ଶିକ୍ଷକଙ୍କୁ ଅପହରଣ ପଛରେ କ୍ରିପ୍ଟୋ କାରବାର, ସ୍କୁଲ୍ରୁ ଫେରିବା ବେଳେ ବାଟରୁ ଟେକିନେଲେ ଦୁର୍ବୃତ୍ତ

Key Points
ରବୀନ୍ଦ୍ରଙ୍କ କାର ସେହି ରାସ୍ତାକଡ଼ରେ ଛାଡ଼ି ତାଙ୍କୁ ଅପହରଣ କରି ନେଇଥିଲେ ଦୁର୍ବୃତ୍ତ । ରାସ୍ତାରେ ପଡ଼ିଥିଲା ରବୀନ୍ଦ୍ରଙ୍କ ସାର୍ଟ ଓ ଚପଲ ।
କରଞ୍ଜିଆ: ସ୍କୁଲରୁ କାରରେ ଫେରୁଥିଲେ ଶିକ୍ଷକ, ମଝି ରାସ୍ତାରେ କାର ଅଟକାଇ ଅପହରଣ କଲେ ଦୁର୍ବୃତ୍ତ । ମଯୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅଞ୍ଚଳରେ ସୋମବାର ସନ୍ଧ୍ୟାରେ ଜଣେ ଶିକ୍ଷକଙ୍କୁ ଅପହରଣ କରାଯାଇଛି । ଏକତାଳି ପଞ୍ଚାୟତ ଡୁଲକୁ ସ୍କୁଲର ଶିକ୍ଷକ ରବୀନ୍ଦ୍ର ନାଥଙ୍କୁ ଅପହରଣ କରାଯାଇଥିବା ଥାନାରେ ଅଭିଯୋଗ କରିଛନ୍ତି ତାଙ୍କ ପତ୍ନୀ ।
ସୋମବାର ସ୍କୁଲ୍ ଛୁଟି ପରେ କାର ଯୋଗେ ଘରକୁ ଫେରୁଥିଲେ ରବୀନ୍ଦ୍ର । କାଳିକାପୁର ପେଟ୍ରୋଲ୍ ପମ୍ପ ନିକଟରେ ଆଉ ଏକ କାର୍ ଆସି ରବୀନ୍ଦ୍ରଙ୍କ ଗାଡ଼ି ଆଗରେ ଅଟକି ଥିଲା । ଆଉ ଏହା ପରେ ରବୀନ୍ଦ୍ର ଓ ଦୁର୍ବୃତ୍ତଙ୍କ ମଧ୍ୟରେ କିଛି ସମୟ ଧସ୍ତାଧସ୍ତି ହୋଇଥିଲା । ରବୀନ୍ଦ୍ରଙ୍କ କାର ସେହି ରାସ୍ତାକଡ଼ରେ ଛାଡ଼ି ତାଙ୍କୁ ଅପହରଣ କରି ନେଇଥିଲେ ଦୁର୍ବୃତ୍ତ । ରାସ୍ତାରେ ପଡ଼ିଥିଲା ରବୀନ୍ଦ୍ରଙ୍କ ସାର୍ଟ ଓ ଚପଲ ।
📱 Get Argus News App
✨ତେବେ ଶିକ୍ଷକ ରବୀନ୍ଦ୍ରଙ୍କୁ ଅପହରଣ ପଛରେ କ୍ରିପ୍ଟୋ କରେନ୍ସି କାରବାର ବୋଲି ତାଙ୍କ ସ୍ତ୍ରୀ ଥାନାରେ ଅଭିଯୋଗ କରିଛନ୍ତି । ରବୀନ୍ଦ୍ରଙ୍କ ସ୍ତ୍ରୀ ଦେଇଥିବା ଏତଲା ଅନୁସାରେ, କ୍ରିପ୍ଟୋ କାରବାରରେ ଲିପ୍ତ ଥିଲେ ସ୍ଵାମୀ । କ୍ରିପ୍ଟୋ ପାଇଁ ହିଁ ଅପହରଣ କରାଯାଇଥିବା ଅଭିଯୋଗ କରିଛନ୍ତି । ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି, କ୍ରିପ୍ଟୋରୁ ରବୀନ୍ଦ୍ର ପ୍ରଚୁର ଟଙ୍କା କମାଇବା ପରେ କେହି ଅପହରଣ କରି ନେଇଛନ୍ତି ।
ତେବେ ରବୀନ୍ଦ୍ରଙ୍କୁ ଅପହରଣର ୨ ମାସ ପୂର୍ବରୁ ଦୁର୍ବୃତ୍ତ ତାଙ୍କୁ ଧମକ ଦେଇଥିଲେ । ଏ କଥା କହିଛନ୍ତି, ରବୀନ୍ଦ୍ରଙ୍କ ସାଥି ଶିକ୍ଷକ । ତେବେ ଧମକ ଦେଇଥିବା ଦୁର୍ବୃତ୍ତ କିଏ ? ରବୀନ୍ଦ୍ର ଧମକକୁ ଖାତିର୍ ନ କରିବାରୁ ଅପହରଣ କରାଯାଇଛି କି ? ଏ ଦିଗରେ ପୋଲିସ ଛାନଭିନ୍ କରୁଛି । ଏହା ପୂର୍ବରୁ ଜଣେ ମହିଳା କ୍ରିପ୍ଟୋ ବ୍ୟବସାୟୀଙ୍କୁ ଅପହରଣ ପରେ ଛାଡ଼ି ଦେଇଥିଲେ ଦୁର୍ବୃତ୍ତ । ସେ ତଥ୍ୟକୁ ବି ନଜରରେ ରଖି ପୋଲିସ ଅପହରଣକାରୀଙ୍କୁ ଧରିବାକୁ ପ୍ରୟାସ କରୁଛି ।