Srigundicha Temple Puri / ୬ ବର୍ଷ ହେଲା ଶ୍ରୀଗୁଣ୍ଡିଚା ମନ୍ଦିର ବନ୍ଦ ପଡ଼ିଛି, ଡିସେମ୍ବର ୧ରେ ବି ଖୋଲିବନି !

Key Points
ଡିସେମ୍ବର ୧ରୁ ଖୋଲିବନି ଶ୍ରୀଗୁଣ୍ଡିଚା ମନ୍ଦିର । ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିର ସର୍ବସାଧାରଣ ଭକ୍ତଙ୍କ ପାଇଁ ଖୋଲାଯିବା ପ୍ରସ୍ତାବ ସାମୟିକ ଭାବେ ସ୍ଥଗିତ । ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଓ ଶ୍ରୀମନ୍ଦିର ବରିଷ୍ଠ ସୁପରଭାଇଜରଙ୍କ ଜରୁରୀ ରିପୋର୍ଟ ତଥା ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ନଜରରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ଶ୍ରୀଗୁଣ୍ଡିଚା ମନ୍ଦିର ମରାମତି ତଥା ସଂରକ୍ଷଣ କାର୍ଯ୍ୟ ପାଇଁ ଆହୁରି ଅଧିକ ସମୟ ଆବଶ୍ୟକ ସହ ଶ୍ରୀଗୁଣ୍ଡିଚା ମନ୍ଦିର ପରିସର ଉଦ୍ୟାନ ଗୁଡିକ ଭକ୍ତଙ୍କ ସୁରକ୍ଷା ଦୃଷ୍ଟିରୁ ସଫେଇ ଓ ଉନ୍ନତିକରଣ ଜରୁରୀ ଥିବା ବରିଷ୍ଠ ସୁପରଭାଇଜର୍ ରିପୋର୍ଟ ଦେଇଛନ୍ତି ।
ଏହାକୁ ବିଚାରକୁ ନେଇ ଶ୍ରୀଗୁଣ୍ଡିଚା ମନ୍ଦିର ଖୋଲାଯିବା ନିଷ୍ପତ୍ତିକୁ ପରବର୍ତ୍ତୀ ଆଦେଶ ଯାଏଁ ସ୍ଥଗିତ ରଖିବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ନିର୍ଦ୍ଦେଶ ଦେଇଛନ୍ତି । ପରିଚାଳନା କମିଟି ପରାମର୍ଶ ତଥା ଅଧିସ୍ୱୀକୃତି ଅନୁସାରେ କିଛିଦିନ ତଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ନେତୃତ୍ବରେ ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ଅଧିକାରୀ ଏବଂ ପରେ ପରିଚାଳନା କମିଟିର ବରିଷ୍ଠ ସେବକ ସଦସ୍ୟ, ଅଧିକାରୀ ଶ୍ରୀଗୁଣ୍ଡିଚା ମନ୍ଦିର ଅନୁଧ୍ୟାନ କରିଥିଲେ । ଏହାପରେ ଆସନ୍ତା ଡିସେମ୍ବର ୧ ତାରିଖରୁ ଏହାକୁ ଶ୍ରଦ୍ଧାଳୁ ଓ ଭକ୍ତଙ୍କ ଲାଗି ଖୋଲାଯିବା ନେଇ ବିଚାର କରାଯାଇଥିଲା ।
ସେପଟେ ଦୈନିକ ହଜାର ହଜାର ସଂଖ୍ୟକ ଶ୍ରଦ୍ଧାଳୁ ଗୁଣ୍ଡିଚା ମନ୍ଦିର ବନ୍ଦ ଯୋଗୁଁ ବାହାରୁ ଫେରିଯାଉଥିବା ଦେଖିବାକୁ ମିଳିଛି । କୋଭିଡ୍ ପରଠାରୁ ଆଜି ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଜନ୍ମବେଦୀ ବନ୍ଦ ରହିଥିବା ବେଳେ କେବଳ ରଥଯାତ୍ରା ସମୟରେ ୯ ଦିନ ଗୁଣ୍ଡିଚା ମନ୍ଦିର ଖୋଲାଯାଇଥାଏ ।
