୨୫ବର୍ଷ ବିଜେଡି ଶାସନରେ ଓଡ଼ିଆ ଜାତିର ମେରୁଦଣ୍ଡ ଶିକ୍ଷା ହୋଇଛି ଦୁର୍ବଳ

Key Points
ସାମ୍ନାକୁ ଆସିଲା ରାଜ୍ୟରେ ସ୍କୁଲ ଶିକ୍ଷାର ଦୟନୀୟ ଚିତ୍ର
ଅଷ୍ଟମ ଶ୍ରେଣୀ ପିଲା ଜାଣି ନାହାନ୍ତି ଫେଡାଣ, ହରଣ
୨୫ବର୍ଷ ବିଜେଡି ଶାସନରେ ଓଡ଼ିଆ ଜାତିର ମେରୁଦଣ୍ଡ ଶିକ୍ଷା ହୋଇଛି ଦୁର୍ବଳ
ସ୍କୁଲ ଶିକ୍ଷାକୁ ପ୍ରାଥମିକତା କେବଳ ନବୀନ ସରକାରରେ ଥିଲା ସ୍ଲୋଗାନ
ଏବେ ସ୍କୁଲ ଶିକ୍ଷାକୁ ସୁଦୃଢ କରିବା ବିଜେପି ସରକାର ପାଇଁ ବଡ଼ ଚ୍ୟାଲେଞ୍ଜ
ଗଣଶିକ୍ଷା ମନ୍ତ୍ରୀ କହିଲେ ନିପୁଣ ଓଡ଼ିଶା ଯୋଜନା ସ୍କୁଲ ଶିକ୍ଷାରେ ଆଣିବ ଚେଞ୍
ବିଧାନସଭାରେ ଗଣଶିକ୍ଷାମନ୍ତ୍ରୀଙ୍କ ଲିଖିତ ଉତ୍ତର ଖୋଲିଦେଲା ରାଜ୍ୟରେ ସ୍କୁଲ ଶିକ୍ଷାର ଦୟନୀୟ ସ୍ଥିତିର ଗୁମର। ବିଧାୟକ ଚକ୍ରମଣି କହଁରଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯେଉଁ ତଥ୍ୟ ଦେଇଛନ୍ତି ତାହା ସ୍କୁଲ ଶିକ୍ଷାର ମାନ ଉପରେ ଲଗାଇଛି ବଡ଼ ପ୍ରଶ୍ନ ଚିହ୍ନ। ମନ୍ତ୍ରୀ ରଖିଥିବା ତଥ୍ୟ ଅନୁଯାୟୀ ଅଷ୍ଟମ ଶ୍ରେଣୀ ପିଲା ଜାଣି ନାହାନ୍ତି ଫେଡାଣ ହରଣ। ୬୯.୫ ପ୍ରତିଶତ ପିଲା ଫେଡାଣ ଜାଣି ନଥିବା ବେଳେ ୪୫.୮ ପ୍ରତିଶତ ପିଲା ଜାଣନ୍ତିନି ହରଣ। ଆଉ ଉଦବେଗର କଥା ହେଉଛି ଏହି ସଂଖ୍ୟା ପ୍ରତିବର୍ଷ ବଢି ବଢି ଚାଲିଛି। ୨୦୧୪ ରେ ୬୩.୪ ପ୍ରତିଶତ ପିଲା ଫେଡାଣ ଜାଣି ନଥିଲେ।
୨୦୨୪ ରେ ଏହି ହାର ୬୯.୫ ପ୍ରତିଶତରେ ପହଞ୍ଚିଛି। ସେହିପରି ୨୦୧୪ରେ ୩୭.୯ ପ୍ରତିଶତ ପିଲା ହରଣ ଜାଣି ନଥିଲେ। ୨୦୨୪ ରେ ଏହା ବଢି ୪୫.୮ ପ୍ରତିଶତ ହୋଇଛି। ମନ୍ତ୍ରୀଙ୍କ ଉତ୍ତରରେ ଆଉ ଏକ ଉଦବେଗଜନକ ତଥ୍ୟ ସାମ୍ନାକୁ ଆସିଛି। ଏବେ ରାଜ୍ୟର ୧୨ ହଜାର ୪ଶହ ୮୪ଟି ବିଦ୍ୟାଳୟରେ ପ୍ରଧାନଶିକ୍ଷାକ ନଥିବା ସୂଚନା ଦେଇଛନ୍ତି ଗଣଶିକ୍ଷାମନ୍ତ୍ରୀ। ଏଥିପାଇଁ ଶାସକ ଦଳ ପୂର୍ବ ସରକାରର ଅପାରଗତାକୁ ସିଧାସିଧା ଦାୟୀ କରିଥିବା ବେଳେ ବିଜେଡି କହିଛି ଚାଲିନଜାଣି ବାଟର ଦୋଷ ଦେଉଛି ସରକାରୀ ଦଳ। କଂଗ୍ରେସ ଶିକ୍ଷାର ଗୁଣାତ୍ମକ ମାନ ହ୍ରାସ ପାଇଁ ପୂର୍ବ ଓ ବର୍ତ୍ତମାନର ସରକାରକୁ କରିଛି ଦାୟୀ।
