ଗାନ୍ଧୀ ମାର୍ଗରେ ଗର୍ଜିଲେ ଗୁରୁ; ମନ୍ତ୍ରୀ କହିଲେ 'ସମସ୍ୟା ସମାଧାନ ପାଇଁ ଚିନ୍ତା କରୁଛନ୍ତି ସରକାର'

Key Points
ଏକାଠି ହେଲେ ହଜାର ହଜାର ଶିକ୍ଷକ । ଗାନ୍ଧୀ ମାର୍ଗରେ ବିଭିନ୍ନ ଶିକ୍ଷକ ସଂଗଠନର ଆନ୍ଦୋଳନ ।
ଭୁବନେଶ୍ଵର: ଗୁରୁଙ୍କ ଗର୍ଜନରେ କମ୍ପିଲା ରାଜଧାନୀ । ଏକାଠି ହେଲେ ହଜାର ହଜାର ଶିକ୍ଷକ । ଗାନ୍ଧୀ ମାର୍ଗରେ ବିଭିନ୍ନ ଶିକ୍ଷକ ସଂଗଠନର ଆନ୍ଦୋଳନ । ଆଜି ଲୋୟର ପିଏମଜିରେ ୪୮୮ ବର୍ଗ ଅନୁଦାନ ପ୍ରାପ୍ତ କଲେଜ ଅଧ୍ୟାପକ କର୍ମଚାରୀ ସମନ୍ଵୟ ସମିତି, ନିଖିଳ ଉତ୍କଳ ଶିକ୍ଷକ ମହାସଂଘ, ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ ସଂଘ ଏବଂ ଓଡ଼ିଶା ସ୍କୁଲ, କଲେଜ ଶିକ୍ଷକ କର୍ମଚାରୀ ସଂଘ ଆନ୍ଦୋଳନ କରିଛନ୍ତି ।
ଏହା ସହ ୬୬୨ ଅନୁଦାନ ପ୍ରାପ୍ତ ବେସରକାରୀ ଅଧ୍ୟାପିକ ଓ କର୍ମଚାରୀ ସଂଘ ମଧ୍ୟ ଆନ୍ଦୋଳନ କରୁଛି । ଅନୁଦାନ ଯୋଗ୍ୟ ସ୍କୁଲ କଲେଜକୁ ଅନୁଦାନ ଏବଂ ଅବସର ନେଉଥିବା ଓ କାର୍ଯ୍ୟରତ ଶିକ୍ଷକମାନଙ୍କୁ ପେନସନ୍ ଦାବିରେ ଆନ୍ଦୋଳନ କରିଛନ୍ତି । ପୂର୍ବ ସରକାର ଅନେକ ପ୍ରତିଶ୍ରୁତି ଦେଇ ମଧ୍ୟ ତାହାକୁ ପାଳନ କରିନଥିଲା । ଏବେ ନୂଆ ସରକାର ଶିକ୍ଷକ ସଂଘର ଦାବିଗୁଡିକ ତୁରନ୍ତ ସମାଧାନ କରିବାକୁ ଦାବି କରିଛନ୍ତି ।
ଚାକିରି ସର୍ତ୍ତାବଳୀ ସହିତ ପେନସନ୍ ପ୍ରଦାନ କରିବା, ନୂତନ ପେନସନ୍ ବ୍ୟବସ୍ଥାକୁ ବାତିଲ କରି ପୂର୍ବ ପ୍ରଚଳିତ ପୁରୁଣା ପେନସନ୍ ବ୍ୟବସ୍ଥା ଲାଗୁ କରିବା, ୨୦୦୪ ରୁ ୨୦୧୩ ମଧ୍ୟରେ ନିଯୁକ୍ତି ପାଇଥିବା ଚୁକ୍ତିଭିତ୍ତିକ ଶିକ୍ଷକଙ୍କୁ ୬ଟି ନାସନାଲ୍ ଇନ୍କ୍ରିମେଣ୍ଟ ଦେବା ସହିତ ବରିଷ୍ଠତା ପ୍ରଦାନ କରିବା ଏମିତି ବିଭିନ୍ନ ଦାବି ନେଇ ଆଜି ବିରାଟ ଆନ୍ଦୋଳନ କରିଛି ବିଭିନ୍ନ ଶିକ୍ଷକ ସଂଘ ।
📱 Get Argus News App
✨
ଶିକ୍ଷକଙ୍କ ଆନ୍ଦୋଳନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ମନ୍ତ୍ରୀ କହିଛନ୍ତି, ଶିକ୍ଷକଙ୍କ ସମସ୍ୟା ଆଜିର ସମସ୍ୟା ନୁହଁ, ବହୁଦିନ ଧରି ଲାଗି ରହିଛି । ମୋହନ ମାଝୀଙ୍କ ସରକାରରେ ଶିକ୍ଷକଙ୍କ ସମସ୍ୟା କିଭଳି ସମାଧାନ ହେବ ସେ ଦିଗରେ ସରକାର ଚିନ୍ତା କରୁଛନ୍ତି ।