Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଏଣିକି ଭୁବନେଶ୍ଵରରେ କୁକୁରଙ୍କର ହେବନି ବନ୍ଧ୍ୟାକରଣ

Sarbeswar Mohapatra
Browse all articles by Sarbeswar Mohapatra
·1 year ago·3 min read
ଏଣିକି ଭୁବନେଶ୍ଵରରେ କୁକୁରଙ୍କର ହେବନି ବନ୍ଧ୍ୟାକରଣ

Key Points

  • କୁକୁରଙ୍କ ଲାଗି ଖୁସି ଖବର
  • ଏଣିକି ବନ୍ଧ୍ୟାକରଣ ହେବନି
  • ପେଡିପୁଟୁଳି ବାନ୍ଧି ମହାରାଷ୍ଟ୍ର ଫେରିଗଲା ସଂସ୍ଥା

ଅର୍ଗସ ବ୍ୟୁରୋ : ବିଏମସି ଏରିୟାରେ ଏଣିକି ଆଉ କୁକୁରଙ୍କ ହେବନି ବନ୍ଧ୍ୟାକରଣ । ପୁଣି ଥରେ କୁକୁର ବନ୍ଧ୍ୟାକରଣ ଉପରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଲାଗିଲା ରୋକ୍‌ । ହାଇକୋର୍ଟ ରଖିଥିବା ସର୍ତ୍ତ ମୁତାବକ ଭାରତୀୟ ପ୍ରାଣୀ ମଙ୍ଗଳ ପରିଷଦ ବିଏମ୍‌ସିକୁ ପ୍ରୋଜେକ୍ଟ ରେକଗ୍‌ନାଇଜେସନ ସାର୍ଟିଫିକେଟ୍‌ (ପିଆରସି) ଧାର୍ଯ୍ୟ ସମୟରେ ନ ଦେବାରୁ ଏହି ପ୍ରକ୍ରିୟା ବନ୍ଦ ହୋଇଯାଇଛି । ପୂର୍ବରୁ ପ୍ରବଳ ଖରା ପାଇଁ ଏହାକୁ ବନ୍ଦ ରଖାଯାଇଥିବା ନେଇ ବିଜ୍ଞନ୍ତି ପ୍ରକାଶ ପାଇଥିଲା । ପରେ ବର୍ଷାଋତୁ ଆସିଯିବା ପରେ ପ୍ରକ୍ରିୟା ପୁଣି ଥରେ ଆରମ୍ଭ କରିବାକୁ ବିଏମ୍‌ସି ସଜବାଜ ହେବା ବେଳେ ପିଆର୍‌ସି ଛାଟ କୁକୁର ବନ୍ଧ୍ୟାକରଣ ପ୍ରକଳ୍ପର ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦେଇଛି । ସେପଟେ ପିଆରସି ଅଭାବରୁ ସଂସ୍ଥାର ବିଲ୍‌ ପାସ୍‌ ହୋଇ ନପାରିବାରୁ ସଂସ୍ଥା ପେଡ଼ିପୁଟୁଳି ବାନ୍ଧି ମହାରାଷ୍ଟ୍ର ଫେରିଯାଇଛି। 

ଭୁବନେଶ୍ଵରରେ ଗାଡି ଚଳାଇବା କଷ୍ଟ ହେଲାଣି । କାରଣ ବୁଲା ଗାଈଗୋରୁ ତ ଯାହା ଅସୁବିଧା କରୁଥିଲେ କରୁଥିଲେ ଏବେ ବୁଲା କୁକୁର ବି ସମାନ ଅସୁବିଧା କଲେଣି । କେତେବେଳେ ନିଜନିଜ ଭିତରେ ଝଗଡା ଲାଗି ଗାଡି ଉପରକୁ କୁଦା ମାରୁଛନ୍ତି ତ ଆଉ କେତେବେଳେ କାମୁଡି ଦେଉଛନ୍ତି । ପୂର୍ବରୁ ଏମିତି ଅସୁବିଧାର ସାମ୍ନା ହେବାକୁ ପଡୁଥିବାରୁ ବନ୍ଧ୍ୟାକରଣ ପାଇଁ ବିଏମସି ଆରମ୍ଭ କରିଥିଲା ପ୍ରକ୍ରିୟା । ହେଲେ ଏବେ ସେ ପ୍ରକ୍ରିୟାରେ ରୋକ ଲାଗିଥିବାରୁ କୁକୁରଙ୍କ ଉତ୍ପାତ ଆଗାମୀ ଦିନରେ ବଡ ଟେନସନ ଦେବ ବୋଲି କୁହାଯାଉଛି । 

