ଭିଡ଼ ପରିଚାଳନରେ ସଫଳ ପ୍ରଶାସନ , ଆଜିଠୁ ପୁଣି ଆରମ୍ଭ ଭିତର ରତ୍ନଭଣ୍ଡାର ମରାମତି

ଅର୍ଗସ ବ୍ୟୁରୋ : ଇଂରାଜୀ ନବବର୍ଷରେ ଜଗା ଦର୍ଶନର ନୂଆ ଅନୁଭୂତି ପାଇଲେ ଭକ୍ତ। ପ୍ରଥମ କରି ନୂଆ ବର୍ଷରେ ଭିତର କାଠରୁ ଚତୁର୍ଦ୍ଦାମୂରତୀଙ୍କୁ ଦର୍ଶନ କରି ଭାବ ବିହ୍ବଳ ହୋଇଛନ୍ତି ଶ୍ରଦ୍ଧାଳୁ। ଏଥର ୬ ଲକ୍ଷରୁ ଅଧିକ ଭକ୍ତଙ୍କୁ ଶୃଙ୍ଖଳିତ ଦର୍ଶନ ଅନୁଭୁତି ଦେବାରେ ସଫଳ ହୋଇଛି ଶ୍ରୀମନ୍ଦିର ପ୍ରଶାସନ। ଗୋଟିଏ ପଟରେ ସଅଳ ନୀତି ଅନ୍ୟପଟରେ ପୋଲିସର ଶ୍ରୀମନ୍ଦିର ଇନର ଓ ଆଉଟର ସୁରକ୍ଷା ବଳୟ ଦର୍ଶନକୁ ଶୃଙ୍ଖଳିତ କରିଛି। ହ୍ୟୁମାନ ଚେନ୍ ଓ ବ୍ଲକିଂ ଟିମ୍ ଯୋଗୁଁ ନିୟନ୍ତ୍ରିତ ହୋଇଛି ଭିଡ଼। ଫୁଟ୍ ଫଲ୍ କାଉଣ୍ଟି ଆକଳନ କରି ବ୍ୟାରିକେଡ଼ ସମ୍ପ୍ରସାରଣ ସହ ଲୋକଙ୍କୁ ଖାଲିକରିବା ଆଦି ବ୍ୟବସ୍ଥା କରି ସଫଳ ହୋଇଛି ପ୍ରଶାସନ। ଭିତରେ କିଛିଟା ସମସ୍ୟା ହୋଇଥିଲେ ବି ମୋଟାମୋଟି ଶୃଙ୍ଖଳିତ ଥିଲା ନୂଆବର୍ଷରେ ଜଗା ଦର୍ଶନ। ପାଣି ବଣ୍ଟନରେ ସେଣ୍ଟ ଜୋନ ଆମ୍ବୁଲାନ୍ସ ଏବଂ ଦିବ୍ୟାଙ୍ଗ ଆଉ ବରିଷ୍ଠ ନାଗରିକଙ୍କ ଦର୍ଶନ ପାଇଁ ଯୁବଶକ୍ତି ସ୍ବେଚ୍ଛାସେବୀ ମଧ୍ୟ ପୋଲିସ ଓ ପ୍ରଶାସନକୁ ବେଶ ସହଯୋଗ କରିଥିଲେ। ତେବେ ପୁରୀ ସାହି ବାସିନ୍ଦାଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇନଥିବାରୁ ଏହାକୁ ନେଇ କିଛିଟା ଅସନ୍ତୋଷ ଦେଖିବାକୁ ମିଳିଥିଲା। ସେପଟେ ବେଳାଭୂମିରେ ବି ପର୍ଯ୍ୟାପ୍ତ ଲାଇଫ ଗାର୍ଡ ମୁତୟନ ଥିଲେ।
ପୁରୀ ସହରରେ ଟ୍ରାଫିକ ସୁପରିଚାଳନା ସହ ଭକ୍ତ ଓ ପର୍ଯ୍ୟଟକଙ୍କ ସୁରକ୍ଷା ଏବଂ ପାର୍କିଂ ବ୍ୟବସ୍ଥାରେ ସୁଧାର ଲୋକଙ୍କୁ ଏଥର ଦେଇଛି ଭଲ ଅନୁଭୂତି। ନୂଆବର୍ଷ ଭିଡକୁ ନଜରରେ ରଖି ସିଂହଦ୍ଵାର ପାଖରୁ ୩ ଦିନ ପାଇଁ ଯେଉଁ ଏକମୁଖି ଦର୍ଶନ ବ୍ୟବସ୍ଥା କରାଯାଇଥିଲା ତାହା ଗୁରୁବାର ଠାରୁ ପ୍ରତ୍ୟାହାର କରି ନିଆଯାଇଛି। ପୁଣି ଚାରିଦ୍ବାର ଦେଇ ପ୍ରବେଶ ଓ ପ୍ରସ୍ଥାନ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି। ସେପଟେ ନୂଆବର୍ଷ ଭିଡ ପାଇଁ ଗତ ୨୫ ତାରିଖଠାରୁ ସ୍ଥଗିତ ଥିବା ରତ୍ନଭଣ୍ଡାର ମରାମତି କାମ ଆଜିଠାରୁ ପୁଣି ଆରମ୍ଭ ହୋଇଛି। ଦ୍ଵିତୀୟ ଭୋଗ ମଣ୍ଡପ ଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ପ୍ରାୟ ୫ ରୁ ୬ ଘଣ୍ଟା ମରାମତି କାର୍ଯ୍ୟ ଚାଲିବ। ରତ୍ନ ଭଣ୍ଡାରରେ ୨୦ ଫୁଟ୍ ଲୁହା ଭାରା ବନ୍ଧାଯାଈ ପୁରୁଣା ଚୂନ ପ୍ଲାଷ୍ଟରକୁ ଡି ପ୍ଲାଷ୍ଟର କରାଯାଇ ସାରିଛି। ଆଜିଠାରୁ ପ୍ରଥମେ ଭର୍ଟିକାଲ ଫାଟ ମରାମତି କାମ ଆରମ୍ଭ ହେବ। କାନ୍ଥ ମରାମତି କାମ ସରିଲେ ହୋରାଇଜେଣ୍ଟଲ କ୍ରାକ୍ସ ବା ଚଟାଣ ରେ ଥିବା ଫାଟ ଓ ମୂଷା ଗାତ ମରାମତି ହେବ। ଚଳିତ ଇଂରାଜୀ ନୂଆ ବର୍ଷରେ ପତିତପାବନ ମନ୍ଦିର ଓ ସିଂହଦ୍ବାର ଗୁମୁଟରେ ରୂପାଛାଉଣୀ କାର୍ଯ୍ୟ ବେଶ ଆକର୍ଷଣୀୟ ହୋଇଥିବା ବେଳେ ଏହା ଭକ୍ତଙ୍କୁ ଦେଇଥିଲା ନୂଆ ଅନୁଭୁତି।