Subhadra: ୧୫ ଦିନ ଭିତରେ ଫିଲ୍ଡ ଭିଜିଟ୍ କରି ତଦନ୍ତ ରିପୋର୍ଟ ଦେବେ ଅଧିକାରୀ, ଖୋଲିବ ଅଭିଯୋଗ ପୋର୍ଟାଲ୍

Key Points
ଜୀବିତଙ୍କୁ ମୃତ ଦର୍ଶା ଯାଇଥିବାରୁ ସ୍ଵାସ୍ଥ୍ୟ ବିଭାଗର ରିପୋର୍ଟର ତଥ୍ୟ ଆଧାରରେ ମୃତକୁ ବିଭାଗ ମାନିବ । ରାସନ କାର୍ଡରେ ମୃତ ଦର୍ଶା ଯାଇଥିଲେ ବି ସ୍ଵାସ୍ଥ୍ୟ ବିଭାଗ ତଥ୍ୟକୁ ଧରାଯିବ । ସେହି ଆଧାରରେ ମିଳିବ ସୁଭଦ୍ରା କିସ୍ତି ।
ଭୁବନେଶ୍ଵର: ଜୀବିତ ଥାଇ ଦର୍ଶା ଯାଇଛି ମୃତ । ସେଥିପାଇଁ ମିଳିନି ସୁଭଦ୍ରାର ତୃତୀୟ କିସ୍ତି । ସୁଭଦ୍ରା ସମୀକ୍ଷା ପରେ ଏହି ବଡ଼ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ତୃତୀୟ ପର୍ଯ୍ୟାୟ କିସ୍ତିରୁ ବଞ୍ଚିତ ୨ ଲକ୍ଷ ୮୫ ହଜାର ହିତାଧିକାରୀଙ୍କୁ ସାମିଲ୍ ପାଇଁ କରାଯିବ ଡୋର୍ ଟୁ ଡୋର୍ ସର୍ଭେ ।
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ଜୀବିତଙ୍କୁ ମୃତ ଦର୍ଶା ଯାଇଥିବାରୁ ସ୍ଵାସ୍ଥ୍ୟ ବିଭାଗର ରିପୋର୍ଟର ତଥ୍ୟ ଆଧାରରେ ମୃତକୁ ବିଭାଗ ମାନିବ । ରାସନ କାର୍ଡରେ ମୃତ ଦର୍ଶା ଯାଇଥିଲେ ବି ସ୍ଵାସ୍ଥ୍ୟ ବିଭାଗ ତଥ୍ୟକୁ ଧରାଯିବ । ସେହି ଆଧାରରେ ମିଳିବ ସୁଭଦ୍ରା କିସ୍ତି । ଏଥିପାଇଁ ଡୋର୍ ଟୁ ଡୋର୍ ସର୍ଭେ ହେବ । ୧୫ ଦିନ ଭିତରେ ଫିଲ୍ଡ ଭିଜିଟ୍ କରି ତଦନ୍ତ ରିପୋର୍ଟ ଦେବେ ଅଧିକାରୀ ।
ସୁଭଦ୍ରା କିସ୍ତି ନେଇ ଅଭିଯୋଗ ପାଇଁ ଦୁଇ ଦିନ ଭିତରେ ଅଭିଯୋଗ ପୋର୍ଟାଲ ଖୋଲିବ । ବାଦ୍ ପଡ଼ିଥିବା ହିତାଧିକାରୀ ପୋର୍ଟାଲରେ ଅଭିଯୋଗ କରି ଆଉ ଥରେ ସାମିଲ୍ ହେବା ଲାଗି ଆବେଦନ କରିପାରିବେ । ସୁଭଦ୍ରାରୁ ୧୫ ହଜାର ୯୮୪ ହିତାଧିକାରୀଙ୍କୁ ମୃତ ଦର୍ଶାଇ ବାଦ୍ ଦିଆ ଯାଇଥିବା ବେଳେ ସେଥିରୁ ୧୮୦୫ ଜଣ ଜୀବିତ ଅଛନ୍ତି । ସେମାନଙ୍କୁ ପୁଣି ଥରେ ସାମିଲ୍ କରାଯିବ ।
ଅନ୍ୟପଟେ ୩୬ ହଜାର ୭୦୨ ହିତାଧିକାରୀ ଗାଡ଼ି କିଣିଥିବା ଯୋଗୁଁ ବାଦ୍ ପଡ଼ିଛନ୍ତି । ୨୧ ହଜାର ୩୫ ହିତାଧିକାରୀ ଆୟ କର ଦେବାରୁ ବାଦ୍ ପଡ଼ିଥିବା ବେଳେ ୧ ଲକ୍ଷ ୩୩ ହଜାର ୬୯୧ ଜଣ ଧାନ ବିକ୍ରି ପଞ୍ଜୀକରଣ ଏବଂ କୃଷକ ଭାବେ ପଞ୍ଜୀକରଣ କରି ବାଦ୍ ପଡ଼ିଛନ୍ତି । ସେ ବାବଦରେ ତଥ୍ୟ ଆସିବା ପରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନ କରାଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।