Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଏଣିକି ନୂଆ ଶୈଳୀରେ ହେବ ଜଗା ଦର୍ଶନ

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ଏଣିକି ନୂଆ ଶୈଳୀରେ ହେବ ଜଗା ଦର୍ଶନ

Key Points

  • ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି
  • ଏଣିକି ଶ୍ରୀମନ୍ଦିରରେ ଆଉ ହେବନି ଠେଲାପେଲା
  • କାର୍ତ୍ତିକବ୍ରତ ସରୁ ସରୁ ନୂଆ ବ୍ୟବସ୍ଥା ଲାଗୁ ହେବ ଶ୍ରୀମନ୍ଦିରରେ

ଅର୍ଗସ ବ୍ୟୁରୋ: ଶ୍ରୀମନ୍ଦିର । କୋଟି କୋଟି ଭକ୍ତଙ୍କ ଆସ୍ଥା ଓ ବିଶ୍ଵାସର କେନ୍ଦ୍ର । ନିଇତି ଲକ୍ଷାଧିକ ଭକ୍ତଙ୍କ ସମାଗମ ବି ହେଉଛି । ଭକ୍ତଙ୍କ ସଂଖ୍ୟା ଯେଉଁ ପରିମାଣରେ ବଢୁଛି, ଭିଡ଼ ବି ସମାନ ପରିମାଣରେ ବଢୁଛି । ଯାହାକୁ ନେଇ ଅନେକ ସମୟରେ ଭକ୍ତଙ୍କ ମଧ୍ୟରେ ତେଜିଛି ଅସନ୍ତୋଷ । କିନ୍ତୁ ଏବେ ଭକ୍ତ କେମିତି ଶୃଙ୍ଖଳିତ ଭାବରେ ଯାଇ ଜଗା ଦର୍ଶନ କରିବେ ସେନେଇ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି ରାଜ୍ୟ ସରକାର । ମାତ୍ର ମାସେ ପରେ ନୂଆ ବ୍ୟବସ୍ଥାରେ ଶ୍ରୀମନ୍ଦିର ଯାଇ ଜଗା ଦର୍ଶନ କରିବେ ଭକ୍ତ ।

ମନ୍ଦିର ଭିତରେ କେମିତି ଶୃଙ୍ଖଳିତ ଦର୍ଶନ କରିବେ ଭକ୍ତ ସେନେଇ ଡ୍ରାଇଗ୍ରାମ ବି ସାମ୍ନାକୁ ଆସିଛି । ପ୍ରସ୍ତାବିତ ୬ ଲେନ୍‌ ବ୍ୟାରିକେଡ୍‌ ବ୍ୟବସ୍ଥା କେମିତି ରହିବ ସେନେଇ ଏବେଠୁ ଭକ୍ତଙ୍କ ମନରେ ଉତ୍କଣ୍ଠା ଦେଖାଯାଇଛି । ହେଲେ ଗରୁଡ଼ ଖମ୍ବ ସ୍ପର୍ଶରୁ ଭକ୍ତ ବଞ୍ଚିତ ହେବା ସହ ଭିତର କାଠ ଦର୍ଶନ ଗୁରୁତ୍ୱହୀନ ହୋଇଯିବା ନେଇ ଉଠିଛି ଶଙ୍କା ।

