Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଧର୍ମେନ୍ଦ୍ର କହିଲେ ଗୋଟାଏ, ବିରୋଧୀ ବୁଝିଲେ ଆଉ ଗୋଟାଏ

Sarbeswar Mohapatra
Browse all articles by Sarbeswar Mohapatra
·1 year ago·3 min read
ଧର୍ମେନ୍ଦ୍ର କହିଲେ ଗୋଟାଏ, ବିରୋଧୀ ବୁଝିଲେ ଆଉ ଗୋଟାଏ

Key Points

  • ରେଭେନ୍ସା ନାଁ ପରିବର୍ତ୍ତନ ଜରୁରୀ ବୋଲି କହିଲେ ଧର୍ମେନ୍ଦ୍ର
  • ବୁଦ୍ଧିଜୀବୀ ଓ ଶିକ୍ଷାବିତଙ୍କ ମାଗିଥିଲେ ପରାମର୍ଶ
  • କିଏ କିଏ ହଁ କହିଲେ, ଆଉ କି ନା

ଅର୍ଗସ ବ୍ୟୁରୋ: ରେଭେନ୍ସା ବିଶ୍ଵବିଦ୍ୟାଳୟ । ବହୁ ପୁରୁଣା । ଓଡ଼ିଶାର ସ୍ଵନାମଧନ୍ୟ ଶିକ୍ଷାନୁଷ୍ଠାନ । ଏଥିରେ କୌଣସି ଦ୍ଵିମତ ନାହିଁ ।  କିନ୍ତୁ ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ରେଭେନ୍ସା ନାଁ ପରିବର୍ତ୍ତନ କରାଯିବ ଉଚିତ୍‌ । କେନ୍ଦ୍ରମନ୍ତ୍ରୀଙ୍କ ଏହି ବୟାନ ପରେ କେହି କେହି ଏହାକୁ ବିରୋଧ କରିଛନ୍ତି ତ ଆଉ କିଏ ସ୍ଵାଗତ କରିଛନ୍ତି । କିନ୍ତୁ ବିରୋଧୀ ବିଜେଡି ଏହାକୁ ବିରୋଧ କରିଛି ଆଉ ଶାସକ ବିଜେପି ଜବାବ ବି ରଖିଛି ।

କେଉଁଠି ବିରୋଧ, କେଉଁଠି ସ୍ଵାଗତ । ଘନେଇଲା 'ରେଭେନ୍ସା' ଝଡ଼  । ଧର୍ମେନ୍ଦ୍ରଙ୍କ ମନ୍ତବ୍ୟକୁ ନେଇ ମୁହାଁମୁହିଁ ବିଜେଡି ଓ ବିଜେପି । ରେଭେନ୍ସା ନାମ ପରିବର୍ତ୍ତନ ହେବା ଦରକାର ବୋଲି  କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମତ ରଖିବା ପରେ, ଏହାକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି । ହେଲେ ଧର୍ମେନ୍ଦ୍ର ପ୍ରଧାନଙ୍କ ସମର୍ଥନରେ ବାହାରିଛନ୍ତି ବହୁ ବୁଦ୍ଧିଜୀବୀ ଓ ଶିକ୍ଷାବିତ୍। ରେଭେନସା ନାଁ ପରିବର୍ତ୍ତନକୁ ବିରୋଧ କରୁଛନ୍ତି ଏହି ଶିକ୍ଷାନୁଷ୍ଠାନର କିଛି ପୂରାତନ ଛାତ୍ର ଓ ରାଜନେତା । ଜାଣିବା ପୂର୍ବରୁ ପ୍ରଥମେ ଆସନ୍ତୁ ଶୁଣିନେବା ଏ ପ୍ରସଙ୍ଗରେ କଣ ଥିଲା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପୂରା ବୟାନ।

