ମମତା ମହାନ୍ତଙ୍କ ଫର୍ମୁଲାରେ ବିଜେପିରୁ ସୁଜିତ କୁମାର ଯିବେ ରାଜ୍ୟସଭା

Key Points
- ମମତା ମହାନ୍ତଙ୍କ ଫର୍ମୁଲାରେ ବିଜେପିରୁ ସୁଜିତ କୁମାର ଯିବେ ରାଜ୍ୟସଭା
- ବିଧାନସଭା ସଂଖ୍ୟା ଦୃଷ୍ଟିରୁ ନିର୍ବାଚନ ହେଲେବି ସୁଜିତଙ୍କ ବିଜୟ ପକ୍କା
- ସଂସଦରେ ବିଜେଡିର ଏକମାତ୍ର ତାକତ ରାଜ୍ୟସଭା ସଦସ୍ୟ ହେଉଛନ୍ତି ଖାଲି
- ଏବେ ଚର୍ଚ୍ଚା ମମତା ଓ ସୁଜିତଙ୍କ ପରେ ବିଜେଡିର କେଉଁ ସାଂସଦଙ୍କ ପାଳି ?
- 2026 ଏପ୍ରିଲରେ ଓଡ଼ିଶାରୁ ଖାଲିହେବ ୪ ରାଜ୍ୟସଭା ଆସନ
- ତା ପୂର୍ବରୁ ରହିଛି ସୁଯୋଗ ହେବାକୁ ଆଉ ୨ ରାଜ୍ୟସଭା ଉପନିର୍ବାଚନ
ଅର୍ଗସ ବ୍ୟୁରୋ: ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ଭାବେ ନାମାଙ୍କନ ଭରିଲେ ସୁଜିତ କୁମାର। ସୁଜିତଙ୍କ ପାଇଁ 30 ଜଣ ପ୍ରସ୍ତାବକ ଅଛନ୍ତି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ ମନ୍ତ୍ରୀ ଓ ବିଧାୟକ ମାନଙ୍କ ଉପସ୍ଥିତିରେ ସୁଜିତ ଭରିଛନ୍ତି ନାମାଙ୍କନ। ସେପ୍ଟେମ୍ବର ୬ରେ ରାଜ୍ୟସଭାରୁ ଇସ୍ତଫା ଦେବା ସହ ବିଜେଡ଼ି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ ସୁଜିତ କୁମାର । ସେବେଠାରୁ ରାଜ୍ୟସଭାରେ ଓଡ଼ିଶାର ଗୋଟିଏ ସିଟ ଖାଲି ପଡ଼ିଥିଲା । କିଛି ମାସ ତଳେ ବିଜେଡ଼ି ଛାଡି ବିଜେପିରେ ମିଶିଥିବା ମମତା ମହାନ୍ତଙ୍କୁ ମଧ୍ୟ ରାଜ୍ୟସଭା ପଠାଇଥିଲା ବିଜେପି। ଏବେ ମମତାଙ୍କ ଫର୍ମୁଲାରେ ସୁଜିତଙ୍କୁ ବି ସୁଯୋଗ ଦେଇଛି ବିଜେପି। ଏଥିପାଇଁ ପ୍ରଧାନମନ୍ତ୍ରୀ ଏବଂ ବିଜେପି ରାଜ୍ୟ ସଭାପତିଙ୍କୁ ଧନ୍ୟବାଦ ଜଣାଇଛନ୍ତି ସୁଜିତ କୁମାର। ରାଜ୍ୟର ସ୍ବାର୍ଥ ପାଇଁ କାମ କରିବି। ମୁଖ୍ୟତଃ ଦକ୍ଷିଣ ଓଡ଼ିଶା ଓ ପଶ୍ଚିମ ଓଡ଼ିଶା ଉପରେ ଫୋକସ ରହିବ ବୋଲି କହିଛନ୍ତି ସୁଜିତ କୁମାର ।
