Sudhir Patra Murder Case / ବହୁଚର୍ଚ୍ଚିତ ସୁଧୀର ପାତ୍ର ହତ୍ୟା ମାମଲା.. କୋର୍ଟରେ ୫୫୨ ପୃଷ୍ଠାର ଚାର୍ଜସିଟ୍ ଦାଖଲ

Key Points
ଜେଏମ୍ଏଫ୍ସି କୋର୍ଟରେ ୫୫୨ ପୃଷ୍ଠାର ଚାର୍ଜସିଟ୍ ଦାଖଲ, ୧୩ ଅଭିଯୁକ୍ତ ଓ ୬୮ ସାକ୍ଷୀ...
୨ କୋଟି ମୁଣ୍ଡଜାମିନ ନ ମିଳିବାରୁ କଲେ ହତ୍ୟା...
ବହୁଚର୍ଚ୍ଚିତ ସୁଧୀର ପାତ୍ର ହତ୍ୟା ମାମଲା.. କୋର୍ଟରେ ୫୫୨ ପୃଷ୍ଠାର ଚାର୍ଜସିଟ୍ ଦାଖଲ.. ପ୍ଲଟ୍ ବ୍ୟବସାୟୀ ସୁଧୀର ପାତ୍ର ଅପହରଣ ଓ ହତ୍ୟା ମାମଲାରେ ଗୋପାଳପୁର ଥାନା ପୋଲିସ ଜେଏମ୍ଏଫ୍ସି କୋର୍ଟରେ ୫୫୨ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି ।
ତଦନ୍ତକାରୀ ଅଧିକାରୀ ଶୁଭ୍ରାଂଶୁ ଶେଖର ପରିଡ଼ାଙ୍କ ଦ୍ୱାରା ଦାଖଲ ଏହି ଚାର୍ଜସିଟ୍ରେ ୬୮ ଜଣ ସାକ୍ଷୀ ଏବଂ ୧୩ ଜଣ ଅଭିଯୁକ୍ତଙ୍କ ନାମ ରହିଛି । ସୁଧୀରଙ୍କ ପୁତୁରା ତୁଷାର ପାତ୍ର, ଝିଆରି ନିବେଦିତା ପାତ୍ର ଏବଂ ତାଙ୍କ ପ୍ରେମିକ କାଳୁ ଚରଣ ପ୍ରଧାନଙ୍କୁ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଭାବେ ଦର୍ଶାଯାଇଛି ।
ସେହିପରି ନାରାୟଣ ପ୍ରଧାନ, ଆଶିଷ ମହାପାତ୍ର, ସୂର୍ଯ୍ୟ ପ୍ରତାପ ସିଂ, ମୁକେଶ ସାହୁ, ସୁମିତ ସିଂ, ରଞ୍ଜନ ମଲ୍ଲିକ, ସରୋଜ ପଣ୍ଡା, ଜିତେନ ପଲାଇ, ଶୁଭମ ଗୌଡ଼ ଓ ଶୁଭମ ନାୟକଙ୍କ ନାମ ଚାର୍ଜସିଟ୍ରେ ରହିଛି । ୨ କୋଟି ଟଙ୍କାର ମୁଣ୍ଡଜାମିନ୍ ନ ମିଳିବାରୁ ସୁଧୀରଙ୍କୁ ହତ୍ୟା କରାଯାଇଥିବା ଦର୍ଶାଯାଇଛି ।
ଅପହରଣ, ଆପରାଧିକ ଷଡ଼ଯନ୍ତ୍ର, ହତ୍ୟା ଏବଂ ପ୍ରମାଣ ନଷ୍ଟ କରିବା ପରି ବିଭିନ୍ନ ଗୁରୁତର ଦଫାରେ ମାମଲା ରୁଜୁ ହୋଇଛି । ଗତ ଏପ୍ରିଲ ୧୫ ତାରିଖ ସନ୍ଧ୍ୟାରେ ବନ୍ଧୁକ ଦେଖାଇ ତାଙ୍କୁ ଅପହରଣ କରାଯାଇଥିଲା । ପରେ ୨ କୋଟି ଟଙ୍କା ଦାବି ପୂରଣ ନ ହେବାରୁ ଅଭିଯୁକ୍ତମାନେ ତାଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ ।
