Videos
|
Odisha

Darshan Closed / ୫ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ, ଆଜି ହେବ ଚିତାଲାଗି ନୀତି

Rashmita Mishra
Browse all articles by Rashmita Mishra
·25 mins ago·2 min read
୫ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ, ଆଜି ହେବ ଚିତାଲାଗି ନୀତି
Darshan Closed

Key Points

ଆଜି ଶ୍ରୀମନ୍ଦିରରେ ବିଶେଷ ନୀତି…
୫ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ ।
ଆଜି ହେବ ଚିତାଲାଗି ନୀତି  । 
ଆଜି ଶ୍ରୀମନ୍ଦିରରେ ବିଶେଷ ନୀତି… ମହାପ୍ରଭୁଙ୍କ ମସ୍ତକରେ ଝଲସିବ ରତ୍ନଖଚିତ ସୁବର୍ଣ୍ଣ ଚିତା । ଶ୍ରାବଣ କୃଷ୍ଣ ଅମାବାସ୍ୟା ଅବସରରେ ଶ୍ରୀଜିଉଙ୍କ ଚିତାଲାଗି ନୀତି ଅନୁଷ୍ଠିତ ହେବ । ଏହି ପବିତ୍ର ନୀତି ପାଇଁ ୫ ଘଣ୍ଟା ଧରି ଭକ୍ତଙ୍କ ଲାଗି ବନ୍ଦ ରହିବ ସର୍ବସାଧାରଣ ଦର୍ଶନ । ଅପରାହ୍ନ ୨ଟାରୁ ସନ୍ଧ୍ୟା ୭ଟା ଏହି ସମୟ ମଧ୍ୟରେ ଶ୍ରୀମନ୍ଦିରରେ ଚାଲିବ ଗୁପ୍ତ ନୀତିକାନ୍ତି । ନୀତି ଶେଷ ପରେ ପୁଣି ଭକ୍ତଙ୍କୁ ମିଳିବ ଶ୍ରୀଜିଉଙ୍କ ଦର୍ଶନ ।

ଶ୍ରୀମନ୍ଦିର ପ୍ରଶାସନର ସୂଚନା ଅନୁଯାୟୀ, ପ୍ରଥମ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ଅପରାହ୍ନ ୨ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ । ଚିତାଲାଗି ନୀତିରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଠାକୁର ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ମସ୍ତକରେ ଲାଗି କରାଯାଏ ରତ୍ନଖଚିତ ସୁବର୍ଣ୍ଣ ଚିତା । ସ୍ନାନ ପୂର୍ଣ୍ଣିମା ଅବସରରେ ସୁରକ୍ଷା ଦୃଷ୍ଟିରୁ ଶ୍ରୀବିଗ୍ରହମାନଙ୍କ ମସ୍ତକରୁ ଚିତା ବାହାର କରାଯାଇଥିଲା । ଏହାପରେ ଚିତାକୁ ପୁଣିଥରେ ଲାଗି କରାଯାଇଛି ।

ଗତକାଲି ଦଇତାପତି ସେବକମାନେ ଭଣ୍ଡାରମେକାପ ଓ ପାଟରା ବିଷୋୟୀ ସେବାୟତଙ୍କ ସହଯୋଗରେ ଏହି ବିଶେଷ ନୀତି ସମ୍ପନ୍ନ କରିଛନ୍ତି । ଅନ୍ୟପଟେ, ଭୋଗମଣ୍ଡପ ନୀତି ପରେ ରତ୍ନସିଂହାସନରୁ ଶ୍ରୀଦେବୀ ଓ ଭୂଦେବୀ ଖଟଶେଯ ଘରକୁ ବିଜେ କରିବେ । ଆଜିର ଚିତାଲାଗି ନୀତିକୁ ନେଇ ଶ୍ରୀମନ୍ଦିରରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି । ନୀତି ଶେଷ ପରେ ପୁଣି ଭକ୍ତମାନେ ଶ୍ରୀଜିଉଙ୍କ ଦର୍ଶନ ପାଇପାରିବେ ।

ଚିତାଲାଗି ନୀତି
ଚିତାଲାଗି ନୀତି ଶ୍ରୀଜଗନ୍ନାଥ ମନ୍ଦିରର ଏକ ପ୍ରମୁଖ ଓ ପାରମ୍ପରିକ ନୀତି । ଏହି ନୀତିରେ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ଶ୍ରୀମୁଖରେ ସୁନା, ହୀରା, ମାଣିକ ଓ ବିଭିନ୍ନ ରତ୍ନରେ ତିଆରି ବିଶେଷ ଅଳଙ୍କାର ‘ଚିତା’ ଲାଗି କରାଯାଏ । ଚିତା ହେଉଛି ଠାକୁରମାନଙ୍କ ମସ୍ତକରେ ଲାଗୁଥିବା ଏକ ମୂଲ୍ୟବାନ ଅଳଙ୍କାର । ଏହି ଅଳଙ୍କାର ଦେବତାମାନଙ୍କ ଶୋଭାକୁ ଆହୁରି ବଢ଼ାଇଥାଏ ।

ସାଧାରଣତଃ ଶ୍ରାବଣ ଅମାବାସ୍ୟା ଦିନ ଶ୍ରୀମନ୍ଦିରରେ ଏହି ନୀତି ପାଳନ କରାଯାଏ । ଏହି ଦିନ ଠାକୁରମାନଙ୍କୁ ସ୍ନାନ, ଶୃଙ୍ଗାର ଓ ଅନ୍ୟାନ୍ୟ ନୀତି ସମ୍ପନ୍ନ କରାଯିବା ପରେ ଚିତା ଲାଗି କରାଯାଏ । ଚିତାଲାଗି ପରେ ତିନି ଠାକୁର ଅତ୍ୟନ୍ତ ମନୋହର ଓ ଦିବ୍ୟ ରୂପରେ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି ।

ଚିତାଲାଗି ନୀତି ଶ୍ରୀଜଗନ୍ନାଥ ସଂସ୍କୃତିର ଏକ ଅନନ୍ୟ ପରମ୍ପରା । ଏହା ଭକ୍ତମାନଙ୍କ ମନରେ ଭକ୍ତି, ଶ୍ରଦ୍ଧା ଓ ଆଧ୍ୟାତ୍ମିକ ଭାବନା ସୃଷ୍ଟି କରେ । ଏହି ନୀତି ମାଧ୍ୟମରେ ଓଡ଼ିଆ ଧର୍ମୀୟ ପରମ୍ପରା ଓ ଶ୍ରୀଜଗନ୍ନାଥ ସଂସ୍କୃତିର ମହତ୍ତ୍ୱ ପ୍ରକାଶ ପାଏ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: