ପ୍ରଥମରୁ ଦଶମ ଶ୍ରେଣୀ ପାଇଁ ୨ଟି କୋଠରି, ଗୋଟିଏ ବ୍ଲାକ୍ ବୋର୍ଡରେ ୪ଟି ଶ୍ରେଣୀର ପିଲାଙ୍କୁ ପଢ଼ାଉଛନ୍ତି ୪ ଶିକ୍ଷକ

କଲ୍ୟାଣସିଂହପୁର: ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲା ପଢ଼ି ପାରିବେ । ଏନେଇ ସରକାରୀ ଅନୁମତି ରହିଛି । କିନ୍ତୁ ପୂର୍ବ ବିଜେଡି ସରକାର ଭୁଲି ଯାଇଥିଲା ଭିତ୍ତିଭୂମି କଥା । ୫ଟି ନାଁରେ ସ୍କୁଲ୍ର ରୂପାନ୍ତରଣ ହେଲା, ଆଉ କମିଗଲା ପିଲାଙ୍କ ଶ୍ରେଣୀ ଗୃହ । ମୋଟ ୫ କୋଠରୀ ମଧ୍ୟରୁ ୨ଟି ଗୃହରେ ପ୍ରଥମରୁ ଦଶମ ଶ୍ରେଣୀ ପିଲା ପାଠ ପଢ଼ୁଥିବା ବେଳେ ଗୋଟିଏ ଲାଇବ୍ରେରୀ, ଗୋଟିଏ ସାଇନ୍ସ ଲ୍ୟାବ ହୋଇଥିବା ବେଳେ ଗୋଟିଏରେ ଚାଲିଛି ଅଫିସ୍ ।
ଶିକ୍ଷା ଦାନର ଏଭଳି ବିକଳ ଚିତ୍ର ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲାରେ । ଗୋଟିଏ ବ୍ଳାକ ବୋର୍ଡରେ ଏକା ସାଙ୍ଗେ ୪ଟି ଶ୍ରେଣୀର ପିଲାଙ୍କୁ ପାଠ ପଢ଼ାଉଛନ୍ତି ୪ ଜଣ ଶିକ୍ଷକ । ଏ ହେଉଛି ୫ଟି ବିଭାଗର ସ୍ମାର୍ଟ ବ୍ୟବସ୍ଥା ଓ ସ୍ମାର୍ଟ ପରିଚାଳନା । ଏଭଳି ଚିତ୍ର ଦେଖିବକୁ ମିଳିଛି କଲ୍ୟାଣସିଂହପୁର ବ୍ଲକ ଢାମୁଣିପାଙ୍ଗା ପଞ୍ଚାୟତ କତାଗୁଡ଼ା ଉନ୍ନତି ଉଚ୍ଚ ବିଦ୍ୟାଳୟରେ ।
ଏଠି ୧୦ଟି ଶ୍ରେଣୀ ପାଇଁ ରହିଛି ମାତ୍ର ଦୁଇଟି ଶ୍ରେଣୀ ଗୃହ । ଆଉ ଏଥିରେ ଚାଲିଛି ପିଲାଙ୍କ ଭବିଷ୍ୟତ ଗଢ଼ା । ବ୍ଲାକ୍ ବୋର୍ଡରେ ଚାରୋଟି କଲମ କରଯାଇଛି । ସେହି କଲମ ଉପରେ ଶ୍ରେଣୀ ନାଁ ଲେଖା ଯାଇଛି । ସେହି ଅନୁସାରେ ସପ୍ତମ, ଅଷ୍ଟମ, ନବମ ଓ ଦଶମ ଛାତ୍ରଛାତ୍ରୀ ବ୍ଳାକ୍ ବୋର୍ଡ ସମ୍ମୁଖରେ ବସିଛନ୍ତି । ଚାରୋଟି ଶ୍ରେଣୀର ଛାତ୍ରଛାତ୍ରୀ, ଏକାଥରକେ ଚାରି ଶିକ୍ଷକଙ୍କ ଶିକ୍ଷା ଦାନ ଗ୍ରହଣ କରୁଛନ୍ତି ।
📱 Get Argus News App
✨
ଏ ଦୃଶ୍ୟ ଆପଣଙ୍କୁ ଚକିତ କରିପାରେ କିନ୍ତୁ ବିକଳ୍ପ ବ୍ୟବସ୍ଥା ଥିବାରୁ ଏପରି ପାଠ ପଢ଼ାଉଛନ୍ତି ଶିକ୍ଷକ । ଗୋଟିଏ ସମୟରେ ୪ଟି ଶ୍ରେଣୀର ଶିକ୍ଷକ ପାଠ ପଢ଼ାଇବା ଯୋଗୁଁ ପିଲା ପାଠ ବୁଝିପାରୁ ନଥିବା ଅଭିଯୋଗ ହେଉଛି । ବିଦ୍ୟାଳୟରେ ଥିବା ଅନ୍ୟ ଶ୍ରେଣୀ ଗୃହରେ ପ୍ରଥମରୁ ଷଷ୍ଠ ଯାଏଁ ପିଲା ଗୋଟିଏ ବ୍ଳାକ୍ ବୋର୍ଡରେ ପଢ଼ୁଛନ୍ତି ।
୧୯୫୭ ମସିହାରେ ଏହି ବିଦ୍ୟାଳୟ ପ୍ରଥମିକ ବିଦ୍ୟାଳୟ ରୂପେ ପ୍ରତିଷ୍ଠା ହେଇଥିଲା । ବିଦ୍ୟାଳୟରେ ରହିଛି ମୋଟ ୫ କୋଠରୀ । ୧୨୯ ଜଣ ଛାତ୍ରୀଛାତ୍ରୀ ଏଠାରେ ପାଠ ପଢୁଛନ୍ତି । ଗତ ବର୍ଷ ୫ଟିରେ ଅନ୍ତର୍ଭୁକ୍ତ କରି ବିଦ୍ୟାଳୟର ରୂପାନ୍ତରୀକରଣ କରା ଯାଇ ପିଲାଙ୍କ ଠାରୁ ୩ଟି କୋଠରି ଛଡ଼ାଇ ନିଆଗଲା ।
ଯେଉଁଥିରେ ଗୋଟିଏ ଲାଇବ୍ରେରୀ ଓ ଆଉ ଗୋଟେ ସାଇନ୍ସ ଲ୍ୟାବ୍ କରାଯାଇଥିବା ବେଳେ ଅନ୍ୟଟି ଅଫିସ ରୁମ୍ ରୂପେ ବ୍ୟବହାର ହେଉଛି । ଶ୍ରେଣୀ ଗୃହ ଅଭାବକୁ ନେଇ ପରିଚାଳନା କମିଟି ଓ ଶିକ୍ଷକ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ବି ସମାଧାନ ହୋଇ ପାରୁନି ।