'ଗୃହର ମର୍ଯ୍ୟାଦା ଉଲଂଘନ କରୁଛି କଂଗ୍ରେସ, କୌଣସି ଆଧାର ନଥାଇ କରୁଛି ବିଶୃଙ୍ଖଳା'

ଗୋଟିଏ ପଟେ ବିଧାନସଭା ବାହାରେ ଚାଲିଛି ହୋ-ହଲ୍ଲା । ସେପଟେ ବିଧାନସଭା ଭିତର ସୁରୁଖୁରୁରେ ଚାଲିଛି ଗୃହ । ତେବେ କଂଗ୍ରେସର ଆଚରଣକୁ ପ୍ରେସମିଟ କରି କଡ଼ା ସମାଲୋଚନା କରିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ସେ କହିଛନ୍ତି କିଛି ଇସ୍ୟୁ ନଥାଇ ବିରୋଧ ସହ ବିଧାନସଭାର ମର୍ଯ୍ୟାଦା ଉଲଂଘନ କରାଯାଉଛି । ବାଚସ୍ପତିଙ୍କୁ ଯେଉଁ ଭଳି ବ୍ୟବହାର କରାଗଲା ତାହା ଗ୍ରହଣୀୟ ନୁହେଁ । ବିରୋଧୀ ଦଳ ଭାବେ ବିରୋଧ କରିବା ଠିକ, ମାତ୍ର କୌଣସି ଆଧାର ନଥାଇ ଯେଉଁ ବିରୋଧ ହେଉଛି ତାହାକୁ ନିନ୍ଦା କରୁଛି ଭାରତୀୟ ଜନତା ପାର୍ଟି ।
ରାଜ୍ୟର ସ୍ୱାର୍ଥ ଦୃଷ୍ଟିରୁ ଜନମତକୁ ସମର୍ଥନ ଦେଇ ବିରୋଧୀ ଦଳର କାର୍ଯ୍ୟ କରିବା ଉଚିତ, ମାତ୍ର ସେମାନେ ଯେଉଁ କାର୍ଯ୍ୟ କରୁଛନ୍ତି ତାହା ବିଜେପି କେବେ ସମର୍ଥନ କରିବ ନାହିଁ । କଂଗ୍ରେସ କାହିଁକି ଏତେ ବର୍ଷ ଶାସନରେ ରହିଲା ପରେ ବି ଲୋକେ ତାଙ୍କୁ ପ୍ରତ୍ୟାଖାନ କରିଛନ୍ତି ସେମାନେ ସେଥିରେ ସମୀକ୍ଷା କରିବା ଉଚିତ୍ । ବିରୋଧୀ ଦଳ ଗଠନ ମୂଳକ ସମାଲୋଚନା, ଗଠନ ମୂଳକ ବିରୋଧ ଏବଂ ରାଜ୍ୟର ସ୍ୱାର୍ଥ ପାଇଁ ସରକାର ଯେଉଁ କାର୍ଯ୍ୟ କରିବାକୁ ଚାଁହଛନ୍ତି ସେଥିରେ ବିରୋଧୀ ଦଳ ସାହାଯ୍ୟ କରିବା ଦରକାର । ବିରୋଧୀ ଦଳ ଯେତେବେଳେ ସରକାରରେ ଥିଲେ ଆମେ ତାଙ୍କୁ ସହଯୋଗ କରିଥିଲୁ । ଏବେ ସେମାନେ ହ୍ୟାଙ୍ଗ ଓଭରରୁ ବାହାରି ଆମକୁ ସହଯୋଗ କରିବା ଦରକାର ବୋଲି ପ୍ରେସ୍ମିଟ୍ କରି କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ।
ସେହିଭଳି ବିଜେଡିର ଆଚରଣକୁ ନାପସନ୍ଦ କରିଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ । ବିଧାନସଭା ଏକ ସ୍ଥୟୀ ପବିତ୍ର ଗୃହ, ଗଙ୍ଗାଜଳ ଛିଞ୍ଚିବା ଅନାବଶ୍ୟକ । ଏଭଳି କାର୍ଯ୍ୟ କରାନଯାଉ, ଯାହାଦ୍ବାରା ଗୃହ ଅପବିତ୍ର ହେବ ବୋଲି କହିଛନ୍ତି ସୁରେଶ ପୂଜାରୀ । ସୂଚନାଯୋଗ୍ୟ, କଂଗ୍ରେସ ଦଳ ବିଧାନସଭା ଗୃହ ବାହାରେ ଚିତ୍କାର କରି ହଲ୍ଲାବୋଲ କରିଥିବା ବେଳେ ବିଜେଡି ବିଧାନସଭା ପରିସରରେ ଗଙ୍ଗା ପାଣି ସିଞ୍ଚନ କରିଛି । ଯାହାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି ।
ରାଜଧାନୀ ଲୋୟର ପିଏମ୍ଜିରେ ଗର୍ଜନ କରୁଛି କଂଗ୍ରେସ । ରାମ ମନ୍ଦିର ଛକରୁ ବିଧାନସଭା ପର୍ଯ୍ୟନ୍ତ ପଦଯାତ୍ରାରେ ଆସି ଗାନ୍ଧୀମାର୍ଗରେ କଂଗ୍ରେସ କରୁଛି ପ୍ରତିବାଦ । ପଦଯାତ୍ରାରେ ସାମିଲ ହେଲେ ହଜାର ହଜାର କଂଗ୍ରେସ କର୍ମୀ । ନାରୀ ସୁରକ୍ଷା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ କରୁଛି ଟାର୍ଗେଟ୍ । ଏହି ସମୟରେ ସମସ୍ତ କଂଗ୍ରେସ କର୍ମୀଙ୍କୁ ଅନୁରୋଧ କଲେ ପିସିସି ସଭାପତି ଭକ୍ତ ଦାସ। କହିଲେ କେହି ହାତରେ ପଥର ଧରନ୍ତୁ ନାହିଁ। ପୋଲିସକୁ ମଧ୍ୟ ଲାଠି ନଧରିବାକୁ କଲେ ଅନୁରୋଧ।