ସ୍ବାମୀ RTIରେ ଦୁର୍ନୀତି ତଥ୍ୟ ମାଗିବାରୁ ସ୍ତ୍ରୀଙ୍କ ଉପରେ ପାଶବିକତା

Key Points
- ଯାଜପୁର ଦଶରଥପୁରରେ ମହିଳାଙ୍କ ଉପରେ ତାଲିବାନି ବର୍ବରତା
- ସ୍ବାମୀ RTIରେ ଦୁର୍ନୀତି ତଥ୍ୟ ମାଗିବାରୁ ସ୍ତ୍ରୀଙ୍କ ଉପରେ ପାଶବିକତା
- ବିଧାୟିକା ପ୍ରମିଳା ମଲ୍ଲିକଙ୍କ ଇସାରାରେ ଆଟାକ୍ ହୋଇଥିବା କହିଲେ ପିଡ଼ୀତା
- ବିଜେଡି ସମର୍ଥିତ ସରପଞ୍ଚଙ୍କ ସ୍ବାମୀ ଆକ୍ରମଣ ପଛର ମୁଖ୍ୟ କାର୍ପଟଦାର !
- ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଲା ଜୋରଦାର
ଅର୍ଗସ ବ୍ୟୁରୋ: ଘୋଷାଡ଼ିଲେ, ମାଡ଼ମାରିଲେ, ଶାଢୀ ଚିରିଦେଲେ, ଅସଦାଚରଣ କଲେ ଧକାଦେଲେ। ଯାଜପୁର ଦଶରଥପୁର ଥାନା ଅନ୍ତର୍ଗତ ରାହାସୋଇ ପଞ୍ଚାୟତ ଜଗନ୍ନାଥପୁର ଗାଁରେ ଦେଖିବାକୁ ମିଳିଛି ଜଣେ ମହିଳାଙ୍କ ପ୍ରତି ଏପରି ତାଲିବାନି ବର୍ବରତା। ପୁଣି ଲଜ୍ଜିତ କରିିଛି ମାନବିକତା। ସବୁ ସୀମା ପାର କରିଛି ପାଶବିକତା। ମହିଳାଙ୍କର ଭୁଲ ଏହା ଯେ ତାଙ୍କ ସ୍ବାମୀ ପଞ୍ଚାୟତର ବିଭିନ୍ନ ଦୁର୍ନୀତି ବିରୋଧରେ ସ୍ବର ଉଠାଇବା ସହ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମାଗିଥିଲେ। ବାସ୍ ଏତିକିରେ ନିଆଁବାଣ ହୋଇଥିଲେ ସରପଞ୍ଚ ଓ ତାଙ୍କ ସମର୍ଥକ। ଅଭିଯୋଗ ହୋଇଛି ବିଜେଡି ସମର୍ଥିତ ସରପଞ୍ଚ ରିତାଞ୍ଜଳି ଦ୍ବିବେଦୀଙ୍କ ସ୍ବାମୀ ଶିବ ପ୍ରସାଦ ରଥ ଓ ତାଙ୍କ ସମର୍ଥକ ସୂଚନା ଅଧିକାର କର୍ମୀ ଅଶୋକଙ୍କୁ ଘରୁ ଘୋଷାଡ଼ି ଆଣି ମାଡ଼ ମାରିଥିଲେ। ଏହାକୁ ବିରୋଧ କରିବାରୁ ଅଶୋକଙ୍କ ପତ୍ନୀ ଲତିକା ପତିଙ୍କ ସହ ଯାହା କଲେ ସେ ଦୃଶ୍ୟ ଏବେ ସୋସିଆଲ ମିଡିଆରେ ହେଉଛି ଭାଇରାଲ। ଲତିକାଙ୍କୁ ମାଡ଼ ମାରି ଲହୁଲୁହାଣ କରିବା ସହ ଅର୍ଦ୍ଧଲଗ୍ନ କରି ଅସଦାଚରଣ କରିଥିଲେ ସରପଞ୍ଚଙ୍କ ସମର୍ଥକ। ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକଙ୍କ ଇସାରାରେ ଏସବୁ ହୋଇଥିବା ଅଭିଯୋଗ କରିଛନ୍ତି ପିଡ଼ୀତା।