ସେପଟେ ଗୁଣ୍ଡିଚା ମନ୍ଦିର ଭିତର ମରାମତି ଏବଂ ଉନ୍ନତିକରଣ କାର୍ଯ୍ୟ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ପଶ୍ଚିମ ପଟ ବାହାର ପାଚେରୀର ସୌନ୍ଦର୍ଯ୍ୟମୂଳକ କାମ ଶେଷ ହୋଇଛି । ତେବେ ଗୁଣ୍ଡିଚା ମନ୍ଦିରର ପରିଚାଳନା ଦାୟିତ୍ବ ଶ୍ରୀମନ୍ଦିର ପ୍ରଶାସନ ନେଇଥିବା ବେଳେ ଟିକେଟ୍ ବ୍ୟବସ୍ଥା ଲାଗୁ ପରିବର୍ତ୍ତେ ମାଗଣାରେ ଭକ୍ତଙ୍କ ପ୍ରବେଶ ବ୍ୟବସ୍ଥା କରିବାକୁ ବରିଷ୍ଠ ସେବାୟତ ଅନୁରୋଧ କରିଛନ୍ତି । ଦୀର୍ଘବର୍ଷ ପରେ ଗୁଣ୍ଡିଚା ମନ୍ଦିର ଖୋଲିବାକୁ ଯାଉଥିବାରୁ ଏହାକୁ ସବୁରି ମହଲରେ ସ୍ୱାଗତ କରାଯାଇଛି।
ଗୁଣ୍ଡିଚା ମନ୍ଦିର ସ୍ଥିତି ଅନୁଧ୍ୟାନ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ପ୍ରତିକ୍ରିୟା ରଖିଥିଲେ । ଆସନ୍ତା ୧ ତାରିଖରୁ ପରୀକ୍ଷାମୂଳକ ଭାବେ ଗୁଣ୍ଡିଚା ମନ୍ଦିର ଖୋଲିବ ବୋଲି କହିଥିଲେ । ଜଣେ ଭକ୍ତଙ୍କ ପିଛା ଟିକେଟର ମୂଲ୍ୟ ୧୦ ଟଙ୍କା ରହିବ । ୫ ବର୍ଷରୁ କମ୍ ଓ ୮୦ ବର୍ଷରୁ ଅଧିକ ଓ ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ପ୍ରବେଶ ନିଶୁଳ୍କ । ପ୍ରତିଦିନ ସକାଳ ୬ରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟା ଖୋଲିବ ଗୁଣ୍ଡିଚା ମନ୍ଦିର । କେବଳ ଶୀତଦିନେ ନଭେମ୍ବରରୁ ଫେବୃଆରୀ ମାସ ସକାଳ ୬ରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଖୋଲାଯିବ ଗୁଣ୍ଡିଚା ମନ୍ଦିର ବୋଲି କହିଥିଲେ ।
ସୂଚନା ଅନୁସାରେ ଶ୍ରୀକ୍ଷେତ୍ରର ଅନ୍ୟତମ ପବିତ୍ର ସ୍ଥାନ ହେଉଛି ଶ୍ରୀଗୁଣ୍ଡିଚା ମନ୍ଦିର । ଏହା ହେଉଛି ମହାପ୍ରଭୁଙ୍କର ଜନ୍ମସ୍ଥାନ । ଏଣୁ ମହାପ୍ରଭୁଙ୍କ ଜନ୍ମସ୍ଥାନ ଗୁଣ୍ଡିଚା ମନ୍ଦିରକୁ ଦର୍ଶନ କରିବା ପାଇଁ ଭକ୍ତଙ୍କ ମଧ୍ୟରେ ରହିଛି ଅନେକ ଉତ୍କଣ୍ଠା ଏବଂ ଉତ୍ସାହ । କୋଭିଡ ପରଠୁ ଗୁଣ୍ଡିଚା ମନ୍ଦିରକୁ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି ।
📱 Get Argus News App
✨Related Topics
Explore more stories