ସୂଚନା ଅନୁସାରେ, ବିଏମ୍‌ସି ପକ୍ଷରୁ କୁକୁର ବନ୍ଧ୍ୟାକରଣ କାର୍ଯ୍ୟକ୍ରମ(ଏବିସି) ଚାଲିଥିଲା। କିନ୍ତୁ ଏଥିପାଇଁ ଯେଉଁ କମିଟି ଗଠନ କରିବା ଓ ଭାରତୀୟ ପ୍ରାଣୀ ମଙ୍ଗଳ ପରିଷଦ ଠାରୁ ପ୍ରମାଣପତ୍ର ହାସଲ କରିବା କଥା ତାହା ହାସଲ କରିନଥିଲା। ଏଣୁ ମାମଲା ହାଇକୋର୍ଟରେ ପହଞ୍ଚିଥିଲା। ହାଇକୋର୍ଟ ଏହି କାର୍ଯ୍ୟକ୍ରମ ଉପରେ ଗତ ବର୍ଷ ସେପ୍ଟେମ୍ବର ମାସରେ କଟକଣା ଲଗାଇବାରୁ ଏହା ବନ୍ଦ ରହିଥିଲା । ଏ ସବୁ ହାସଲ କରିବାକୁ ବିଏମ୍‌ସି ପ୍ରତିଶ୍ରୁତି ଦେଇ ଚଳିତ ବର୍ଷ ଫେବ୍ରୁଆରି ମାସରୁ ଏହି କାର୍ଯ୍ୟକ୍ରମ ଆରମ୍ଭ କରିଥିଲା। କିନ୍ତୁ ବିଏମ୍‌ସିକୁ ପିରଆର୍‌ସି(ପ୍ରୋଜେକ୍ଟ ରେକଗ୍‌ନାଇଜେସନ ସାର୍ଟିଫିକେଟ୍‌) ମିଳି ନଥିଲା । ବିନା ସ୍ଵୀକୃତିରେ ଏହି ଅପରେସନ ଚାଲିଥିବାରୁ ବିଭିନ୍ନ ମହଲରୁ ଅଭିଯୋଗମାନ ଆସିବାରେ ଲାଗିଲା । ଅନ୍ୟପଟେ ଯେଉଁ ସଂସ୍ଥା(ଭେଟ୍‌ସ୍‌ ଫର ଆନିମଲ୍ସ) ଏବିସି କାର୍ଯ୍ୟକ୍ରମ କରୁଥିଲା ତାହାର ବିଲ୍‌ପାସ୍‌ ହେବା ପାଇଁ ବା ପ୍ରାପ୍ୟ ପାଇବା ପାଇଁ ସିଡିଭିଓ ଦସ୍ତଖତ କରିବା କଥା। କିନ୍ତୁ ପିଆରସି ନଥିବାରୁ ସେ ମଧ୍ୟ ଦସ୍ତଖତ କଲେ ନାହିଁ। ଫଳରେ ସଂସ୍ଥା ତାର ପ୍ରାପ୍ୟ ପାଇ ପାରିଲା ନାହିଁ। ଫଳରେ ୨୦ ଲକ୍ଷରୁ ଊର୍ଦ୍ଧ୍ବ ବାକି ପଡ଼ିଲା। ଏଣୁ ବିଏମ୍‌ସି କିଂକର୍ତ୍ତବ୍ୟ ବିମୁଢ଼ ହୋଇ ପଡ଼ିଥିଲା। ଗତ ମେ ୧ ତାରିଖ ଦିନ ପ୍ରବଳ ଖରା ଯୋଗୁ ଏହି କାର୍ଯ୍ୟକ୍ରମ ସ୍ଥଗିତ ରହିଲା ବୋଲି ବିଏମ୍‌ସି ବିଜ୍ଞପ୍ତି ଜାରି କରିଥିଲା । ହେଲେ ଏବେ ପୁରା ବନ୍ଦ ହୋଇଗଲା । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଗୁରୁତ୍ଵପୂର୍ଣ୍ଣ କଥା ହେଲା, ମଞ୍ଚେଶ୍ଵରରେ ଥିବା କର୍ମଜୀବୀ ହଷ୍ଟେଲ୍‌ରେ ୧୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ କରି ବିଏମ୍‌ସି କୁକୁର ଅସ୍ତ୍ରୋପଚାର କେନ୍ଦ୍ର ପ୍ରସ୍ତୁତ କରିଥିଲା । ପୂର୍ବରୁ ସହିଦନଗର ଠାରେ ଦିନକୁ ୩୦ କୁକୁରଙ୍କର ଅସ୍ତ୍ରୋପଚାର କରାଯାଉଥିବା ବେଳେ ଏଠାରେ ଦିନକୁ ୫୦ରୁ ୬୦ ଲକ୍ଷ୍ୟ ରଖିଥିଲା। ମହାରାଷ୍ଟ୍ରର ସଂସ୍ଥା ଭେଟ୍‌ସ୍‌ ଫର ଆନିମଲ୍‌ସ୍‌ ଡାକ୍ତର, ଚିକିତ୍ସା ସହାୟକ ଓ କର୍ମଚାରୀ ରଖିଥିଲା। ସଂସ୍ଥାକୁ ବିଏମ୍‌ସି କୁକୁର ପିଛା ୧୬୫୦ ଟଙ୍କା ଦେବାକୁ ଧାର୍ଯ୍ୟ ହୋଇଥିଲା। ୩ ମାସ ପର୍ଯ୍ୟନ୍ତ ସଂସ୍ଥା ପ୍ରାପ୍ୟ ପାଇନଥିଲା। ଏବେ ବନ୍ଧ୍ୟାକରଣ ବନ୍ଦ ହୋଇଯିବା‌ ପରେ ଅସ୍ତ୍ରୋପଚାର କେନ୍ଦ୍ରରେ ବ୍ୟୟ ଅର୍ଥ କେବଳ ବରବାଦ ହୋଇ ନାହିଁ ବରଂ ପ୍ରକଳ୍ପ ବନ୍ଦ ହୋଇଯିବା ଯୋଗୁ ଭୁବନେଶ୍ବରକୁ ୨୦୨୫ ସୁଦ୍ଧା ‘ଜଳାତଙ୍କ-ମୁକ୍ତ ସହର’ ଘୋଷଣା ପାଇଁ ବିଏମ୍‌ସିର ସ୍ବପ୍ନ ଫସରଫାଟିଛି । ତେବେ ସଂପୃକ୍ତ ସଂସ୍ଥା କେବେ ଟଙ୍କା ପାଇବ କେବେ ପୁଣି ଥରେ ବନ୍ଧ୍ୟାକରଣ ହେବ ତାହାକୁ ନେଇ ସନ୍ଦେହ ଦେଖାଗଲାଣି ।
 

Sponsored
Dog Sterilization | Argus News