ଓଡ଼ିଶା ହେଉଛି ଏକ ବୌଦ୍ଧିକ ଜାତି। ଶିକ୍ଷା ହେଉଛି ଆମ ଜାତିର ମେରୁଦଣ୍ଡ। ଆଉ ଏହି ମେରୁଦଣ୍ଡ ଗତ ୨୫ ବର୍ଷର ବିଜେଡି ଶାସନରେ ଦୁର୍ବଳ ହୋଇଯାଇଛି। ନବୀନ ସରକାରରେ ଗୁଣାତ୍ମକ ଶିକ୍ଷା କେବଳ ସ୍ଲୋଗାନରେ ଥିଲା ସୀମିତ। ପ୍ରତି ପିଲା ପାଖରେ ସ୍କୁଲ ଓ ଉନ୍ନତ ଶିକ୍ଷା ପହଞ୍ଚାଇବା ସଂକଳ୍ପ କେବଳ ପ୍ରଚାରରେ ସୀମିତ ଥିଲା। ହେଲେ ସ୍କୁଲରେ ଭିତ୍ତିଭୂମି, ଶୌଚାଳୟ ଓ ଶିକ୍ଷକଙ୍କ ଘୋର ଅଭାବ ଥିଲା। ଯେଉଁଥିପାଇଁ ଆଜି ସରକାରୀ ସ୍କୁଲରେ ବିଦ୍ୟାର୍ଥୀଙ୍କ ଶିକ୍ଷାର ମାନ ଏହିପରି। ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ପାଇଁ ବିଜେପି ସରକାର ଆଣିଛନ୍ତି ନିପୁଣ ଓଡିଶା ଯୋଜନା। ଏହା ଗୁଣାତ୍ମକ ଶିକ୍ଷା ପ୍ରଦାନରେ ସହାୟକ ହେବ ବୋଲି ମନ୍ତ୍ରୀ ଆଶାବାଦୀ।
📱 Get Argus News App
✨
ସେହିପରି ରାଜ୍ୟର ସ୍କୁଲଗୁଡ଼ିକରେ ଶୌଚାଳୟର ସ୍ଥିତି ନେଇ ଆସିଛି ଉଦବେଗଜନକ ଚିତ୍ର। 412ଟି ପ୍ରାଥମିକ ସ୍କୁଲ, 115 ଉଚ୍ଚ ପ୍ରାଥମିକ ସ୍କୁଲ ଓ 25 ଉଚ୍ଚ ବିଦ୍ୟାଳୟରେ ଛାତ୍ରୀଙ୍କ ପାଇଁ ଶୌଚାଳୟ ନଥିବା ସୂଚନା ଦେଇଛନ୍ତି ମନ୍ତ୍ରୀ। 2024-25 ଆର୍ଥିକ ବର୍ଷରେ 724 କୋଟି ବାଳିକା ଶୌଚାଳୟ ନିର୍ମାଣ ପାଇଁ ପଦକ୍ଷେପ ନିଆଯାଉଥିବା ଗୃହରେ ଲିଖିତ ଉତ୍ତରରେ କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ତେଣୁ ଏବେ ବିଜେପି ସରକାରଙ୍କ ପାଇଁ ଚ୍ୟାଲେଞ୍ଜ କିପରି ସ୍କୁଲରେ ଭିତ୍ତିଭୂମିକୁ ମଜଭୁତ କରିବା ସହ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରାଯାଇ ପାରିବ। କାରଣ ଶିକ୍ଷା ବ୍ୟବସ୍ଥା ଠିକ୍ ହେଲେ ହିଁ ଜାତିର ମେରୁଦଣ୍ଡ ଦୃଢ ହୋଇପାରିବ।

