ଅଙ୍ଗନବାଡ଼ି କେନ୍ଦ୍ରର ନାହିଁ ନିଜସ୍ୱ କୋଠା

Key Points
ଦୁର୍ଗମରେ ପ୍ରାକ୍ ଶିକ୍ଷା ବ୍ୟବସ୍ଥାର ବିକଳଚିତ୍ର
ଅଙ୍ଗନବାଡ଼ି କେନ୍ଦ୍ରର ନାହିଁ ନିଜସ୍ବ କୋଠା
କେଉଁଠି ମମତା ଗୃହ ତ କେଉଁଠି ଭଡ଼ା ଘରେ ଚାଲିଛି ଶିକ୍ଷାଦାନ
ବିପଦସଙ୍କୁଳ କୋଠାରେ ବସୁଛନ୍ତି ଶିଶୁ
ମାମୁଲିଯୋଡା ଅଙ୍ଗନବାଡି କେନ୍ଦ୍ରର ଚିତ୍ର। ଏହାର ନିଜସ୍ଵ କୋଠା ନଥିବାରୁ ଅଙ୍ଗନବାଡି କର୍ମୀଙ୍କ ଘରେ ଚାଲୁଛି ଅଙ୍ଗନବାଡି କେନ୍ଦ୍ର । ସେଭଳି ଚଉଠିଆ ପଞ୍ଚାୟତର ଗୁଣ୍ଡୁଣିଆ ଅଙ୍ଗନବାଡି କେନ୍ଦ୍ର ଏବେ ଅସୁରକ୍ଷିତ ଅବସ୍ଥାରେ ବର୍ଷା ହେଲେ ଛାତ ରୁ ପାଣି ଗଳେ ଫଳରେ ପାଠପଢାରେ ବ୍ୟାଘାତ ହେଉଛି। କୋଠା ମରାମତି ପାଇଁ ବାରମ୍ବାର ଗୁହାରି କରୁଥିଲେ ମଧ୍ୟ ଫଳ କିଛି ହେଉ ନାହିଁ ବୋଲି କହିଛନ୍ତି ସ୍ଥାନୀୟ ଅବିଭାବକ ।କୁଟୁଗାଁ ପଞ୍ଚାୟତର ଚିପିଣ୍ଡା ଭଳି ଅନେକ କେନ୍ଦ୍ର ଜରାଜୀର୍ଣ୍ଣ କୋଠାରେ ଚାଲିଛି । ବର୍ଷା ଦିନେ ଏହି କେନ୍ଦ୍ରଗୁଡ଼ିକର ଛାତରୁ ପାଣି ଗଳୁଥିବାବେଳେ ଚଟାଣ ଏବଂ ବାରଣ୍ଡା ସନ୍ତସନ୍ତିଆ ହୋଇପଡ଼ିଛି । ଫଳରେ ଶିଶୁଙ୍କ ପାଇଁ ଉଦ୍ଦିଷ୍ଟ ପାଠପଢ଼ା, ଶୁଖୁଲା ଓ ରନ୍ଧାଖାଦ୍ୟ ପ୍ରଦାନ, ଖେଳକୁଦ, ଉପକାରୀ ବଗିଚା ଯୋଜନା ଆଦିର ସଫଳ ରୂପାୟନ ହୋଇପାରୁ ନାହିଁ |
କେନ୍ଦୁଝର ଝୁମ୍ପୁରା ବ୍ଲକର ୨୨ଟି ପଞ୍ଚାୟତରେ ମୋଟ ୨୩୭ଟି ଅଙ୍ଗନବାଡ଼ି କାର୍ଯ୍ୟକ୍ଷମ ରହିଥିବା ବେଳେ ୬୩୦୦ରୁ ଅଧିକ ଶିଶୁ ଅଧ୍ୟୟନ କରୁଛନ୍ତି । ତେବେ ୨୩୭ଟି କେନ୍ଦ୍ର ନିମନ୍ତେ ଆବଶ୍ୟକ କୋଠା ନଥିବାରୁ ଶିକ୍ଷାଦାନରେ ବ୍ୟାଘାତ ସୃଷ୍ଟି ହେଉଥିବା ଦେଖିବାକୁ ମିଳିଛି । ବିଭିନ୍ନ ପଞ୍ଚାୟତ ଅଧୀନ ୧୧ଟି କେନ୍ଦ୍ରର ନିଜସ୍ବ କୋଠା ନିର୍ମାଣ ହୋଇ ପାରି ନଥିବାବେଳେ ୨୮ଟି କେନ୍ଦ୍ର ଜରାଜୀର୍ଣ୍ଣ ଅବସ୍ଥାକୁ ଚାଲି ଆସିଛି । ସେଥି ମଧ୍ୟରୁ୧୨ଟି କେନ୍ଦ୍ର ସମ୍ପୂର୍ଣ ବିପଦସଙ୍କୁଳ ଘୋଷଣା ହୋଇ ସରିଛି। ବ୍ଲକର ୧୬ଟି ଅଙ୍ଗନବାଡ଼ି କେନ୍ଦ୍ର କୋଠା ଜରାଜୀର୍ଣ ହୋଇ ପଡ଼ିଛି। ଏଗୁଡିକ ମଧ୍ୟରୁ କିଛି କେନ୍ଦ୍ର ମମତା ଗୃହରେ ଚାଲିଥିବା ବେଳେ ଆଉ କିଛି ଭଡ଼ା ଘରେ ଚାଲିଛି। କେନ୍ଦ୍ରଗୁଡ଼ିକର ମରାମତି ନିମନ୍ତେ ନୂତନ କୋଠା ନିର୍ମାଣ ପାଇଁ ବାରମ୍ବାର ଦାବି ହୋଇ ଆସୁଥିଲେବି କେହି ଦାବି ପୁରଣ କରୁ ନଥିବା ଅଭିଯୋଗ ହୋଇଛି।
ଅସ୍ବାସ୍ଥ୍ୟକର ପରିବେଶ ଓ ପିଣ୍ଡାରେ ବସି ପାଠ ପଢ଼ିବା ଦ୍ବାରା ଶିଶୁଙ୍କ ପ୍ରାକ ଶିକ୍ଷା ବାଧଆପ୍ରାପ୍ତ ହେଉଛି I ଏଥିପାଇଁ କୋମଳମତି ଶିଶୁଙ୍କ ମାତାପିତା ଅଙ୍ଗନବାଡି ପ୍ରତି ବିମୁଖ ହୋଇ ବେସରକାରୀ ବିଦ୍ୟାଳୟ ପ୍ରତି ଆକୃଷ୍ଟ ହେଉଥିବା ଦେଖିବାକୁ ମିଳିଛି।