Sudhir Murder Case / ସୁଧୀର ହତ୍ୟାକାଣ୍ଡ: କେବଳ ସମ୍ପତ୍ତି କିମ୍ବା ଟଙ୍କା ନୁହେଁ ପ୍ରେମ ପାଇଁ ଫୁଟିଲା ଗୁଳି

Key Points
କେବଳ ସମ୍ପତ୍ତି କିମ୍ବା ଟଙ୍କା ନୁହେଁ ପ୍ରେମ ପାଇଁ ହତ୍ୟାକାଣ୍ଡ
ଗୁଳି କିଏ ଫୁଟାଇଲା?
ହତ୍ୟା ପରେ ଗାଡ଼ି କେଉଁଠି ଲୁଚାଗଲା?
ଆଉ କାହାର ସମ୍ପୃକ୍ତି ରହିଛି ?
ଏ ସମସ୍ତ ତଥ୍ୟ ଖୋଜିବ ପୋଲିସ
ଦିନ ଯେତିକି ଗଡୁଛି, ବ୍ରହ୍ମପୁରର ଚର୍ଚ୍ଚିତ ସୁଧୀର ପାତ୍ର ଅପହରଣ ଏବଂ ହତ୍ୟା ଘଟଣା ପଛର ରହସ୍ୟ ସେତିକି ଘନୀଭୂତ ହେବାରେ ଲାଗିଛି। କେବଳ ସମ୍ପତ୍ତି କିମ୍ବା ଟଙ୍କା ପାଇଁ ହତ୍ୟାକାଣ୍ଡ ନୁହେଁ, ବରଂ ଏହା ପଛରେ ରହିଛି ପ୍ରେମ ସମ୍ପର୍କର ଏକ କଳା କାହାଣୀ। ଯେଉଁ ପୁତୁରା ଓ ଝିଆରୀଙ୍କୁ ସୁଧୀର ନିଜ ପିଲା ଭଳି ସ୍ନେହ କରୁଥିଲେ, ସେମାନେ ହିଁ ସାଜିଲେ କାଳ। ଆଜି ଅର୍ଗସ କ୍ୟାମେରା ଆଗରେ ସୁଧୀରଙ୍କ ଝିଅ ଏବଂ ବୃଦ୍ଧ ବାପା ଯେଉଁ ଖୁଲାସା କରିଛନ୍ତି, ତାହା ଶୁଣିଲେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ। ଅନ୍ୟପଟେ ଘଟଣାର ଖୋଳତାଡ଼ ପାଇଁ ପୋଲିସ ଏବେ ୫ ଜଣଙ୍କୁ ରିମାଣ୍ଡରେ ନେଇଛି ।
ଯେଉଁ ହାତ ସ୍ନେହରେ ମୁଣ୍ଡ ଆଉଁସି ଦେଉଥିଲା, ସେଇ ହାତକୁ ରକ୍ତରଞ୍ଜିତ କରିବାକୁ ପଛାଇଲେନି ପୁତୁରା ତୁଷାର ଓ ଝିଆରୀ ନିବେଦିତା। ସୁଧୀରଙ୍କ ଝିଅ କହିଛନ୍ତି ଯେ, ତାଙ୍କ ବାପା ନିଜ ବଡ଼ ଭାଇଙ୍କ ପିଲାମାନଙ୍କୁ କେବେ ପର ଭାବିନଥିଲେ। ବ୍ୟବସାୟ ଶିଖାଇବା ଠାରୁ ଆରମ୍ଭ କରି ସମ୍ପତ୍ତି ଭାଗ କରି ତୁଷାର ନାଁରେ କରିବା ଯାଏଁ, ସୁଧୀର ସବୁକିଛି କରିଥିଲେ। ଏମିତିକି ଝିଆରୀ ନିବେଦିତା ପାଇଁ ଏକ ଭଲ ଡାକ୍ତର ପାତ୍ର ଖୋଜୁଥିଲେ ସୁଧୀର। କିନ୍ତୁ ନିବେଦିତାଙ୍କ ମନରେ ଥିଲା ଅନ୍ୟ କିଛି। ପ୍ରେମ ସମ୍ପର୍କ ଏହି ହତ୍ୟାକାଣ୍ଡର ମୁଖ୍ୟ କାରଣ ବୋଲି ଆଶଙ୍କା କରାଯାଉଛି ।
ପୁଅକୁ ହରାଇବା ପରେ ଭାଙ୍ଗି ପଡିଛନ୍ତି ବୃଦ୍ଧ ବାପା ନୀଳମଣି ପାତ୍ର। ଜଣେ ପୁଅକୁ ହୃଦଘାତରେ ହରାଇବା ପରେ ସାନ ପୁଅ ସୁଧୀର ହିଁ ତାଙ୍କର ଏକମାତ୍ର ସାହାରା ଥିଲା। କିନ୍ତୁ ସେହି ସାହାରାକୁ ବି ଛଡ଼ାଇ ନେଲେ ନିଜ ରକ୍ତର ସମ୍ପର୍କୀୟ। ନୀଳମଣିଙ୍କ କହିବା କଥା, ଏଠି ଗୁଣି ଗାରେଡିର କୌଣସି ସମ୍ପର୍କ ନାହିଁ, ବରଂ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ। ଦୁଇ ଭାଇଙ୍କ ଭିତରେ ଥିବା ନିବିଡ଼ ସମ୍ପର୍କରେ ଫାଟ ସୃଷ୍ଟି କରିବା ସହ ସୁଧୀରଙ୍କୁ ରାସ୍ତାରୁ ହଟାଇବା ପାଇଁ ଝିଆରୀ ଓ ପୁତୁରା ଏହି ଭୟଙ୍କର ଚକ୍ରବ୍ୟୁହ ରଚିଥିଲେ ।
ସେପଟେ ମୁଖ୍ୟ ଅଭିଯୁକ୍ତ ତଥା ନିବେଦିତାଙ୍କ ପ୍ରେମିକ କାଳୁ ପ୍ରଧାନ ସମେତ ୫ ଜଣଙ୍କୁ ୩ ଦିନିଆ ରିମାଣ୍ଡରେ ନେଇଛି ଗୋପାଳପୁର ପୋଲିସ। ଜିତୁନ ପଳେଇ, ନାରାୟଣ ପ୍ରଧାନ, ଆଶିଷ ମହାପାତ୍ର ଏବଂ ସୂର୍ଯ୍ୟ ପ୍ରତାପ ସିଂଙ୍କୁ ମୁହାଁମୁହିଁ ଜେରା କରାଯିବ। ଗୁଳି କିଏ ଫୁଟାଇଲା? ହତ୍ୟା ପରେ ଗାଡ଼ି କେଉଁଠି ଲୁଚାଗଲା? ଏବଂ ଏହି ପୁରା ଘଟଣାକ୍ରମରେ ଆଉ କାହାର ସମ୍ପୃକ୍ତି ରହିଛି, ତା’ର ସମସ୍ତ ତଥ୍ୟ ଖୋଜିବ ପୋଲିସ। ଆଗାମୀ ୩ ଦିନ ଏହି ହାଇପ୍ରୋଫାଇଲ ମର୍ଡର କେସ୍ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି।
📱 Get Argus News App
✨Related Topics
Explore more stories