Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଶ୍ଵ ଦରବାରରେ ନିଜର ପରିଚୟ ସୃଷ୍ଟି କରିବ ଭଞ୍ଜବଂଶର କଳା, ଭାସ୍କର୍ଯ୍ୟ ଓ ସ୍ଥାପତ୍ୟ

Rashmita Mishra
Browse all articles by Rashmita Mishra
·1 year ago·2 min read
ବିଶ୍ଵ ଦରବାରରେ ନିଜର ପରିଚୟ ସୃଷ୍ଟି କରିବ ଭଞ୍ଜବଂଶର କଳା, ଭାସ୍କର୍ଯ୍ୟ ଓ ସ୍ଥାପତ୍ୟ

Key Points

ଅସ୍ତଗାମୀ କାହାଣୀରେ ପଡିବ ପୂର୍ଣ୍ଣଛେଦ
ଐତିହ୍ୟସ୍ଥଳର ମାନ୍ୟତା ପାଇବ ମୟୂରଭଞ୍ଜ ରାଜପ୍ରାସାଦ
ଐତିହାସିକ ଐଶ୍ୱର୍ଯ୍ୟ ପୁଣିହେବ ରୁଦ୍ଧିମନ୍ତ
ବିଶ୍ଵ ଦରବାରରେ ନିଜର ପରିଚୟ ସୃଷ୍ଟି କରିବ ଭଞ୍ଜବଂଶର କଳା, ଭାସ୍କର୍ଯ୍ୟ ଓ ସ୍ଥାପତ୍ୟ

୧୮୦୪ ମସିହାରେ ମହାରାଣୀ ସୁମିତ୍ରା ଦେବୀଙ୍କ ଦ୍ଵାରା ମୟୂରଭଞ୍ଜ ରାଜପ୍ରାସାଦ ନିର୍ମିତ ହୋଇଥିଲା । ସ୍ବତନ୍ତ୍ର ଓଡ଼ିଶାରେ ମୟୂରଭଞ୍ଜର ମିଶ୍ରଣ ପୂର୍ବରୁ ଏହି ରାଜପ୍ରାସାଦରେ ରହି ସୁମିତ୍ରା ଦେବୀ , ତ୍ରୀବିକ୍ରମ ଭଞ୍ଜଦେଓ, ଯମୁନା ଦେବୀ, ଯଦୁନାଥ ଭଞ୍ଜଦେଓ, ଶ୍ରୀନାଥ ଭଞ୍ଜଦେଓ, କୃଷ୍ଣଚନ୍ଦ୍ର ଭଞ୍ଜଦେଓ, ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ, ପ୍ରତାପ ଚନ୍ଦ୍ର ଭଞ୍ଜଦେଓ ଆଦି ଭଞ୍ଜବଂଶ ଶାସକମାନେ ଶାସନ ଚଳାଉଥିଲେ । ୧୫ ଏକର ପରିମିତ ଜମିରେ ପ୍ରାୟ ଏକ ଲକ୍ଷ ବର୍ଗଫୁଟର ଏହି ରାଜପ୍ରାସାଦର ନିର୍ମାଣ ଶୈଳୀ ଅତ୍ୟନ୍ତ ଆକର୍ଷଣୀୟ ଥିଲା । ୧୨୬ଟି କୋଠରୀ ଥ‌ିବା ରାଜପ୍ରାସାଦଟି ଲଣ୍ଡନର ବଙ୍କିହୋମ୍ ସଦୃଶ ପ୍ୟାଲେସର ଅବିକଳ ରୂପ ଭାବରେ ବିବେଚନା କରାଯାଏ ।

