ଅଧାପନ୍ତରିଆ ଶ୍ରୀକ୍ଷେତ୍ର ବିକାଶ,ମିଛ ଡିଣ୍ଡିମ ପିଟୁଥିଲେ ନବୀନ ସରକାର

ଅର୍ଗସ ବ୍ୟୁରୋ: ପୁଣି ଥରେ ପ୍ରମାଣ ହୋଇଗଲା କୁହାଳିଆ ପୂର୍ବତନ ବିଜେଡି ସରକାର,କଥାବେଶୀ କାମ କମ୍। ପ୍ରଚାରରେ ସୀମିତ ରହିଗଲା ବିଜେଡି ସରକାରର ପୁରୀକୁ ବିଶ୍ବ ଐତିହ୍ୟ ସହର ବନାଇବାର ଘୋଷଣା। କେବଳ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ତରବରିଆ ଉଦଘାଟନ କରିଦେଇ ପୁରା ଶ୍ରୀକ୍ଷେତ୍ରର ରୂପାନ୍ତରଣ କରିଥିବା ନେଇ ଡିଣ୍ଡିମ ପିଟିଥିଲେ ନବୀନ ସରକାର।
୪୨୨୪ କୋଟି ଟଙ୍କା ଖର୍ଚ୍ଚ କରାଯାଇ ଶ୍ରୀକ୍ଷେତ୍ରରର ବିଶ୍ବସ୍ତରୀୟ ବିକାଶ କଥା କୁହାଯାଇଥିଲା କିନ୍ତୁ ବାସ୍ତବତା ହେଉଛି ପ୍ରସ୍ତାବିତ ୨୨ଟି ପ୍ରକଳ୍ପ ମଧ୍ୟରୁ ଅଧାରୁ ଅଧିକ ପ୍ରକଳ୍ପତ ନିର୍ମାଣ ଏଯାଏ ଆରମ୍ଭ ହୋଇନଥିବାବେଳେ ବାକି ପ୍ରକଳ୍ପ ଗୁଡିକ ଅଧ ପନ୍ତରିଆ ହୋଇ ପଡିରହିଛି । ଏହାକୁ ନେଇ ପୁରୀର ବୁଦ୍ଧିଜୀବି ଏବଂ ସେବାୟତଙ୍କ ମହଲରେ ଦେଖାଦେଇଛି ତୀବ୍ର ପ୍ରତିକ୍ରିୟା।
୪୨ଶହ ୨୪ କୋଟି ଟଙ୍କାର ଖର୍ଚ୍ଚରେ ଦୁର୍ନୀତିର ଗନ୍ଧ ବାରିବା ସହ ତଦନ୍ତ ପାଇଁ ଦାବି କରିଛନ୍ତି।
ଶ୍ରୀକ୍ଷେତ୍ର ରୂପାନ୍ତରଣ ନାଁରେ ୧୯ଟି ପୁରାତନ ମଠ ଏବଂ ଐତିହ୍ୟ ସମ୍ପନ ରଘୁନନ୍ଦନ ପାଠାଗାରକୁ ଭାଙ୍ଗି ମାଟିରେ ମିଶାଇ ଦିଆଗଲା,କିନ୍ତୁ ଏହି ଐତିହ୍ୟ କିର୍ତ୍ତୀରାଜିକୁ ଧୁଳିସାତ କରାଯିବା ବଦଳରେ ଶ୍ରୀକ୍ଷେତ୍ରକୁ ମିଳିଲା କଣ। ଅବଢ଼ା ଯୋଜନା ଅନ୍ତର୍ଗତ ୪୨୨୪ କୋଟିର ପ୍ରକଳ୍ପ ମଧ୍ୟରେ ରହିଥିଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ଶ୍ରୀମନ୍ଦିର ପ୍ରଶାସନିକ କୋଠା ଉନ୍ନତୀକରଣ, ରଘୁନନ୍ଦନ ପାଠାଗାର, ମୂଷା ନଈର