ମ୍ୟାଚ ମେକିଂ ଆପ୍ ସାହାଯ୍ୟରେ ଯୁବକଙ୍କୁ କରୁଥିଲେ ଟାର୍ଗେଟ

Key Points
ଟିଣ୍ଡର ଆପରେ ମିଠାମିଠା କଥା, ପରେ ବନ୍ଧୁତା ଓ ଶେଷରେ ଲୁଟ୍
ବରଗଡ଼ରେ ସାମ୍ନାକୁ ଆସିଛି ଲୁଟର ନୂଆ ତରିକା ଟିଣ୍ଡର ଆପ୍
ମ୍ୟାଚ ମେକିଂ ଆପ୍ ସାହାଯ୍ୟରେ ଯୁବକଙ୍କୁ କରୁଥିଲେ ଟାର୍ଗେଟ
ଯେଉଁଠି ଯୁବପିଢ଼ି ସାଥୀ ଖୋଜୁଛନ୍ତି, ସେଠି ବସିଛନ୍ତି ବଡ଼ ଲୁଟେରା
ଦୁଇ ପାଠୁଆ ଯୁବକଙ୍କୁ , ଜଣେ ହେଲେ ଏମବିଏ ପଢୁଆ ଅମିତ୍ ଦାସ ଓ ଅନ୍ୟ ଜଣକ ଆଇଟିଆଇ ପାଠ ପଢ଼ିଥିବା ଅଜୟ ଶର୍ମା । ଏହି ଦୁଇ ପାଠୁଆ ପ୍ରଚୁର ଟଙ୍କା ଆୟ ମୋହରେ ଯୁବକଙ୍କୁ ଟିଣ୍ଡରରେ କରୁଥିଲେ ଟାର୍ଗେଟ। ଟିଣ୍ଡରରେ ଫେକ୍ ଆକାଉଣ୍ଟ କରି ପ୍ରଥମେ ଯୁବକଙ୍କ ସହ ବନ୍ଧୁତା ସ୍ଥାପନ କରୁଥିଲେ। ପରେ ସାକ୍ଷାତ ହେବାକୁ କହି ନିଛାଟିଆ ସ୍ଥାନକୁ ଡାକୁଥିଲେ। ନିରୋଳା ସ୍ଥାନରେ ଯୁବକଙ୍କୁ ମାଡ଼ ମାରିବା ସହ ଟଙ୍କା ଦାବି କରୁଥିଲେ। ଟଙ୍କା ନଦେଲେ ପରିବାର ଲୋକଙ୍କୁ ଫୋନ କରି ଟଙ୍କା ଦିଅ ନହେଲେ ଆପଣଙ୍କ ପୁଅକୁ ଛାଡ଼ିବୁନାହିଁ ବୋଲି ଧମକ୍ ଦେଉଥିଲେ। ଟଙ୍କା ପାଇବା ପରେ ଯୁବକଙ୍କୁ ଛାଡ଼ିଦେଉଥିଲେ। । ଶୁଣନ୍ତୁ ଏମାନଙ୍କ ଜାଲରେ ପଶିଥିବା ଜଣେ ଯୁବକ କଣ କହୁଛନ୍ତି।
ଏମିତି ଅନ୍ୟ ଜଣେ ଯୁବକଙ୍କୁ ଫସାଇବା ପୂର୍ବରୁ ଏହି ଦୁଇ ଯୁବକଙ୍କ ବିଷୟରେ ଜାଣିବାକୁ ପାଇଥିଲା ବରଗଡ଼ ଟାଉନଥାନା ପୋଲିସ। ଏମାନଙ୍କୁ ଧରିବାପାଇଁ ବିଛାଯାଇଥିଲା ଜାଲ। ପରେ ତାଙ୍କ ଆକାଉଣ୍ଟ ଆଧାରରେ ଲୋକେସନ ଟ୍ରାକ୍ କରି ଦୁଇ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିଲା। ସୋମବାର ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ। ଏହାସହ ଏନେଇ ଅଧିକ ତଦନ୍ତ କରାଯାଉଥିବା କହିଛନ୍ତି ବରଗଡ଼଼ ଏସଡିପିଓ ପଦାରବିନ୍ଦ ତ୍ରିପାଠୀ।
ଏ ଦୁଇ ଲୁଟେରା ସିନା ଧରାପଡ଼ିଗଲେ ହେଲେ ଏହିପରି ଅନେକ ଫ୍ରଡ୍ ବିଭିନ୍ନ ଡେଟିଂ ଓ ଫ୍ରେଣ୍ଡସିପ୍ ଆପରେ ନକଲି ପରିଚୟ ଦେଇ ସାଥୀ ଖୋଜୁଥିବା ଯୁବକ ଯୁବତୀଙ୍କୁ ବନାଉଛନ୍ତି ଶିକାର। ତେଣୁ ଏଭଳି ଆପ୍ ବ୍ୟବହାର କରୁଥିଲେ ହୋଇଯାଆନ୍ତୁ ସାବଧାନ।