Videos
|
Odisha

ଚୈତ୍ର ମାସରେ ପ୍ରକୃତି ରାଣିକୁ ଅପୂର୍ବ ସୌନ୍ଦର୍ଯ୍ୟରେ ବିମୋହିତ କରୁଛି ପଳାସ ଫୁଲର ସମ୍ଭାର

Ritu Das
Browse all articles by Ritu Das
·1 year ago·2 min read
ଚୈତ୍ର ମାସରେ ପ୍ରକୃତି ରାଣିକୁ ଅପୂର୍ବ ସୌନ୍ଦର୍ଯ୍ୟରେ ବିମୋହିତ କରୁଛି ପଳାସ ଫୁଲର ସମ୍ଭାର

ଚୈତ୍ର ମାସର ପ୍ରଚଣ୍ଡ ଖରାରେ ଜନଜୀବନ ଅସ୍ତବ୍ୟସ୍ତ ହେଉଥିବା ବେଳେ ପ୍ରକୃତି ରାଣୀର କୋଳରେ ପଳାସ ଫୁଲ ପରିବେଷକୁ ଅଧିକ ଆକର୍ଷିତ କରିବା ସହ ଏହାର ଅପୂର୍ବ ସୌନ୍ଦର୍ଯ୍ୟରେ ଜୀବ ଜଗତକୁ ମିଳିଥାଏ ମାନସିକ ଶାନ୍ତି। ଉଦିତ ସୂର୍ଯ୍ୟଙ୍କ ଲାଳିମା ସାଙ୍ଗକୁ ପ୍ରଥମ କିରଣ ଧରଣୀ ରାଣୀକୁ ସ୍ପର୍ସ କରୁଥିବାବେଳେ ନାଲି ଟୁକୁଟୁକୁ ପଳାସ ଫୁଲ ସକାଳର ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରିଥାଏ । ଦୂରରୁ ଦେଖିଲେ ପ୍ରକୃତି ରାଣୀ ଏକ ନାଲି ଓଢଣା ଟାଣିଥିବା ପରି ମନେ ହୋଇଥାଏ। ପଳାସ ଫୁଲରେ ବାସ୍ନା ନଥିବା ବେଳେ ଏହାର ରଙ୍ଗ ଓ ଆକର୍ଷିଣ କବି ଓ ଭାବୁକ ମାନଙ୍କୁ ଆନମନା କରିଥାଏ।
ବର୍ତ୍ତମାନ ବସନ୍ତ ଋତୁର ଆଗମନରେ ଚାରିଆଡେ ଶୋଭା ପାଉଛି ପଳାସ ଫୁଲ ସମ୍ଭାର। ଗାଁ ରାସ୍ତା କଡ, ବିଲ ହିଡ ଓ ପୋଖରୀ ତୁଠ ସବୁଠି ଏବେ ପଳାସ ଫୁଲର ସମ୍ଭାର ।


