ଅଲାରନାଥଙ୍କ ଦର୍ଶନ ଶୃଙ୍ଖଳିତ ଦର୍ଶନ ପାଇଁ ସ୍ୱତନ୍ତ୍ର ବୈଠକ

Key Points
ଅଲାରାନାଥଙ୍କୁ ଦର୍ଶନ କଲେ କୋଟି ପୁଣ୍ୟ ପ୍ରାପ୍ତି ହୁଏ
ଆସନ୍ତା ଜୁନ ୧୧ ତାରିଖରେ ମହାପ୍ରଭୁଙ୍କର ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । 108 ଗଡୁ ସୁବାସିତ ଜଳରେ ଦିବ୍ୟସ୍ନାନ କରି ଅଣସର ଗୃହରେ ଜ୍ୱରରେ ପଡିବେ ମହାପ୍ରଭୁ । ଅଣସର ଘରେ ମହାପ୍ରଭୁଙ୍କ ଗୁପ୍ତନୀତି ଦଇତାପତି ସେବକଙ୍କ ଦ୍ବାରା ଜାରି ରହିଥିବା ବେଳେ ବ୍ରହ୍ମଗିରିରେ ବିଷ୍ଣୁ ରୂପୀ ପ୍ରଭୁ ଅଲାରନାଥଙ୍କ ଦର୍ଶନ ପାଇଁ ପ୍ରବଳ ଭକ୍ତଙ୍କ ଭିଡ ଜମିବ ।
ଜୁନ ୧୨ତାରିଖ ଠାରୁ ଜୁନ ୨୫ତାରିଖ ପର୍ଯ୍ୟନ୍ତ ଅଲାରାନାଥଙ୍କର ଶୃଙ୍ଖଳିତ ଦର୍ଶନ ନେଇ ପୁରୀ ସଦଭାବନା ଗୃହଠାରେ ସ୍ୱତନ୍ତ୍ର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ପୁରୀ ଜିଲ୍ଲାପାଳଙ୍କ ଅଧକ୍ଷତାରେ ବସିଥିବା ଏହି ବୈଠକରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ଠାକୁରଙ୍କ ଶୃଙ୍ଖଳିତ ନୀତିକାନ୍ତି, ଭକ୍ତଙ୍କ ସୁରକ୍ଷା ସହିତ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ଉପରେ ବିସ୍ତୃତ ଆଲୋଚନା ହୋଇଛି। ବୈଠକରେ ଭକ୍ତଙ୍କୁ ପାନୀୟଜଳ ଯୋଗାଣ, ରାସ୍ତାଘାଟ ମରାମତି, ନିରର୍ବିଛିନ୍ନ ବିଦ୍ୟୁତ ବ୍ୟବସ୍ଥା ସହ ବ୍ୟାରିକେଡ୍ ଆଦି ନିର୍ମାଣ କାର୍ଯ୍ୟ ସମୟ ପୂର୍ବରୁ ଶେଷ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।
📱 Get Argus News App
✨ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ନେଇ ମହାପ୍ରଭୁଙ୍କ ନୀତିକାନ୍ତି ସମୟ ଅନୁସାରେ କିଭଳି ହୋଇପାରିବ ସେନେଇ ସେବାୟତମାନଙ୍କ ସହ ମଧ୍ୟ ଜିଲ୍ଲାପାଳ ଆଲୋଚନା କରିଛନ୍ତି । ସେପଟେ ବୈଠକରେ ଅଲାରନାଥ ସେବାୟତଙ୍କ ଭିତରେ ଥିବା ସମସ୍ତ ମତାନ୍ତର ଓ ମନାନ୍ତରକୁ ଭୁଲି ଠାକୁରଙ୍କ ସେବାପୂଜା ଓ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ କିଭଳି ହେବ ସେନେଇ ସମସ୍ତଙ୍କର ସହଯୋଗ ଲୋଡିଛନ୍ତି ଜିଲ୍ଲାପାଳ ।
ସେହିପରି ଭକ୍ତଙ୍କ ସୁରକ୍ଷା ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ୮ ପ୍ଲାଟୁନ ପୋଲିସ ଫୋର୍ସ ସହିତ ବରିଷ୍ଠ ପୋଲିସ ଅଧିକାରୀ ମୁତୟନ ହେବେ । ସମସ୍ତ ବିଭାଗର ବିଭାଗୀୟ ଅଧିକାରୀମାନେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଓ ସୁବିଧା ପାଇଁ ସମସ୍ତ ପ୍ରକାର ଆନୁଷଙ୍ଗିକ ବ୍ୟବସ୍ଥା କରିବା ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପୁରୀ ଏସପି । ଅନ୍ୟପଟେ ଅଲାରନାଥଙ୍କ ଦର୍ଶନ ସମୟରେ ପୁରୀରୁ ବ୍ରହ୍ମଗିରିକୁ ଗମନାଗମନ ଶୃଙ୍ଖଳିତ ନେଇ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଟ୍ରାଫିକ ପ୍ଲାନ କରାଯାଇଛି ।
ତିନୋଟି ପଏଣ୍ଟରେ ଟ୍ରାଫିକ ବ୍ୟବସ୍ଥା କରାଯିବାକୁ ରହିଥିବାବେଳେ ମନ୍ଦିର ଭିତରେ ଓ ବାହାରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯିବ ଓ ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ନେଇ ପୋଲିସ ପକ୍ଷରୁ କଡା ନଜର ରଖାଯିବ ବୋଲି ପୁରୀ ଏସପି ସୂଚନା ଦେଇଛନ୍ତି ।
ବିଶ୍ୱାସ ରହିଛି ଅଣସର ସମୟରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କର ଦର୍ଶନ ମିଳୁନଥିବାରୁ ଏହି ସମୟରେ ଅଲାରାନାଥଙ୍କୁ ଦର୍ଶନ କଲେ କୋଟି ପୁଣ୍ୟ ପ୍ରାପ୍ତି ହୋଇଥାଏ ।