ଧର୍ମେନ୍ଦ୍ର ସ୍ପଷ୍ଟ ଭାବରେ କହିଥିଲେ, ରେଭେନ୍ସା ନାଁର ପରିବର୍ତ୍ତନ ହେବା ଆବଶ୍ୟକତା ମନେ ହେଉଛି । ଏହା ମୋର ବ୍ୟକ୍ତିଗତ ମତ । ଏନେଇ ଶିକ୍ଷାବିତ ଓ ବୁଦ୍ଧିଜୀବୀ ମତାମତା ଦିଅନ୍ତୁ । କିଛି ହେଲେ ଏହାକୁ ନେଇ ଶୁଖିଲା ରାଜନୀତି କରୁଛି ବିଜେଡି । ଖାଲି ରାଜନୀତି କରୁନି ବରଂ କେନ୍ଦ୍ରମନ୍ତ୍ରୀଙ୍କୁ ଇତିହାସ ପଢିବାକୁ ବି କହିଛି । କଥା ହେଲା କେନ୍ଦ୍ରମନ୍ତ୍ରୀ ମତାମତ ଲୋଡିଥିଲେ ଏବଂ ସ୍ପଷ୍ଟ କରିଥିଲେ କି ଏହା ତାଙ୍କର ବ୍ୟକ୍ତିଗତ ମତ । ଏଥିରେ ଇତିହାସ କେଉଁଠୁ ଆସିଲା ବୋଲି ଲୋକେ ଓଲଟି ବିଜେଡିକୁ ପ୍ରଶ୍ନ କରିଛନ୍ତି । ସେପଟେ, ରେଭେନ୍ସା ନାଁ ପରିବର୍ତ୍ତନ ନକରି ସେଣ୍ଟ୍ରାଲ ୟୁନିଭର୍ସିଟି ମାନ୍ୟତା ଦେବାକୁ ଦାବି ରଖିଛି କଂଗ୍ରେସ । ତେବେ ରାଜନୈତିକ ବୟାନ ପରେ ବିଜେପି ମଧ୍ୟ ପ୍ରେସମିଟ୍ କରି ଟି.ଇ. ରେଭେନ୍ସାଙ୍କୁ ନରହନ୍ତା ବ୍ରିଟିଶ ଅଫିସର ବୋଲି କହିବା ସହିତ, ତାଙ୍କ ସପକ୍ଷରେ ବିଜେଡି ବାହାରିବାକୁ କଡ଼ା ଭାଷାରେ ନିନ୍ଦା କରିଛି । ମୁଖପାତ୍ର ଅନୀଲ ବିଶ୍ବାଳ କହିଛନ୍ତି, ଟି.ଇ. ରେଭେନ୍ସା ଓଡ଼ିଆମାନେ ଅଳସୁଆ ହୋଇଥିବାରୁ ଦୁର୍ଭିକ୍ଷ ହେଲା ବୋଲି କହିଥିଲେ । ଏକଥା ଜେ.ପି. ଦାସଙ୍କ ଲିଖିତ ଇତିହାସ ପୁସ୍ତକ 'ଦେଶ-କାଳ-ପାତ୍ର'ରେ ଉଲ୍ଲେଖ ରହିଛି । ବିଜେଡି ପୂର୍ବରୁ ଅଣଓଡ଼ିଆ ଅଫିସରଙ୍କ ପାଇଁ ଯୁକ୍ତି ବାଢ଼ୁଥିଲା, ଏବେ ସବୁସୀମା ଡେଇଁ ବ୍ରିଟିଶ ଅଫିସରଙ୍କ ପାଇଁ ଯୁକ୍ତି ବାଢ଼ୁଛି । ତେଣୁ ବିଜେଡି କ୍ଷମା ମାଗିବା ଦରକାର ବୋଲି ବିଜେପି ଦାବି କରିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତେବେ କିଏ ଏହି ରେଭେନସା ସାହେବ ? ୧୮୬୬ରେ ହୋଇଥିବା ଓଡ଼ିଶା ଇତିହାସର ସବୁଠୁ ବଡ଼ ବପତ୍ତି ନଅଙ୍କ ଦୁର୍ଭିକ୍ଷରେ ତାଙ୍କର କଣ ଥିଲା ଭୂମିକା ? ବ୍ୟାସ କବି ଫକୀର ମୋହନ ସେନାପତି ନିଜ ଆତ୍ମ ଜୀବନୀରେ ଲେଖିଛନ୍ତି । କମିଶନର ସାହେବ ଗଭର୍ଣ୍ଣରଙ୍କୁ ଲେଖିଲେ - ଓଡ଼ିଶାରେ ଦୁର୍ଭିକ୍ଷ ପଡ଼ିପାରେ ମାତ୍ର ଦେଶ ମଧ୍ୟରେ ଅନେକ ଧାନ ମହଜୁଦ ଅଛି ସେଥିରେ ବର୍ଷକ ଚଳିପାରିବ । କମିଶନର ସାହେବ ବଡ଼ ଭୁଲ କଲେ ଓଡ଼ିଶାରେ ପ୍ରକୃତରେ ଏତେ ଧାନ ମହଜୁଦ ଅଛି କି ନାହିଁ, ପୁଣି ଯେଉଁମାନଙ୍କ ଘରେ ଧାନ ମହଜୁଦ ଅଛି ସାଧାରଣ ସଂକଟ ସମୟରେ ସେମାନେ ସେହି ଧାନ ବିକ୍ରୟ ବା ବିତରଣ କରିବେ କି ନାହିଁ କଥାଟା ଭଲରୂପେ ତଦନ୍ତ କରି ଗଭର୍ଣ୍ଣରଙ୍କୁ ଜଣାଇବା ଉଚିତ ଥିଲା । ହେଲେ ସେ ସେମିତି କିଛି ଦାୟିତ୍ଵ ନିଭାଇ ନଥିବାରୁ ଓଡ଼ିଶାର ଲକ୍ଷଲକ୍ଷ ଲୋକ ପୋକ ମାଛ ପରି ଜୀବନ ହରାଇଥିଲେ ।  

