ସତ୍ୟପାଠ ଖୋଲିଦେଲା ପୂର୍ବ ବିଜେଡି ସରକାରର ସିସିଟିଭି ଗୁମର

ଅର୍ଗସ ବ୍ୟୁରୋ:ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରୁଥିଲେ ପୂର୍ବ ବିଜେଡି ସରକାର । କେବଳ ମୋ ପୋଲିସ ନାରା ଦେଉଥିଲେ, ହେଲେ ସବୁ ଥାନାରେ ସିସିଟିଭି କ୍ୟାମେରା ଲଗେଇ ପାରିନଥିଲେ ତତ୍କାଳୀନ ନବୀନ ସରକାର । ହାଇକୋର୍ଟରେ ପୋଲିସ ଏଡିଜିଙ୍କ ପକ୍ଷରୁ ଜବାବ ଦାଖଲ ସମୟରେ ଖୋଲିଲା ପୂର୍ବ ସରକାରଙ୍କ ପୋଲ୍ । ରାଜ୍ୟରେ ସମୁଦାୟ ୫୯୩ଟି ଥାନା ମଧ୍ୟରୁ ୪୫୬ଟି ଥାନାରେ ସଠିକ୍ ଭାବରେ କାମ କରୁନି ସିସିଟିଭି କ୍ୟାମେରା। ଅର୍ଥାତ୍ ରାଜ୍ୟରେ ୭୭ ପ୍ରତିଶତ ଥାନାରେ ସଠିକ୍ ଭାବରେ କାମ କରୁନି ସିସିଟିଭି କ୍ୟାମେରା। କେବଳ ଏତିକି ନୁହେଁ ୧୩ ଟି ଥାନାରେ ମୂଳରୁ ନାହିଁ ସିସିଟିଭି କ୍ୟାମେରା
ଭରତପୁର ଥାନା ନିର୍ଯାତନା ଘଟଣା ପରେ ବଦନାମ ହୋଇଥିଲା ପୋଲିସ୍ । ଭରତପୁର ଥାନାକୁ ଆଦର୍ଶ ଥାନାକୁ ନିଜେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଥିଲେ । ହେଲେ ସେଠି ସିସିଟିଭି କ୍ୟାମେରା ନଥିବା କାରଣରୁ ଉପୁଜିଥିବା ଘଟଣା ପାଇଁ ଲଜ୍ଜିତ ହେବାକୁ ପଡ଼ିଥିଲା । ଏହି ଘଟଣାକୁ ନେଇ ହାଇକୋର୍ଟଙ୍କ ପକ୍ଷରୁ ନିଜ ଆଡୁ ଦାୟର ଜନସ୍ବାର୍ଥ ମାମଲାର ଶୁଣାଣି ସମୟରେ ବ୍ୟକ୍ତିଗତ ଭାବେ ହାଜର ହୋଇଥିଲେ ଏଡିଜି ଦୟାଲ ଗଙ୍ଗୱାର୍ ।ଆସନ୍ତା ୧୫ ଦିନରେ ୧୩ଟି ଥାନାରେ ସିସିଟିଭି କ୍ୟାମେରା ଲାଗିବ ସହ କାମ କରୁନଥିବା ସିସିଟିଭିକୁ ଖୁବଶୀଘ୍ର କାର୍ଯ୍ୟକ୍ଷମ କରାଯିବ ବୋଲି ହାଇକୋର୍ଟରେ ସରକାରଙ୍କ ତରଫରୁ ଉତ୍ତର ରଖିଛନ୍ତି ଏଡିଜେ ।ଏହା ବ୍ୟତୀତ ପ୍ରତିଟି ଥାନାରେ ଲାଗିଥିବା ସିସିଟିଭିକୁ ସଂପୃକ୍ତ ଜିଲ୍ଲା ଏସପି ଓ ଡିଜିପିଙ୍କ କାର୍ଯ୍ୟାଳୟରୁ ନିୟନ୍ତ୍ରଣ କରିବା ପାଇଁ ବ୍ୟବସ୍ଥା କରୁଛନ୍ତି ରାଜ୍ୟ ସରକାର ।ଏଥିସହ ଥାନାକୁ ଆସୁଥିବା ସେନା ଅଧିକାରୀ ଓ କର୍ମଚାରୀଙ୍କୁ ଉତ୍ତମ ବ୍ୟବହାର ସହ ସମସ୍ତ ସହାୟତା ଯୋଗାଇ ପାଇଁ ରାଜ୍ୟ ସରକାର ନୂତନ ଏସଓପି ଆଣୁଛନ୍ତି ବୋଲି ସରକାରଙ୍କ ତରଫରୁ ଜବାବ ଦାଖଲ କରି କୁହାଯାଇଛି ।.. ଭରତପୁର ଥାନା ଘଟଣାରେ ରାଜ୍ୟ ସରକାର ଓ ପୋଲିସର ତ୍ବରିତ ପଦକ୍ଷେପକୁ ପ୍ରଶଂସା କରିଛନ୍ତି କୋର୍ଟ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ବି ସିସିଟିଭି ଅଚଳ କରି ଟି-ଫର୍ ଟ୍ରାନ୍ସପରେନ୍ସିର ଧଜ୍ଜିଆ ଉଡାଉଥିଲେ ପୂର୍ବ ବିଜେଡି ସରକାର,ସମୟ ଗଡିବା ସହ ଖୋଳୁଛି ପୂର୍ବ ସରକାରଙ୍କ ଗୁମର,ସତ ଜାଣୁଛନ୍ତି ରାଜ୍ୟବାସୀ