ସୁଭଦ୍ରା ଶକ୍ତି ମେଳା ଆରମ୍ଭ, ୩୦୦ରୁ ଅଧିକ ଷ୍ଟଲରେ ମିଳୁଛି SHG ମହିଳାଙ୍କ ଉତ୍ପାଦ ଓ ଅର୍ଗାନିକ ସାମଗ୍ରୀ

ଭୁବନେଶ୍ଵର: ଶନିବାର ଠାରୁ ରାଜଧାନୀ ଭୁବନେଶ୍ଵରରେ ଆରମ୍ଭ ହୋଇଛି ‘ସୁଭଦ୍ରା ଶକ୍ତି ମେଳା’ । ଜନତା ମଇଦାନରେ ମେଳାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ମେଳା ମାର୍ଚ୍ଚ ୨ ଯାଏଁ ଜାରି ରହିବ । ସୁଭଦ୍ରା ଶକ୍ତି ମେଳାରେ ରାଜ୍ୟର ସ୍ଵୟଂ ସହାୟକ ଗ୍ରୁପ(SHG)ର ହଜାର ହଜାର ମହିଳା ସଦସ୍ୟା ସାମିଲ ହୋଇଛନ୍ତି ।
ମେଳାରେ ପ୍ରାୟ ୩ ଶହରୁ ଅଧିକ ଷ୍ଟଲରେ ପ୍ରାୟ ୭ ଶହ SHG ମହିଳା ନିଜର ଉତ୍ପାଦ ଓ ଅର୍ଗାନିକ ସାମଗ୍ରୀ ବିକ୍ରି କରୁଛନ୍ତି । SHG ମହିଳାଙ୍କୁ ଲକ୍ଷପତି ଦିଦି ଭାବେ ପ୍ରତିଷ୍ଠିତ କରାଇବା ପାଇଁ ରାଜ୍ୟ ସରକାରଙ୍କ ପ୍ରଥମ ପଦକ୍ଷେପ ସୁଭଦ୍ରା ଶକ୍ତି ମେଳା ।
📱 Get Argus News App
✨ଏହି ମେଳାରେ ହସ୍ତଶିଳ୍ପ, ଟେରାକୋଟା, ବାଉଁଶ ଶିଳ୍ପ, ହସ୍ତତନ୍ତ ଏବଂ ଘରୋଇ ଆବଶ୍ୟକୀୟ ସାମଗ୍ରୀଠାରୁ ଆରମ୍ଭ କରି ସ୍ଵାସ୍ଥ୍ୟ ଏବଂ ୱେଲନେସ୍ ଉତ୍ପାଦ, ଜୈବିକ ଖାଦ୍ୟ ସାମଗ୍ରୀ, ମସଲା, ମିଷ୍ଟାନ୍ନ ଏବଂ ମିଲେଟ୍-ଭିଭିକ ବ୍ୟଞ୍ଜନ ପର୍ଯ୍ୟନ୍ତ, ଉଚ୍ଚ ଗୁଣବତ୍ତା ଏବଂ ଦୀର୍ଘସ୍ଥାୟୀ ଉତ୍ପାଦଗୁଡ଼ିକ ପ୍ରଦର୍ଶିତ ହେଉଛି ।
ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଦର୍ଶକମାନେ, ମହିଳା ଉଦ୍ୟୋଗୀମାନଙ୍କଠାରୁ ସିଧା ସଳଖ ହାତ ତିଆରି ଉତ୍ପାଦ କ୍ରୟ କରିବାର ସୁଯୋଗ ପାଇବା ସହ ମିଶନ ଶକ୍ତି ମହିଳାମାନଙ୍କର ସୃଜନଶୀଳତା, ଦକ୍ଷତା ଏବଂ ଉଦ୍ୟୋଗିତା ଦେଖିବାର ସୁଯୋଗ ପାଉଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ଏକାମ୍ର ବିଧାୟକ ବାବୁ ସିଂ ।