ଓଡିଶାର ପ୍ରତ୍ୟେକ ସ୍ଥାନରେ ଏହି ଫୁଲ ଫୁଟିଥିବା ବେଳେ ଢେଙ୍କାନାଳ ଜିଲ୍ଲା ଭୁବନ ଅଞ୍ଚଳରେ ମଧ୍ୟ ଦେଖିବାକୁ ମିଳିଛି ଏହାର ସୌନ୍ଦର୍ଯ୍ୟ। ଆକାଶ ଖସା ବାଦଲ ଓ ଚିକଚିକ କରୁଥିବା ପଳାସ ଫୁଲ ଏଠାରେ ପରଷ୍ପରକୁ ଚାହିଁ ରହିଛନ୍ତି। ଧିରଧିର ପବନ ସ୍ପର୍ସରେ ଉତଫୁଲିତ ହୋଇ ଉଠୁଛି ଏଠାରେ ଧରଣୀ ରାଣୀ। ପକ୍ଷୀମାନଙ୍କର କିଚିରିମିଚିରି ରାବ ସାଙ୍ଗକୁ ପ୍ରକୃତିର ଏହି ସୁନ୍ଦର ପରିବେଶରେ ଅଞ୍ଚଳବାସୀ ଆତ୍ମବିଭୋର ହେଉଛନ୍ତି। କିନ୍ତୁ ସମସ୍ତଙ୍କୁ ଆକର୍ଷିତ କରୁଥିବା ଏହି ଫୁଲଟି ପୂଜା ଯୋଗ୍ୟ ହୋଇ ନାହିଁ। ପ୍ରଭୁ ଶିବ ଓ ମାତା ପାର୍ବତୀଙ୍କ ଅନ୍ତରଙ୍ଗ ମୂହୁର୍ତ୍ତ ଦେଖିଥିବାରୁ ମାତାଙ୍କ ଅଭିସାପ ପଳାସ ଫୁଲକୁ ଭୋଗିବାକୁ ପଡୁଛି। କେବଳ ରାଧାକୃଷ୍ଣଙ୍କ ମେଲଣ ସମୟରେ ପ୍ରଭୁଙ୍କ ଚାଚେରୀ ବା ଦୋଳ ବିମାନରେ ଏହି ଫୁଲକୁ ସମର୍ପଣ ହୋଇଥିବାର ପାରମ୍ପରିକ ବ୍ୟବସ୍ଥା ରହିଛି। ସେହିପରି ପଳାସର ପତ୍ରକୁ ବେଲପତ୍ର ପରି ତ୍ରିପତ୍ରର ମାନ୍ୟତା ମିଳିଥିବା ବେଳେ ବ୍ରତ୍ତୋପନୟନ ସମୟରେ ପଳାସ ଦଣ୍ଡର ଆବଶ୍ୟକତା ପଡିଥିବା ଦେଖିବାକୁ ମିଳିଛି।


Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତେବେ ସୃଷ୍ଟିର ପ୍ରତ୍ୟେକ ଜୀବ ସତ୍ତାର ବିକାଶ ପାଇଁ ଗୋଟିଏ ଗୋଟିଏ ସମୟ ଥିବାବେଳେ ଇଶ୍ବରଙ୍କର ସୃଷ୍ଟିରେ ପଳାସ ପରି ସମ୍ଭାରର ମଧ୍ୟ ମୂଲ୍ୟବୋଧ ରହିଛି। ବସନ୍ତର ଆଗମନରେ ରାଧାକୃଷ୍ଣଙ୍କର ରାସ ସମୟରେ ବାସହୀନ ପଳାସ ଫୁଲ ଲାଗି ହେଉଥିବାରୁ ପଳାସ ପ୍ରେମର କଥା କହୁଥିବା କବିମାନେ ପ୍ରକାଶ କରିଛନ୍ତି। ସେହିପରି ଦୋଳ ପୂର୍ଣ୍ଣିମାରେ ଗୁଡ,ଚଣା ଓ ଆମ୍ବ କଷି ସହିତ ପଳାସ କଢରେ ପଣା ଦିଆ ଯିବାର ପରମ୍ପରା ଥିବାବେଳେ ଚୈତ୍ର ମଙ୍ଗଳ ବାରରେ ମା ମଙ୍ଗଳାଙ୍କ ତେଜକୁ ଅଗ୍ନିଶିଖା ପରି ଅଧିକ ତେଜିଆନ କରିବା ପାଇଁ ପଳାସ ଫୁଲ ଲାଗିର ବ୍ୟବସ୍ଥା କାହିଁ କେଉଁ କାଳରୁ ରହି ଆସିଛି। ତେବେ ହିନ୍ଦୁ ସଂସ୍କୃତି ଓ ପରମ୍ପରାରେ ପଳାସର ସ୍ବତନ୍ତ୍ର ସ୍ଥାନ ଥିବାବେଳେ ଏହାର ସୌନ୍ଦର୍ଯ୍ୟ ଧିରେଧିରେ ସହରାଭିମୂଖୀ ଚାକଚକ୍ୟ ଭିତରେ ହଜିବାକୁ ଆରମ୍ଭ ହୋଇସାରିଛି।