକାରୀ ଥିଲେ ସୌମ୍ୟାଶ୍ରୀ। ତେଣୁ ଏପରି ସର୍ବଗୁଣ ସମ୍ମନ୍ନା ଝିଅକୁ ହରାଇ ସମସ୍ତେ ମର୍ମାହତ। ଆଉ ତାଙ୍କ ମୃତ୍ୟୁ ପାଇଁ ଯେଉଁମାନେ ଦୋଷୀ ସେମାନଙ୍କ ବିରୋଧରେ କଠୋର ଦଣ୍ଡବିଧାନ ପାଇଁ ଦାବି କରିଛନ୍ତି ଗାଁ ଲୋକେ।
ସୋମବାର ରାତି ଗୋଟାଏ ବେଳକୁ ନିଜ ଏକ୍ସ ହାଣ୍ଡଲରେ ଏଫଏମ ପୀଡ଼ିତାଙ୍କ ଦେହାନ୍ତ ଖବର ସମ୍ପର୍କରେ ପ୍ରଥମେ ସୂଚନା ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ପରେ ପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ବି ଏକ୍ସରେ ପୋଷ୍ଟ କରି ଶୋକ ପ୍ରକାଶ କରିଥିଲେ। ସଙ୍ଗେସଙ୍ଗେ ଖବର ନିଆଁ ପରି ଚାରିଆଡ଼େ ବ୍ୟାପୀଯାଇଥିଲା । ଆଉ ଏମ୍ସ ପରିସରରେ ଜମିବାକୁ ଲାଗିଥିଲା ଭିଡ଼।
କଂଗ୍ରେସ ଓ ବିଜେଡି କର୍ମୀମାନେ ଧାରଣା ଓ ପ୍ରତିବାଦ କରିଥିଲେ। ଫଳରେ ପୀଡ଼ିତାଙ୍କ ମୃତଦେହ ପୋଷ୍ଟ ମର୍ଟମ ଗୃହ ଯାଏ ନେବାଲାଗି ପୋଲିସକୁ ନାକେଦମ୍ ହେବାକୁ ପଡ଼ିଥିଲା। ବ୍ୟବଚ୍ଛେଦ ପରେ ଜନ୍ମମାଟି ବାଲେଶ୍ବର ଭୋଗରାଇ ପଳାସିଆ ଗାଁକୁ ନିଆଯାଇଥିଲା ପାର୍ଥୀବ ଶରୀର।
ସପେଟେ ଗାଁ ଝିଅର ମୃତ୍ୟୁ ଖବର ଶୁଣିବା ପରେ ପଳାସିଆଁ ଗାଁରେ ଖେଳିଯାଇଥିଲା ଶୋକାକୁଳ ପରିବେଶ। ସକାଳ ପ୍ରାୟ ୧୦ ଟା ବେଳକୁ ଜନ୍ମମାଟିରେ ପହଞ୍ଚିଥିଲା ପୀଡ଼ିତାଙ୍କ ମୃତଦେହ। କାନ୍ଦ ବୋବାଳିରେ ଫାଟି ପଡ଼ିଥିଲା ପୂରା ଅଞ୍ଚଳ। ଏହାପରେ ଅନ୍ତିମ ସଂସ୍କାର ପାଇଁ ଶ୍ମଶାନକୁ ନିଆଯାଇଥିଲା ସୌମ୍ୟାଶ୍ରୀଙ୍କ ପାର୍ଥୀବ ଶରୀର। ବିଧାୟକ ମାନସ ଦତ୍ତ ପୀଡ଼ିତାଙ୍କୁ କାନ୍ଧ ଦେଇଥିଲେ। ସେହିଠାରେ ହିଁ ସାସଂଦ ପ୍ରତାପ ଷଡ଼ଙ୍ଗୀ ମୁଖ୍ୟମନ୍ତ୍ରୀ ରିପିଫ ପାଣ୍ଠିରୁ ପୀଡ଼ିତାଙ୍କ ନିକଟ ଆତ୍ମୀୟଙ୍କୁ ୨୦ ଲକ୍ଷ ଟଙ୍କାର ସହାୟତା ଦିଆଯାଇଥିବା ନେଇ ସୂଚନା ଦେଇଥିଲେ। ପରେ ପରେ ସିଏମଓ ପକ୍ଷରୁ ଏକ୍ସରେ ଏ ନେଇ ଘୋଷଣା କରାଯାଇଥିଲା।
ଶାନ୍ତ ପଡ଼ିଯାଇଛି ଗାଁ ମଶାଣିରେ ଜଳୁଥିବା ସୌମାଶ୍ରୀଙ୍କ ଚିତା। କିନ୍ତୁ ଶାନ୍ତ ପଡ଼ିନି ପରିବାର ଓ ଗ୍ରାମବାସୀଙ୍କ ମନର ବ୍ୟଥା। ସୌମ୍ୟାଶ୍ରୀଙ୍କ ମୃତ୍ୟୁ ପାଇଁ ଦାୟୀ ଦୋଷୀଙ୍କ ବିରୋଧରେ କୋଠର ଦଣ୍ଡବିଧାନ ପରେ ହିଁ ଶାନ୍ତ ହେବ ସମସ୍ତଙ୍କ ମନରେ ଜଳୁଥିବା ନିଆଁ।