ଦ୍ଵିତୀୟ କିସ୍ତିରେ କୋଟିଏରୁ ଅଧିକ 'ସୁଭଦ୍ରା' ହିତାଧିକାରୀଙ୍କ ଖାତାକୁ ଗଲା ୫ ହଜାର ଲେଖାଏଁ ଟଙ୍କା

ବ୍ରହ୍ମପୁର: ଇତିହାସ ରଚିଲା 'ସୁଭଦ୍ରା' । ଅନ୍ତର୍ଜାତୀୟ ମହିଳା ଦିବସରେ କୋଟିଏରୁ ଅଧିକ 'ସୁଭଦ୍ରା' ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଦ୍ଵିତୀୟ କିସ୍ତି ଅର୍ଥ । ଦ୍ଵିତୀୟ କିସ୍ତିରେ 'ସୁଭଦ୍ରା' ହିତାଧିକାରୀଙ୍କ ଖାତାକୁ ଯାଇଛି ୫ ହଜାର ଲେଖାଏଁ ଟଙ୍କା । ବ୍ରହ୍ମପୁର ଆମ୍ବପୁଆ ବିବେକ ବିହାର ପଡ଼ିଆରୁ ଦ୍ଵିତୀୟ କିସ୍ତି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଯୋଜିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ କନକ ବର୍ଦ୍ଧନ ସିଂହଦେଓ ଉପସ୍ଥିତ ରହିଥିଲେ ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନ୍ତର୍ଜାତୀୟ ମହିଳା ଦିବସର ଶୁଭେଚ୍ଛା ଜଣାଇଛନ୍ତି । କହିଛନ୍ତି, ଏହା ଓଡ଼ିଶାର 'ସୁଭଦ୍ରା'ମାନଙ୍କ ଲାଗି ଗୌରବର ମୁହୂର୍ତ୍ତ । ନାରୀ ହେଉଛି ପ୍ରକୃତି ଓ ସମାଜର ବାସ୍ତବ ବିନ୍ଧାଣୀ । ନାରୀଙ୍କୁ ସବୁଠି ଉଚ୍ଚ ସ୍ଥାନ ଦିଆଯାଇଛି । ଆମ ସଂସ୍କୃତିରେ କନ୍ୟା ପୂଜନ ଦେଖିବାକୁ ମିଳେ । ପ୍ରାଚୀନ ସଂସ୍କୃତିରେ ମଧ୍ୟ ନାରୀଙ୍କୁ ପୂଜା କରା ଯାଉଥିଲା ।
📱 Get Argus News App
✨ଏମିତି କୌଣସି କ୍ଷେତ୍ର କି କୌଣସି କାର୍ଯ୍ୟ ନାହିଁ ଯେଉଁଠି ମହିଳା ଉତ୍କର୍ଷତା ପ୍ରତିପାଦନ କରି ନାହାନ୍ତି । ଅନେକ ସ୍ଥଳେ ନାରୀ, ପୁରୁଷ ସହକର୍ମୀଙ୍କ ଠାରୁ ଅଧିକ ସଫଳତା ପାଇଛନ୍ତି । ନାରୀ ହେଉଛି ଧୈର୍ଯ୍ୟ, ଏକାଗ୍ରତା, କଠିନ ପରିଶ୍ରମ, ବଳିଦାନ ଓ ସ୍ଵାଭିମାନର ପ୍ରତୀକ । ସ୍ଵାଧୀନତାରୁ ନେଇ ଆଜିର ରାଜନୀତିରେ ବି ନାରୀ ଛାପ ଛାଡ଼ିଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ମହିଳା ସଶକ୍ତିକରଣ ବିନା ପରିବାର, ସମାଜ, ରାଜ୍ୟ ତଥା ଦେଶର ସାମଗ୍ରିକ ବିକାଶ ଅସମ୍ଭବ । ଏହାକୁ ହୃଦୟଙ୍ଗମ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦିଗ୍ଦର୍ଶନରେ ସରକାର କାମ କରୁଛି । ମୋହନ ମାଝୀ ସରକାର କଣ କରିଛି ବୋଲି ଗତ ୨୪ ବର୍ଷର ସରକାର ପ୍ରଶ୍ନ କରୁଛି । ମୁଁ ସେମାନଙ୍କୁ ପଚାରୁଛି ବିଗତ ସରକାର ୨୪ ବର୍ଷ ହେଲା କେବଳ ମହିଳାଙ୍କ ନାଁର ସ୍ଲୋଗାନ ଦେଉଥିଲେ । ଆମେ ସରକାରକୁ ଆସିବାର ୨୪ ଘଣ୍ଟାରେ 'ସୁଭଦ୍ରା' ନିଷ୍ପତ୍ତି ନେଲୁ । ୩ ମାସରେ ପ୍ରଥମ କିସ୍ତି ଓ ୯ ମାସରେ ଦ୍ଵିତୀୟ କିସ୍ତି ଡିବିଟି ମାଧ୍ୟମରେ ଦେଇଛୁ । ଏହା ହିଁ ହେଉଛି ଡବଲ୍ ଇଞ୍ଜିନ୍ ସରକାରର ସଫଳତା ।