ତେବେ ୧୯୫୬ ମସିହାରେ ଉଚ୍ଚଶିକ୍ଷା ସୁବିଧା ପ୍ରଦାନ ଉଦ୍ଦେଶ୍ୟରେ ତତ୍କାଳୀନ ମହାରାଜା ପ୍ରତାପ ଚନ୍ଦ୍ର ଭଞ୍ଜଦେଓ ଏହି ରାଜପ୍ରାସାଦକୁ ମହାରାଜା ପୂର୍ଣ୍ଣଚନ୍ଦ୍ର ଭଞ୍ଜଦେଓ କଲେଜ ଭାବରେ ପ୍ରତିଷ୍ଠା ପାଇଁ ସରକାରଙ୍କୁ ହସ୍ତାନ୍ତର କରିଥିଲେ। ମାତ୍ର ଦୀର୍ଘ ବର୍ଷ ଧରି ରାଜପ୍ରାସାଦଟି ରକ୍ଷଣା ବେକ୍ଷଣ ଅଭାବରୁ ବିପଦସଙ୍କୁଳ ଅବସ୍ଥାରେ ପଡିରହିଛି । ରାଜପ୍ରାସାଦଟିକୁ ଆର୍କୋଲୋଜି ସର୍ଭେ ଅଫ୍ ଇଣ୍ଡିଆ ହାତକୁ ନେବା ସହ ଏହାକୁ ଐତିହ୍ୟସ୍ଥଳ ଭାବେ ଘୋଷଣା କରିବାକୁ ରାଜ୍ୟ ସରକାରଙ୍କ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ପକ୍ଷରୁ ପ୍ରୟାସ ଆରମ୍ଭ ହେବାପରେ ସଂସ୍କୃତି ପ୍ରେମୀ ଓ ବୁଦ୍ଧିଜୀବୀଙ୍କ ମହଲରେ ନୂତନ ଆଶା ସଂଚାର ହୋଇଛି ।


ଐତିହ୍ୟ ର ରକ୍ଷଣାବେକ୍ଷଣ କରିବା ସରକାରଙ୍କ ପାଇଁ ବଡ ଚେଲେଞ୍ଜ । ତେଣୁ ଏପରି ସ୍ଥଳରେ ରାଜ୍ୟ ସରକାର ରାଜପ୍ରାସାଦର ରକ୍ଷଣାବେକ୍ଷଣ ଓ ସଂଗରକ୍ଷଣ ପାଇଁ ବ୍ୟବସ୍ଥା କରୁଛନ୍ତି ଶୁଣିବା ପରେ ଖୁସି ବ୍ୟକ୍ତ କରିଛନ୍ତି ଭାରତୀୟ ମନୁମେଣ୍ଟ ଅଥୋରିଟି ଅଧ୍ୟକ୍ଷ ପ୍ରଫେସର କିଶୋର ବସା ।

ରାଜପ୍ରାସାଦରେ ଚାଲିଥିବା ମହାରାଜା ପୂର୍ଣ୍ଣଚନ୍ଦ୍ର ଭଞ୍ଜଦେଓ ଜୁନିୟର କଲେଜକୁ ସ୍ଥାନାନ୍ତର କରିବା ଲାଗି ଜିଲାପ୍ରଶାସନ ପକ୍ଷରୁ ପ୍ରାଥମିକ ପର୍ଯ୍ୟାୟ କାର୍ଯ୍ୟ ଆରମ୍ଭ ହୋଇଛି । ଖୁବ୍‌ଶୀଘ୍ର ନିଷ୍ପତ୍ତି ଗ୍ରହଣ କରାଯାଇ ଅନ୍ୟତ୍ର ଶିକ୍ଷାଦାନ ବ୍ୟବସ୍ଥା କରିବା ପରେ ରାଜପ୍ରାସାଦର ପୁନରୁଦ୍ଧାର ସହ ଏହାକୁ ସଂଗ୍ରହାଳୟରେ ପରିଣତ କରାଯାଇ ପର୍ଯ୍ୟଟକଙ୍କ ଦର୍ଶନ ପାଇଁ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସୟ ।

ରାଜ୍ୟରେ ନୂଆ ବିଜେପି ଶାସନ ଆସିବା ପରେ ଐତିହ୍ୟ ସ୍ଥଳ ପ୍ରକ୍ରିଆ ଆରମ୍ଭ ହୋଇଛି । ରାଜ୍ୟ ସରକାରଙ୍କ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ଏବଂ ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଗଡ଼ଜାତ ମୟୂରଭଞ୍ଜ ରାଜ୍ୟର ପ୍ରଜାବତ୍ସଳ ମହାରାଜାଙ୍କ ଗୌରବମୟ ରାଜପ୍ରାସାଦ ଜିଲାର ସ୍ଵତନ୍ତ୍ର ଐତିହ୍ୟସ୍ଥଳ ଭାବେ ମାନ୍ୟତା ପାଇବ ଏବଂ ରାଜାରାଜୁଡା ଅମଳର ବିଭିନ୍ନ କଳା, ସଂସ୍କୃତି ଓ ପରମ୍ପରାରେ ଜଡିତ ସ୍ଥାପତ୍ୟକୁ ନିକଟରୁ ଦେଖିବାକୁ ସୁଯୋଗ ମିଳିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
the-art-sculpture-and-architecture-of-the-bhanja-dynasty-will-make-its-mark-in-the-world-courts | Argus News