ସୁଧୀରଙ୍କ ମା’ଙ୍କ ଆଖିର ଲୁହ ଶୁଖୁନି । ବସୁନ୍ଧରା ଓ ସୁନା ମୋ ଘରକୁ ଚୁନା କରିଦେଲା । ରାମ-ଲକ୍ଷ୍ମଣଙ୍କ ପରି ଭାଇଙ୍କ ମଧ୍ୟରେ ନିଆଁ ଲଗାଇଲା । ସୁଧୀର ପାତ୍ର ହତ୍ୟା ଘଟଣା ଦିନ ଯେତେ ଗଡୁଥିଲେ ବି ପୁରା ଘଟଣା ଉପରୁ ପରା ଉଠୁନି ।
ସୁଧୀରଙ୍କ ପତ୍ନୀ ରଶ୍ମିତାଙ୍କ କହିବା କଥା ସୁଧୀରଙ୍କ ଭାଇ ମନୋଜ ଶେୟାର ମାର୍କେଟରେ ଅଢ଼େଇ କୋଟି ଟଙ୍କା ହରାଇବା ପରେ ହୃଦଘାତରେ ପ୍ରାଣ ହରାଇଥିଲେ । କିନ୍ତୁ ମନୋଜଙ୍କ ପତ୍ନୀ ବସୁନ୍ଧରା ଏଥିପାଇଁ ସୁଧୀରଙ୍କୁ ଦାୟୀ କରିବା ସହ ତାଙ୍କ ସମ୍ପତ୍ତି ଓ ସଫଳତାକୁ ନେଇ ଇର୍ଷା କରୁଥିଲେ । ମନୋଜଙ୍କ ମୃତଦେହ ଘରକୁ ଆସିବା ଦିନ ହିଁ ବସୁନ୍ଧରା ଧମକ ଦେଇଥିଲେ ଯେ ସେ ରଶ୍ମିତାଙ୍କୁ ଶାନ୍ତିରେ ରହିବାକୁ ଦେବେ ନାହିଁ । ବସୁନ୍ଧରାଙ୍କ ଇର୍ଷା ଓ ପ୍ରତିଶୋଧ ପରାୟଣ ମନୋଭାବ ହିଁ ସୁଧୀରଙ୍କୁ କଲବଲ କରି ହତ୍ୟା କରିବାର ମୁଖ୍ୟ କାରଣ ବୋଲି ରଶ୍ମିତା କହିଛନ୍ତି ।
ସୁଧୀର ହତ୍ୟାକାଣ୍ଡରେ ଝିଆରୀ ନିବେଦିତା ଓ ପୁତୁରା ତୁଷାରଙ୍କ ହାତ ଥିଲେ ସୁଦ୍ଧା, ପ୍ରକୃତ ଷଡ଼ଯନ୍ତ୍ରକାରୀ ହେଉଛନ୍ତି ସୁଧୀରଙ୍କ ଭାଉଜ ବସୁନ୍ଧରା ଓ ତାଙ୍କ ମାମୁଁ । ରଶ୍ମିତାଙ୍କ କହିବା ଅନୁଯାୟୀ, ନିବେଦିତା ଓ ତୁଷାରଙ୍କୁ ସୁଧୀର ନିଜ ପିଲା ଭଳି ଭଲ ପାଉଥିଲେ, କିନ୍ତୁ ବସୁନ୍ଧରା ସେମାନଙ୍କ ମନରେ ସୁଧୀରଙ୍କ ପ୍ରତି ବିଷ ଭରି ଦେଇଥିଲେ । ଗୋଟିଏ ସୁନ୍ଦର ହସଖୁସିର ପରିବାରକୁ ବସୁନ୍ଧରା ଓ ତାଙ୍କ ଭାଇ ସୁନା ମିଶି ଚୁନା କରିଦେଇଛନ୍ତି । ଏବେ ନିଜ ପିଲାଙ୍କ ସୁରକ୍ଷାକୁ ନେଇ ଚିନ୍ତିତ ରଶ୍ମିତା, ବସୁନ୍ଧରା ଓ ତାଙ୍କ ଭାଇଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି । ଏହି ଦାବିରେ ସୁଧୀରଙ୍କ ମା’ ମଧ୍ୟ ସ୍ୱର ମିଳାଇଛନ୍ତି ।
ସୁଧୀର ହତ୍ୟାକାଣ୍ଡ ଘଟଣାରେ ପତ୍ନୀଙ୍କ ଏହି ସଙ୍ଗୀନ ଅଭିଯୋଗ ପରେ ପୋଲିସର ତଦନ୍ତ କେଉଁ ଦିଗକୁ ଯାଉଛି ଏବଂ ଅସଲ ଗୋଡ଼ିଆଣି ସାଜିଥିବା ବସୁନ୍ଧରା ଓ ତାଙ୍କ ଭାଇଙ୍କୁ ପୋଲିସ କେବେ ତଦନ୍ତ ପରିସରଭୁକ୍ତ କରୁଛି, ତାହା ଦେଖିବାକୁ ବାକି ରହିଲା ।
📱 Get Argus News App
✨Related Topics
Explore more stories