ଗୃହରୁ ୭ ଦିନ ପାଇଁ ସସ୍ପେଣ୍ଡ ହେଲେ ତାରା, ରମେଶ

ବିରୋଧୀଙ୍କ ପ୍ରବଳ ବିରୋଧ ସତ୍ତ୍ବେ ଚାଲିଛି ବିଧାନସଭା ପ୍ରଶ୍ନକାଳ । ଘଣ୍ଟ ବାଡେଇ ପୋଡ଼ିୟମ୍ ତଳେ କଂଗ୍ରେସ ବିଧାୟକ ରମେଶ ଜେନା ଓ ତାରା ବାହିନୀ ପତିଙ୍କ ଜୋରଦାର୍ ପ୍ରତିବାଦ । ଗୃହ ନଚଳାଇଦେବାକୁ କଂଗ୍ରେସ ବିଧାୟକଙ୍କ ପ୍ରୟାସ । ରିପୋର୍ଟରର୍ସ ଡେକ୍ସ ଉପରେ ଚଢ଼ି କଂଗ୍ରେସ ବିଧାୟକ ତାରା ବାହିନୀ ପତିଙ୍କ ଜୋରଦାର୍ ପ୍ରତିବାଦ । ବିଶୃଙ୍ଖଳା ସୃଷ୍ଟି ସହ ଗୃହ କାର୍ଯ୍ୟରେ ବାଧା ସୃଷ୍ଟି ପାଇଁ ହଙ୍ଗାମା ପାଇଁ ତାରା ଓ ରମେଶଙ୍କୁ ୭ ଦିନ ପାଇଁ ଗୃହରୁ ସସ୍ପେଣ୍ଡ କରିଛନ୍ତି ବାଚସ୍ପତି । ବାଚସ୍ପତିଙ୍କ ତାଗିଦ୍ ସତ୍ତ୍ଵେ ଉଭୟ ଘଣ୍ଟ ପିଟୁଥିଲେ । ପ୍ରଥମେ ଉଭୟଙ୍କୁ ବାଚସ୍ପତିଙ୍କ ଆସନକୁ ଅବମାନନା କରୁଥିବାରୁ ସିଧା ୱାର୍ଣ୍ଣିଂ ଦିଆଯାଇଥିଲା । ପରେ ୭ ଦିନ ପାଇଁ ସସ୍ପେଣ୍ଡ କରାଯାଇଛି । କାଲି ୧୨ ଜଣଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ଆଜି ୨ ଜଣଙ୍କୁ ମିଶାଇ ସମୁଦାୟ ୧୪ ଜଣଙ୍କୁ ସସ୍ପେଣ୍ଡ କରାଯାଇଛି ।
ଗୃହ କାର୍ଯ୍ୟରେ ସହଯୋଗ କରିବାକୁ କଂଗ୍ରେସ ବିଧାୟକଙ୍କୁ ନିବେଦନ କରିଛନ୍ତି ବାଚସ୍ପତି । ସେପଟେ ରାଜ୍ୟ ସରକାରଙ୍କ ବିବୃତି ଦାବି କରି କକ୍ଷ ତ୍ୟାଗ କରିଥିବା ବିଜେଡି ବିଧାୟକମାନେ ଗୃହକୁ ଫେରିଛନ୍ତି । ଅନ୍ୟପଟେ ନିଲମ୍ବନ ପ୍ରତିବାଦରେ ବିଧାନସଭା ବାହାରେ କଂଗ୍ରେସ ବିଧାୟକ, ନେତା ଓ କର୍ମୀଙ୍କ ହୋହଲ୍ଲା । ଘଣ୍ଟ ବାଡେଇ, ହୁଳହୁଳି ଦେଇ ପ୍ରତିବାଦ ଜାରି ରହିଛି । ବ୍ୟାରିକେଡ୍ ଭାଙ୍ଗିଦେଲେ କଂଗ୍ରେସ ଏବଂ ବିଜେଡି ବିଧାୟକ । ଜଣକ ପରେ ଜଣେ କଂଗ୍ରେସ କର୍ମୀଙ୍କୁ ଉଠାଇ ନେଉଛି ପୋଲିସ ।