ଏବେ ବି ଡାକ୍ତର ପ୍ରଧାନଙ୍କୁ ଝୁରୁଛନ୍ତି ତାଙ୍କ ଶୁଭେଚ୍ଛୁ

ଆଜି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ଦଶାହ କ୍ରିୟା । ମୃତ୍ୟୁର ୧୦ ଦିନ ପରେ ବି ନେତା, ମନ୍ତ୍ରୀଙ୍କ ଗହଳି ବାସଭବନରେ । ଶ୍ରଦ୍ଧାଞ୍ଜଳି ଦେବାକୁ ରାଜ୍ୟ ତଥା ରାଜ୍ୟ ବାହାର ନେତୃବୃନ୍ଦଙ୍କ ଭିଡ଼ ଲାଗୁଛି । ଏବେ ବି ଡାକ୍ତର ପ୍ରଧାନଙ୍କୁ ଝୁରୁଛନ୍ତି ତାଙ୍କ ଶୁଭେଚ୍ଛୁ । ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଓଡ଼ିଶାର ବର୍ଷିଆନ ରାଜନେତା ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ସ୍ମୃତି ସମ୍ବଳିତ ସ୍ମରଣିକା ସ୍ମୃତିରେ ସଜଳ ଆପଣା ମଣିଷ- ସିଦ୍ଧ ପୁରୁଷ ଉନ୍ମୋଚିତ ହୋଇଛି । ଭୁବନେଶ୍ବର ଜୟଦେବ ଭବନରେ ରାଜ୍ୟପାଳ ହରିବାବୁ କମ୍ଭମପତି ଏହାକୁ ଉନ୍ମୋଚନ କରିଛନ୍ତି । କାର୍ଯ୍ୟକ୍ରମରେ ପୂର୍ବତନ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ, ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆଙ୍କ ସହ ବିଶିଷ୍ଟ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ । ଡାକ୍ତର ପ୍ରଧାନଙ୍କ ଦଶାହ କ୍ରିୟା ପାଇଁ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ନିର୍ବାଚନ ମଣ୍ଡଳୀ ମୁକ୍ତାପଶି ଗାଁରେ ତାଙ୍କ ହିତାକାଂକ୍ଷୀ, ଶୁଭେଚ୍ଛୁ, ଅନୁଗାମୀ ମାନେ ଦଶାହ କ୍ରିୟା କରିଛନ୍ତି ।
ବିଧି ଅନୁଯାୟୀ ମୁଣ୍ଡନ ହେବା ସହ ବ୍ରାହ୍ମଣଙ୍କ ଦ୍ବାରା ଅନ୍ୟ କ୍ରିୟା ଗୁଡ଼ିକ ସମ୍ପାଦନ କରିଛନ୍ତି । ଗାଁରେ ବିଜେପି ସଦସ୍ୟମାନେ ଡାକ୍ତର ପ୍ରଧାନଙ୍କ ସ୍ମୃତିଚାରଣ ମଧ୍ୟ କରିଥିଲେ । ସମ୍ବଲପୁରରେ ଡାକ୍ତର ପ୍ରଧାନଙ୍କ ସ୍ମୃତିରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି । ଆମ ଓଡ଼ିଶା ପକ୍ଷରୁ ଏହି ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଯାଜପୁର ଜିଲ୍ଲା ଧର୍ମଶାଳା ଷ୍ଟାଡିୟମରେ ଡାକ୍ତର ପ୍ରଧାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଦେବେନ୍ଦ୍ର ପ୍ରଧାନଙ୍କ ସ୍ମୃତିଚାରଣ କରିଥିଲେ ବିଜେପି ନେତା ଓ କର୍ମୀ ।
📱 Get Argus News App
✨ସେହିପରି ଆଜି ବି ଡାକ୍ତର ପ୍ରଧାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଦେବାକୁ କେନ୍ଦ୍ରୀୟ ନେତାଙ୍କ ଭିଡ଼ ଲାଗିଛି । ସାଂସଦ ବିଷ୍ଣୁଦତ୍ତ ଶର୍ମା, ଉତ୍ତରପ୍ରଦେଶର ମନ୍ତ୍ରୀ ରବିକାନ୍ତ ଗର୍ଗ ପ୍ରମୁଖ ତାଳଚେର ହାଣ୍ଡିଧୁଆସ୍ଥିତ ବାସଭବନରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ସେହିପରି ଲୋକସଭାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସହ ଉପସ୍ଥିତ ସଦସ୍ୟମାନେ ଶୋକବ୍ୟକ୍ତ କରିଥିଲେ । ଦିବଂଗତ ସଦସ୍ୟଙ୍କୁ ସମ୍ମାନ ଜଣାଇ ଗୃହରେ ନୀରବ ପ୍ରାର୍ଥନା କରାଯାଇଥିଲା ।