ସାମ୍ନାକୁ ଆସିଛି ନାଟ ମଣ୍ଡପରେ ପ୍ରସ୍ତାବିତ ବ୍ୟାରିକେଡ୍ ଡାଇଗ୍ରାମ୍‌ର ନକଲ । ଯେଉଁଥିରେ ସ୍ପଷ୍ଟ ଭାବେ ଦର୍ଶାଯାଇଛି- ଭକ୍ତ କେଉଁଠୁ ଲାଇନ୍ ଧରିବେ ? କେଉଁ ବାଟେ ଯାଇ କେଉଁଠି ଛିଡ଼ା ହୋଇ ଠାକୁର ଦର୍ଶନ କରିବେ ? ଦର୍ଶନ ସାରି କେଉଁ ବାଟେ ପ୍ରସ୍ଥାନ କରିବେ ? ଶ୍ରୀମନ୍ଦିର ପରିଚାଳନା କମିଟିର ୨ଜଣିଆ କମିଟି, ଦର୍ଶନ ବ୍ୟବସ୍ଥାର ପ୍ରସ୍ତାବିତ ରୂପରେଖ ପ୍ରସ୍ତୁତ କରି ଛତିଶା ନିଯୋଗରେ ଉପସ୍ଥାପନ କରିଛନ୍ତି । ଯେଉଁଥିରେ ସାତପହାଚ ବାଟ ଦେଇ ଭକ୍ତ ନାଟମଣ୍ଡପକୁ ପ୍ରବେଶ କରିବା ପରେ, ଗରୁଡ଼ ଖମ୍ବ ଆଗରେ ୪ଟି ଧାଡ଼ିରେ ଯିବେ । ଖାଲି ଏତିକି ନୁହେଁ ବରଂ ଗୁରଡ଼ ଖମ୍ବର ଅତି ପାଖ ଧାଡ଼ିଟି କେବଳ ମହିଳା ଓ ଶିଶୁଙ୍କ ପାଇଁ ଉଦ୍ଦିଷ୍ଟ ରହିଛି । ତାପାଖକୁ ଗ୍ୟାଲେରୀ ୱାନ୍‌ରେ ବରିଷ୍ଠ ନାଗରିକ ଓ ଗ୍ୟାଲେରୀ ଟୁ ଏବଂ ଥ୍ରୀରେ ସାଧାରଣ ଭକ୍ତଙ୍କୁ ଛଡାଯିବ । ମହିଳା ଓ ଶିଶୁ ମାନେ ଲାଇନ୍‌ରେ ବାହାର କାଠ ସାମ୍ନା ଦେଇ ଠାକୁର ଦର୍ଶନ କରିବେ ଓ ଘଣ୍ଟି ଦ୍ୱାର ବାଟେ ବାହାରିବେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହାସହ ବାକି ତିନି ଲାଇନ୍ ଗରୁଡ଼ ଖମ୍ବ ଓ ପଣ୍ଡା ଖୁଣ୍ଟି ମଝିରେ ରହିବ, ସବୁଥିରେ କାଠ ରାମ୍ପ ବ୍ୟବସ୍ଥା ରହିବ । ଗ୍ୟାଲେରୀ-ୱାନ୍ ରାମ୍ପର ଉଚ୍ଚତା ୬ ଇଞ୍ଚରୁ ୧ ଫୁଟ୍, ଗ୍ୟାଲେରୀ-ଟୁ ର ୧୨ ଇଞ୍ଚରୁ ୨ ଫୁଟ୍ ଓ ଗ୍ୟାଲେରୀ-ଥ୍ରୀର ଉଚ୍ଚତା ଅଠର ଇଞ୍ଚରୁ ୩ ଫୁଟ୍ ମଧ୍ୟରେ ରହିବ । ସେମିତି ଗ୍ୟାଲେରୀ ୧ରୁ ୩ର ଦର୍ଶନାର୍ଥୀ ଗାରଦ ଦ୍ୱାର ବାଟେ ପ୍ରସ୍ଥାନ କରିବେ ।

ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ଼ ନିୟନ୍ତ୍ରଣ ନେଇ ମୁଖ୍ୟ ପ୍ରଶାସକ ସୂଚନା ଦେବା ପରେ ଗତକାଲି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମଧ୍ୟ କାର୍ତ୍ତିକ ମାସ ସରୁ ସରୁ ଏ ନୂଆ ପ୍ରକ୍ରିୟା ଲାଗୁ କରିବାକୁ ଯୋଜନା ରହିଥିବା କହିଛନ୍ତି । ତେବେ କାର୍ତ୍ତିକ ମାସ ପରେ ପ୍ରସ୍ତାବିତ ନାଟମଣ୍ଡପ ଦର୍ଶନ ଡାଇଗ୍ରାମ୍ ଯଦି କାର୍ଯ୍ୟକାରୀ ହୁଏ, ତାହାଲେ ଭକ୍ତ ଗରୁଡ଼ ଖମ୍ବ ସ୍ପର୍ଶ ଅଧିକାରରୁ ବଞ୍ଚିତ ହେବା ସହ ସେଠୁ ଥାଇ ଆଉ ଠାକୁର ଦର୍ଶନ ପାଇବେନି ବୋଲି ଚର୍ଚ୍ଚା ଜୋର । ତେଣୁ ଗରୁଡ ଖମ୍ବ ଦର୍ଶନ କରିବାକୁ ଭକ୍ତଙ୍କୁ ଅନୁମତି ମିଳୁ ବୋଲି ସେବାୟତମାନେ ଯୁକ୍ତି ବାଢିଛନ୍ତି । ମୋଟ୍‌ ଉପରେ କେମିତି ସୁରୁଖୁରୁରେ ଜଗା ଦର୍ଶନ ହେବ ସେନେଇ ନୂଆ ସରକାର ସବୁ ପ୍ରକାର ବ୍ୟବସ୍ଥା କରୁଛନ୍ତି । ହେଲେ ଆଗାମୀ ଦିନରେ ନିୟମ କାର୍ଯ୍ୟକାରୀ ହେଲେ ଦର୍ଶନ ବ୍ୟବସ୍ଥା କେତେ ସୁଧୁରୁଛି ତାହାକୁ ଅପେକ୍ଷା ।
 

Sponsored
Barrier-Free Darshan | Argus News