Meghanad Pacheri / ମେଘନାଦ ପାଚେରୀରୁ ଝରୁଛି ପାଣି

Key Points
ପାଚେରୀର ଦୁଇ ତିନି ଜାଗାରୁ ପାଣି ଝରୁଛି
ଆନନ୍ଦବଜାରରୁ ଜଳ ଝରି ମେଘନାଦ ପାଚେରୀକୁ ଦୁର୍ବଳ କରୁଛି
ପୁଣି ବିପଦରେ ଶ୍ରୀମନ୍ଦିର ମେଘନାଦ ପାଚେରୀ । ପାଚେରୀର ଦୁଇ ତିନି ଜାଗାରୁ ପାଣି ଝରୁଥିବା ଦେଖିବାକୁ ମିଳିଛି । ଆନନ୍ଦବଜାରରୁ ବାହାରୁଥିବା ଜଳ ଝରି ମେଘନାଦ ପାଚେରୀକୁ ଦୁର୍ବଳ କରୁଛି । ଗତବର୍ଷ ଏଏସଆଇ ପକ୍ଷରୁ ପାଚେରୀରେ ଶିଉଳି ଛଡାଯାଇ ଗ୍ରାଉଟିଂ କରାଯାଇଥିଲା । କିନ୍ତୁ ଏବେ ପୁର୍ନବାର ଆନନ୍ଦବଜାରରୁ ନିର୍ଗତ ପାଣି ଝରିବାରୁ ମେଘନାଦ ପାଚେରୀର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ସୂଚନାନୁଯାୟୀ ଶ୍ରୀମନ୍ଦିରକୁ ସୁରକ୍ଷା ଦେଉଥିବା ମେଘନାଦ ପାଚେରୀରେ ଶିଉଳି ଲାଗି ପାଣି ଝରୁଛି । ଯାହାକୁ ନେଇ ନେଇ ଉଦବେଗ ପ୍ରକାଶ କରିଛନ୍ତି ଜଗନ୍ନାଥ ପ୍ରେମୀ ଓ ସାଧୁସନ୍ଥ। ତେବେ ଗତବର୍ଷ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଥିଲା ମେଘନାଦ ପାଚେରୀରେ ।
ପରବର୍ତ୍ତୀ ସମୟରେ ଶ୍ରୀମନ୍ଦିର ପ୍ରଶାସନ ଓ ଏଏସଆଇ ପକ୍ଷରୁ ତୁରନ୍ତ ଏହାର ମରାମତି କାର୍ଯ୍ୟ କରାଯାଇଥିଲା । କିନ୍ତୁ ବର୍ଷେ ନପୂରୁଣୁ ପୁନର୍ବାର ସମାନ ସ୍ଥାନରୁ ମଇଳା ପାଣି ଝରିବା ସହିତ ମେଘନାଦ ପାଚେରୀରେ ଶିଉଳି ଲାଗିଥିବା ଦେଖିବାକୁ ମିଳିଛି । ପାଚେରୀ ଯୋଡେଇରେ ଫାଟ ହୋଇ ପାଣି ଝରିବା ସହିତ ଶିଉଳି ଲାଗିଛି । ତୁରନ୍ତ ଶ୍ରୀମନ୍ଦିର ପ୍ରଶାସନ ଏବଂ ଏଏସଆଇ ଏହାକୁ ଗୁରୁତର ସହିତ ନେଇ ଉଚିତ୍ ମରାମତି ଓ ସଂରକ୍ଷଣ କାର୍ଯ୍ୟ କରିବା ପାଇଁ ଦାବି ହୋଇଛି ।
ସେପଟେ, ଶ୍ରୀମନ୍ଦିର ମେଘନାଦ ପାଚେରୀରେ ଶିଉଳି ଓ ପାଣି ଝରିବା ଘଟଣାର ଅନୁଧ୍ୟାନ କଲେ ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ । କେଉଁ ସ୍ଥାନରେ ପାଣି ଝରୁଛି ଏବଂ ସମସ୍ୟା କେଉଁଠି ରହିଛି ସେନେଇ ଅନୁଧ୍ୟାନ କରିଛନ୍ତି । ଏଏସଆଇ ସହିତ ଆଲୋଚନା କରାଯାଇ ଖୁବଶୀଘ୍ର ଏହାର ସ୍ଥାୟୀ ସଂରକ୍ଷଣ କରାଯିବ ।
ପାଚେରୀରେ ଲାଗିଥିବା ଶିଉଳି ଗୁଡିକ ମଧ୍ୟ ଛଡାଯିବ । ଗତବର୍ଷ ଏହାର ମରାମତି କାର୍ଯ୍ୟ ଏଏସଆଇ କରିଥିଲା । ଆନନ୍ଦ ବଜାର ଭିତରେ କେଉଁ ସ୍ଥାନରୁ ପାଣି ଆସି ମେଘନାଦ ପାଚେରୀରୁ ଝରୁଛି ତାହାର ଅନୁଧ୍ୟାନ କରାଯାଉଛି । ଏଏସଆଇ ଦ୍ବାରା ଖୁବଶୀଘ୍ର ମରାମତି ଓ ସଂରକ୍ଷଣ କାର୍ଯ୍ୟ କରାଯିବ । ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ହେମନ୍ତ କୁମାର ପାଢ଼ୀ ଏନେଇ ସୂଚନା ଦେଇଛନ୍ତି । ସେପଟେ ମେଘନାଦ ପାଚେରୀରୁ ପାଣି ଝରିବା ସହିତ ଶିଉଳି ଲାଗିଥିବାରୁ ତୁରନ୍ତ ଏହାର ସ୍ଥାୟୀ ସଂରକ୍ଷଣ ଓ ମରାମତି କାର୍ଯ୍ୟ କରିବି ପାଇଁ ସେବାୟତ, ଜଗନ୍ନାଥ ପ୍ରେମୀ ଓ ନାଗାସାଧୁ ଦାବି କରିଛନ୍ତି ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର...
📱 Get Argus News App
✨Related Topics
Explore more stories