ଏ ନେଇ ଲତିକାଙ୍କ ପକ୍ଷରୁ ଦଶରଥପୁର ଥାନାରେ ଦିଆଯାଇଛି ଏତଲା। ଦୁଇ ଅଭିଯୁକ୍ତ ଦୀପ୍ତିରଞ୍ଜନ ପାଣିଗ୍ରାହୀ ଓ ମହେଶ୍ବର ସେଠୀଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଘଟଣାର ମୁଖ୍ୟ କାର୍ପଟଦାର କୁହାଯାଉଥିବା ସରପଞ୍ଚଙ୍କ ସ୍ବାମୀ ଶିବପ୍ରସାଦ ରଥ ଫେରାର ଅଛି। ଶନିବାର ଓଡ଼ିଶା ସୂଚନା ଅଧିକାର ଫୋରମର ଆବାହକ ପ୍ରଦୀପ ପ୍ରଧାନ ଓ ସୂଚନା ଅଧିକାର କର୍ମୀ ସର୍ବେଶ୍ବର ବେଉରିଆ ପ୍ରମୁଖ ଅଶୋକ ପତି ଓ ତାଙ୍କ ପୀଡ଼ିତା ପତ୍ନୀଙ୍କୁ ଭେଟିଥିଲେ ତୁରନ୍ତ ମୁଖ୍ୟ ଅଭିଯୁକ୍ତକୁ ଗିରଫ ସହ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ କରିଛନ୍ତି ଦାବି
ସେପଟେ ବିଜେପି ନେତ୍ରୀ ବବିତା ମଲ୍ଲିକ ମଧ୍ୟ ପୀଡ଼ିତାଙ୍କୁ ଭେଟିଛନ୍ତି। ଏତେବଡ଼ ଘଟଣାରେ ଜଣେ ମହିଳା ହୋଇ ବି ସ୍ଥାନୀୟ ବିଧାୟିକା ପ୍ରମିଳା ମଲ୍ଲିକ ଚୁପ ରହିବାକୁ ନେଇ ସମାଲୋଚନା କରିଛନ୍ତି ବବିତା।
ଯାଜପୁର ଜିଲ୍ଲାରେ ସୂଚନା ଅଧିକାର କର୍ମୀଙ୍କ ଉପରେ ଆକ୍ରମଣ ନୂଆ ନୁହେଁ ବିଜେଡି ସରକାର ସମୟରେ ବାରମ୍ବାର ସୂଚନା ଅଧିକାର କର୍ମୀଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି। ଧର୍ମଶାଳାର ସୂଚନା ଅଧିକାର କର୍ମୀ ସର୍ବେଶ୍ବର ବେଉରିଆଙ୍କ ଗାଡ଼ି ଉପରେ ବୋମା ମାଡ଼ ହେଇଥିଲା ଯେଉଁଥିଲେ ସେ ଗୁରୁତର ହୋଇଥିଲେ। ସେହିପରି ବିଞ୍ଚାରପୁର ଅଞ୍ଚଳର ଆଉ ଜଣେ ସୂଚନା ଅଧିକାର କର୍ମୀ ସୀମାନ୍ତ ପାତ୍ର ପଞ୍ଚାୟତରେ ଦୁର୍ନୀତି ସମ୍ପର୍କରେ ଆରଟିଆଇରେ ତଥ୍ୟ ମାଗିବାରୁ ତାଙ୍କ ଉପରେ ବି ହୋଇଥିଲା ଆକ୍ରମଣ।
📱 Get Argus News App
✨ଓଡ଼ିଶାରେ ସରକାର ବଦଳିଛି ହେଲେ ନେତାଙ୍କ ଠାରୁ ତୃଣମୂଳସ୍ତରର ବିଜେଡି କର୍ମୀଙ୍କ ଯାଏ ମାନସିକତା ବଦଳି ନାହିଁ। ଏ ଘଟଣାରେ ଯଦି ପୋଲିସ କଠୋର ପଦକ୍ଷେପ ନନିଏ ଆଗକୁ ଏଭଳି ସଂଘବଦ୍ଧ ଅପରାଧ ଘଟଇବାକୁ ଅଧିକ ସାହସ ପାଇବେ ଅଭିଯୁକ୍ତ। ମୁଖ୍ୟ ଅଭିଯୁକ୍ତ କେବେ ଧରାପଡୁଛି ଏବେ ତାକୁ ଅପେକ୍ଷା।