ସେପଟେ ଏହି ପ୍ରସଙ୍ଗରେ ଚର୍ଚ୍ଚା ଆବଶ୍ୟକ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ। ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏହାକୁ କେନ୍ଦ୍ରମନ୍ତ୍ରୀଙ୍କ ବ୍ୟକ୍ତିଗତ ମତ କହିଛନ୍ତି । ସୂଚନା ଅନୁସାରେ, କଲିକତା ପ୍ରେସିଡେନ୍ସି ଅଧୀନରେ ଥିବା ଓଡ଼ିଶାରେ ୧୮୬୫ରୁ ୧୮୭୮ ମସିହା ଯାଏଁ ଅଫିସିଏଟିଂ କମିଶନର ଥିଲେ ଥୋମାସ ଏଡୱାର୍ଡ ରେଭେନ୍ସା । ସେ ଦାୟିତ୍ଵ ନେବାର ପରବର୍ଷ ଅର୍ଥାତ୍ ୧୮୬୬ରେ ପଡ଼ିଥିଲା ୯ ଅଙ୍କ ଦୁର୍ଭିକ୍ଷ, ଯେଉଁଥିରେ ପ୍ରାଣ ହରାଇଥିଲେ ପ୍ରାୟ ୨୦ ଲକ୍ଷ ଓଡ଼ିଆ । ଏହାର ୨ବର୍ଷ ପରେ ୧୮୬୮ ମସିହାରେ ଓଡ଼ିଶାରେ ଉଚ୍ଚଶିକ୍ଷା ସୁଯୋଗ ପାଇଁ, କଟକ ଜିଲ୍ଲା ସ୍କୁଲ ବନିଥିଲା ରାଜ୍ୟର ପ୍ରଥମ କଲେଜ୍ । ସେତେବେଳେ ଏହାର ନାଁ କଟକ କଲେଜ ଥିବା ବେଳେ, ପରେ ରେଭେନ୍ସାଙ୍କ ନାଁ ଅନୁସାରେ ନାମିତ ହୋଇଥିଲା । ତେବେ ଏବେ ନାଁ ପରିବର୍ତ୍ତନ ହେବା ଜରୁରୀ ବୋଲି କେନ୍ଦ୍ରମନ୍ତ୍ରୀ କହିବା ସହ ମତାମତ ଲୋଡିଥିଲେ । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।
 

Sponsored
TE Ravenshaw | Argus News