ଉନ୍ନତୀକରଣ, ଜଗନ୍ନାଥବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ର, ଶ୍ରୀସେତୁ, ଶ୍ରୀଦାଣ୍ଡ, ଅଠରନଳା ଉନ୍ନତୀକରଣ, ଶ୍ରୀମନ୍ଦିର ଚର୍ତୁପାର୍ଶ୍ବରୁ ଉଚ୍ଛେଦ ମଠ ଓ ମନ୍ଦିରର ଉନ୍ନତୀକରଣ, ମାର୍କେଟ୍ କଂପ୍ଲେକ୍ସ ଉନ୍ନତୀକରଣ, ସମଙ୍ଗ ପାର୍କିଂ ସ୍ଥଳ, ବହୁତଳ ପାର୍କିଂ, ବେଳାଭୂମି ସୌନ୍ଦର୍ଯ୍ୟୀକରଣ।ତେବେ ଏହି ସବୁ ପ୍ରକଳ୍ପ ଏବେ ଅଧପନ୍ତରିଆ ରହିଥିବାବେଳେ
ମୂଷା ନଈର ଉନ୍ନତୀକରଣ,ରଘୁନନ୍ଦନ ଲାଇବ୍ରେରି ନିର୍ମାଣ,ସମଙ୍ଗ ପାକିଂ ଆଦି ମୂଳରୁ ହିଁ ଆରମ୍ଭ ହୋଇନି। ସେପଟେ ବିଚ୍ ଫଣ୍ଟ ଡେଭଲପମେଣ୍ଟ ପାଇଁ ୧୦୨ କୋଟି ମଞ୍ଜୁର ହୋଇଥିଲେ ମଧ୍ୟ ଏହା ଅନ୍ତର୍ଗତ କ୍ୟାବିନ୍ ସବୁ ଖତ ଖାଇଲାଣି। ସେତେବେଳେ ଏହି ପ୍ରକଳ୍ପ କାମର ସମୀକ୍ଷା ନାଁରେ ସପ୍ତାହରେ ଦୁଇଥର ପୁରୀ ଆସୁଥିଲେ,ନବୀନଙ୍କ ଗୁମାସ୍ତା ଭିକେ ପାଣ୍ଡିଆନ,ତାହେଲେ କି ସମୀକ୍ଷା କରୁଥିଲେ ତାମିଲ ବାବୁ। ନା କେବଳ ପ୍ରଚାର ଥିଲା ଉଦେଶ୍ୟ।
ଏହି ଅଧାପନ୍ତରିଆ କାର୍ଯ୍ୟ ପ୍ରମାଣିତ କରୁଛି ନବୀନ ସରକାରର ଶ୍ରୀକ୍ଷେତ୍ର ବିକାଶର ଆଦୋ ନଥିଲା ଉଦ୍ଧେଶ୍ୟ,ଏକମାତ୍ର ଲକ୍ଷ୍ୟଥିଲା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନାଁ ରେ ନିର୍ବାଚନ ବୈତରଣୀ ପାର ହେବା। ଏହି ଚଞ୍ଚକତାର ଦଣ୍ଡ ପାଇସାରିଛନ୍ତି ନବୀନ ପଟ୍ଟନାୟକ ଏବଂ ବିଜେଡି । ତେବେ ଏବେ ପ୍ରଶ୍ନ ମୋହନ ସରକାର ଏ ଅଧପନ୍ତରିଆ କାର୍ଯ୍ୟକୁ ସମ୍ପର୍ଣ୍ଣ କରିବା ଲାଗି କଣ ଯୋଜନା କରୁଛନ୍ତି,ଅବଢା ଯୋଜନାରେ ହୋଇଥିବା ଦୁର୍ନୀତିର ଅଭିଯୋଗର ତଦନ୍ତ କରି ନେବେ କି କାର୍ଯ୍ୟୁାନୁଷ୍ଠାନ। ସମୟ ଗଡିବା ସହ ବିଜେଡିର ଆହୁରି ଅନେକ ସତ ଆସିବ ସାମ୍ନାକୁ।