ସହକାରୀ ଶିକ୍ଷକଙ୍କୁ ବାନ୍ଧିଲା ପୋଲିସ, ପୂର୍ବରୁ ନକ୍ସଲ ହିଂସାକାଣ୍ଡରେ ଥିଲେ ସାମିଲ

Key Points
କିଛି ବର୍ଷ ତଳେ ଖଜୁରୀପଦା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ସହକାରୀ ଶିକ୍ଷକ ଭାବେ ପ୍ରତାପ ନିଯୁକ୍ତି ପାଇଥିଲେ । ଶିକ୍ଷକ ଭାବେ ନିଯୁକ୍ତି ପୂର୍ବରୁ ପ୍ରତାପ ମାଓବାଦୀ ସଂଗଠନରେ ସାମିଲ ଥିଲେ ବୋଲି ପୋଲିସ କହିଛି ।
ମୋହନା: ମାଓ କାର୍ଯ୍ୟକଳାପରେ ଜଡ଼ିତ ଥିବା ଜଣେ ଶିକ୍ଷକଙ୍କୁ ଗିରଫ କରିଛି ଗଜପତି ପୋଲିସ । ଅଡ଼ବା ଥାନା ନୂଆ ଖଜୁରୀପଦା ସରକାରୀ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ପ୍ରତାପ କୁମାର ନାୟକଙ୍କୁ ପୋଲିସ ଗିରଫ କରିଛି । ସହକାରୀ ଶିକ୍ଷକ ପ୍ରତାପ ନାୟକ ପୂର୍ବରୁ ନକ୍ସଲ ସଂଗଠନରେ ସାମିଲ ଥିଲେ ବୋଲି ଅଡ଼ବା ଥାନା ଅଧିକାରୀ ଶୁଭ୍ରାନ୍ତ ପଣ୍ଡା ସୂଚନା ଦେଇଛନ୍ତି ।
କିଛି ବର୍ଷ ତଳେ ଖଜୁରୀପଦା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ସହକାରୀ ଶିକ୍ଷକ ଭାବେ ପ୍ରତାପ ନିଯୁକ୍ତି ପାଇଥିଲେ । ଶିକ୍ଷକ ଭାବେ ନିଯୁକ୍ତି ପୂର୍ବରୁ ପ୍ରତାପ ମାଓବାଦୀ ସଂଗଠନରେ ସାମିଲ ଥିଲେ ବୋଲି ପୋଲିସ କହିଛି । ମାଓ ସଂଗଠନରେ ରହି ସେ ବିଭିନ୍ନ ହିଂସାକାଣ୍ଡ ଘଟାଇଥିଲେ । ୨୦୧୧ ମସିହାରେ ମାଓ ହିଂସା ନେଇ ପ୍ରତାପଙ୍କ ନାମରେ ଅଡ଼ବା ଥାନା କେସ୍ ନମ୍ବର ୧୩୫/୧୧ ରୁଜୁ ହୋଇଥିଲା ।
ଶିକ୍ଷକ ଭାବେ କେବଳ ପ୍ରତାପ ନୁହନ୍ତି ଗଜପତି ଜିଲ୍ଲାର ଅଡ଼ବା, ମୋହନା, ଆର୍. ଉଦୟଗିରି ଥାନା ଅଞ୍ଚଳରେ ଏମିତି ଅନେକ ଶିକ୍ଷକଙ୍କ ସମ୍ପୃକ୍ତି ନକ୍ସଲ ଓ ଗଞ୍ଜେଇ ଚାଲାଣ ସହ ରହିଥିବା ଅଭିଯୋଗ ହେଉଛି । ସେମାନେ ପୋଲିସ ନିକଟରେ ଆତ୍ମସମର୍ପଣ କରିବାକୁ ପ୍ରଶାସନ ଆହ୍ଵାନା ଦେଇଛି । ଏଥିସହ ପୋଲିସ ପକ୍ଷରୁ ଏନେଇ ବ୍ଲକ ଶିକ୍ଷା ଅଧିକାରୀ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ମଧ୍ୟ ଚିଠି କରାଯାଇଛି । ସମ୍ପୃକ୍ତ ଶିକ୍ଷକମାନେ ଆତ୍ମସମର୍ପଣ ନ କଲେ ପୋଲିସ ଗିରଫ କରିବ ବୋଲି କହିଛନ୍ତି ଗଜପତି ଏସ୍ପି ଯତୀନ୍ଦ୍ର ପଣ୍ଡା ।