୨୦୨୪ ନିର୍ବାଚନରେ ବିଜେଡି ଲୋକସଭାରେ ଖାତା ଖୋଲିପାରିନଥିବା ବେଳେ ୯ ରାଜ୍ୟସଭା ସାଂସଦଙ୍କ ବଳରେ ସଂସଦରେ ନିଜ ଉପସ୍ଥିତି ଜାହିର କରୁଥିଲା ବିଜୁ ଜନତା ଦଳ। ତେବେ ସେଥିରୁ ଦୁଇ ଜଣ ବିଜେଡି ଛାଡ଼ିବା ପରେ ଦଳର ଆସନ ସଂଖ୍ୟା ୭କୁ ଖସିଆସିଛି। ସେପଟେ ସୁଜିତ କୁମାର ଜିତିବା ସହ ଓଡ଼ିଶାରୁ ବିଜେପିର ରାଜ୍ୟସଭା ସାଂସଦଙ୍କ ସଂଖ୍ୟା ୩ରେ ପହଞ୍ଚିବ। ମମତା ଓ ସୁଜିତଙ୍କଠାରୁ ଆରମ୍ଭ ହୋଇଥିବା ଟ୍ରେଣ୍ଡରେ ଆଗକୁ କାହା ପାଳି ତାକୁ ନେଇ ଏବେ ଚର୍ଚ୍ଚା। ସୁଜିତଙ୍କ ସହ ୨୦୨୬ ଏପ୍ରିଲରେ ମମତା ମହାନ୍ତ, ମୁଜିବୁଲ୍ଲା ଖାଁ ଓରଫ ମୁନ୍ନା ଖାଁ ଏବଂ ନିରଞ୍ଜନ ବିଶିଙ୍କ କାର୍ଯ୍ୟକାଳ ସରୁଛି। ଏହାପରେ ରାଜ୍ୟସଭାରେ ବିଜେଡିରେ ଆଉ ୫ ସାଂସଦ ରହିବେ। ସେମାନଙ୍କ ମଧ୍ୟରୁ ମାନସ ମଙ୍ଗରାଜ, ସସ୍ମିତ ପାତ୍ର ଏବଂ ସୁଲତା ଦେଓଙ୍କ କାର୍ଯ୍ୟକାଳ ଜୁଲାଇ ୨୦୨୮ରେ ପୂରୁଥିବା ବେଳେ। ସୁବାଶିଷ ଖୁଣ୍ଟିଆ ଓ ଦେବାଶିଷ ସାମନ୍ତରାୟଙ୍କ କାର୍ଯ୍ୟକାଳ ସରିବ ଏପ୍ରିଲ ୨୦୩୦ରେ।
ଏବେ ପ୍ରଶ୍ନ ଏହି ବିଜେଡି ସାଂସଦଙ୍କ ମଧ୍ୟରୁ କିଏ ମମତା ଓ ସୁଜିତଙ୍କୁ କରିବେ ଫଲୋ। କାରଣ ୨୦୨୬ ଏପ୍ରିଲରେ ୪ଟି ଆସନ ପାଇଁ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ପୂର୍ବରୁ ଆଉ ଦୁଇଟି ଉପନିର୍ବାଚନ ପାଇଁ ରହିଛି ସୁଯୋଗ। ନିଜ ରାଜ୍ୟସଭା ସାସଦଙ୍କ ଭାଡ଼ି ଖାଲି ହେଉଥିବା ଦେଖି ଏବେ ଔଷଧ ବିକଳରେ ତାଟିଆ କାମୁଡୁଛି ବିଜେଡି। ଡିସେମ୍ବର ୧୦ରେ ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରାଥୀ ପତ୍ର ଦାଖଲର ଶେଷ ତାରିଖ ଥିବାବେଳେ ଯଦି ଏକାଧିକ ପ୍ରାର୍ଥୀ ରହିବେ ଡିସେମ୍ବର ୨୦ ତାରିଖରେ ହେବ ଭୋଟ୍। ଯଦିବି ନିର୍ବାଚନ ହେଉଛି ସଂଖ୍ୟା ଦୃଷ୍ଟିରୁ ବିଜେପି ପ୍ରାର୍ଥୀଙ୍କ ବିଜୟ ସୁନିଶ୍ଚିତ।