ଝୁରୁଛି ଓଡିଆ, କାନ୍ଦୁଛି ଓଡିଶା...

ଆଉ ନାହାନ୍ତି ଓଡ଼ିଆ ଚଳଚ୍ଚିତ୍ର ଜଗତର ମଉଡ ମଣି ସମସ୍ତଙ୍କ ପ୍ରିୟ ଦଣ୍ଡା ବାଳୁଙ୍ଗା ଉତ୍ତମ ମହାନ୍ତି। ତାଙ୍କ ଅବର୍ତ୍ତମାନ କେବଳ ଚଳଚ୍ଚିତ୍ର ଜଗତ ପାଇଁ ସାରା ଓଡ଼ିଶା ପାଇଁ ଅପୂରଣୀୟ କ୍ଷତି। ଦୀର୍ଘ ୪ ଦଶନ୍ଧିରୁ ଅଧିକ ସମୟ ଧରି ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରି ଦର୍ଶକଙ୍କର ମନ ଜିଣିଥିବା ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି ଆଉ ନାହାନ୍ତି। ଦିଲ୍ଲୀର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ରାତିରେ ତାଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା।
୧୯୫୮ ମସିହା ଡିସେମ୍ବର ୨୩ । ବାରିପଦାରେ ଜନ୍ମଗ୍ରହଣ କରନ୍ତି ଏହି ଯୋଗଜନ୍ମା କଳାକାର ଉତ୍ତମ ମହାନ୍ତି। ୧୯୭୭ ମସିହାରେ ଅଭିମାନ କଥାଚିତ୍ରରୁ ଆରମ୍ଭ କରନ୍ତି ତାଙ୍କ ଅଭିନୟ ଯାତ୍ରା। ପରେ ସିନେମା ଛାଡି ମନ ବଳାନ୍ତି ପାଠ ପଢାରେ। ପାଠ ପଢା ସରିବା ପରେ ପୁଣି ପତିପତ୍ନୀ ଚଳଚ୍ଚିତ୍ରରେ ଆସନ୍ତି ପରଦାକୁ। ତାପରେ ଆଉ ପଛକୁ ଫେରି ନାହାନ୍ତି। ଗୋଟିଏ ପରେ ଗୋଟିଏ ଚଳଚ୍ଚିତ୍ରରେ ଦେଖାଇଥିଲେ ତାଙ୍କ ଅଭିନୟର ଯାଦୁ। ସେ ପାଖାପାଖି ୧୩୫ ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ର , ୩୦ଟି ବଙ୍ଗଳା ସିନେମା ଓ ଗୋଟିଏ ହିନ୍ଦୀ ସିନେମାରେ ଅଭିନୟ କରିଛନ୍ତି।
📱 Get Argus News App
✨୧୯୭୭ ମସିହାରେ ଅଭିମାନ ଚଳଚ୍ଚିତ୍ରରୁ କ୍ୟାରିୟର ଆରମ୍ଭ କରିଥିଲେ ଉତ୍ତମ।ସରପଞ୍ଚ ବାବୁ ଫିଲ୍ମ ତାଙ୍କୁ ଏକ ନୂଆ ପରିଚୟ ଆଣି ଦେଇଥିଲା। ତାଙ୍କ ଅଭିନୀତ ସିନେମା ଗୁଡିକ ମଧ୍ୟରେ ରହିଛି କଳ୍କୀ ଅବତାର, ରୂପା ଗାଁର ସୁନାକନିଆଁ , ପୁଅ ମୋର ଭୋଳାଶଙ୍କର, ଲକ୍ଷ୍ମଣ ରେଖା, ମହମ୍ମଦ ମହସୀନ, ଯଶୋଦା, କପାଳ ଲିଖନ, ଭୀଷ୍ମ ପ୍ରତିଜ୍ଞା, ଏଇ ଆମ ସଂସାର, ପଞ୍ଚୁ ପାଣ୍ଡବ, ପାପପୁଣ୍ୟ, ପୂଜାଫୁଲ, ସତ କେବେ ଲୁଚି ରହେନା, ସମୟ ବଡ଼ ବଳବାନ, ସହରୀ ବାଘ, ଦଣ୍ଡା ବାଳୁଙ୍ଗା, ଝିଅଟି ସୀତା ପରି, ଫୁଲ ଚନ୍ଦନ, ଚିହ୍ନା ଅଚିହ୍ନା, ନିଝୁମ ରାତିର ସାଥି, ଅକ୍ଷୟ ତୃତୀୟା, ଆରତୀ, ଦେବଯାନୀ , ଅସ୍ତରଙ୍ଗ , ଦେଖ ଖବର ରଖ ନଜର, ଜ୍ବାଇଁ ପୁଅ, ଅଭିଳାଷା, ଝିଅଟି ସୀତା ପରି, ରାମ ରହିମ, ଜାଈ ଫୁଲ, ଜନନୀ, ଚକା ଭଉଁରୀ, ଜଗା ହାତରେ ପଘା, ମମତା ମାଗେ ମୂଲ, ପଳାତକ, ପୂଜା ଫୁଲ, ସମୟ ବଡ ବଳବାନ, ସଂଖ୍ୟା ସିନ୍ଦୂର, ସହରୀ ବାଘ, , ଚକା ଆଖି ସବୁ ଦେଖୁଛି, ଫୁଲ ଚନ୍ଦନ , ସୁନା ଚଢ଼େଇ, ତୁଣ୍ଡ ବାଇଦ, ଯାହାକୁ ରଖିବେ ଅନନ୍ତ, ପୁଅ ମୋର କଳା ଠାକୁର ଆଦି ଚଳଚ୍ଚିତ୍ର ରେ ଛାପ ଛାଡିଛନ୍ତି ସ୍ୱର୍ଗୀୟ ଉତ୍ତମ ମହାନ୍ତି ।
ତାଙ୍କର ନିଖୁଣ ଅଭିନୟ ପାଇଁ ୧୯୮୨ ରେ ତାଙ୍କ ଅଭିନୀତ ଫୁଲ ଚନ୍ଦନ ପାଇଁ ଶ୍ରେଷ୍ଠ ଅଭିନେତା ପୁରସ୍କାର, ୧୯୮୩ ରେ ଝିଅଟି ସୀତା ପରି ପାଇଁ ଶ୍ରେଷ୍ଠ ଅଭିନେତା, ୧୯୮୪ ରେ ଦଣ୍ଡା ବାଳୁଙ୍ଗା ପାଇଁ ଶ୍ରେଷ୍ଠ ଅଭିନେତା, ୧୯୯୧ ରେ ତୋ ବିନୁ ଅନ୍ୟ ଗତିନାହିଁ ପାଇଁ ଶ୍ରେଷ୍ଠ ସହ ଅଭିନେତା, ୧୯୯୯ ରେ ଜୟଦେବ ପୁରସ୍କାର ସହ ଶତାଧିକ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ପୁରସ୍କୃତ ହୋଇଛନ୍ତି।