୭ ବର୍ଷର ଝିଅର ବିରଳ ରୋଗର ଚିକିତ୍ସା ପାଇଁ ୫ ଲକ୍ଷର ସହାୟତା ଦେଲେ ମୁଖ୍ୟମନ୍ତ୍ରୀ

ଶୁଣିଲେ, ବୁଝିଲେ, ଅଭିଯୋଗର ସମାଧାନ ପାଇଁ ତୁରନ୍ତ ପଦକ୍ଷେପ ନେଲେ ପିପୁଲ୍ସ CM
7 ବର୍ଷର ଝିଅର ବିରଳ ରୋଗର ଚିକିତ୍ସା ପାଇଁ 5 ଲକ୍ଷର ସହାୟତା ଦେଲେ ମୁଖ୍ୟମନ୍ତ୍ରୀ
ଆଉ ଜଣେ ଦିବ୍ୟାଙ୍ଗ କିଶୋରକୁ ଚିକିତ୍ସା ପାଇଁ ଆମ୍ବୁଲାନ୍ସ ଯୋଗେ ପଠାଇଲେ ହସ୍ପିଟାଲ
ବିଜେପି ସରକାର ହେବା ପରେ ରାଜ୍ୟରେ ବଦଳିଛି ଅଭିଯୋଗ ଶୁଣାଣିର ଚିତ୍ର
ଏବେ ଯାଏଁ ହେଲାଣି 6,545 ଅଭିଯୋଗର ସମାଧାନ
ଅର୍ଗସ ବ୍ୟୁରେ : ୭ ବର୍ଷର କୋମଳମତି ଝିଅ । ନାଁ ପ୍ରତ୍ୟୁଷା । ବିରଳ ରୋଗ ଜେରୋଡର୍ମରେ ପୀଡ଼ିତ । ଖରା ବାଜିଲେ ଯେମିତି ପୋଡ଼ି ଯାଉଛି ଦେହର ଚମ। ଚିକିତ୍ସା ପାଇଁ ଅନେକ ଡାକ୍ତର, ହସ୍ପିଟାଲ ବୁଲିଛନ୍ତି । ସରକାରୀ ସ୍ବାସ୍ଥ୍ୟ କାର୍ଡ ଅଛି, ହେଲେ ସେଥିରେ ଏହି ରୋଗ ପଞ୍ଜିକୃତ ନ ଥିବାରୁ ହୋଇପାରୁନି ଚିକିତ୍ସା। ବହୁ ଆଶାରେ ନିଜ ଘର ବୌଦ୍ଧ ଜିଲ୍ଲାରୁ ସୁଦୂର ରାଜଧାନୀକୁ ଝିଅକୁ ନେଇ ଆସିଥିଲେ ପ୍ରତ୍ୟୁଷାର ବାପା। ଗତଥର ଅଭିଯୋଗ ପ୍ରକୋଷ୍ଠରେ ଭେଟିବା ପରେ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ପଠାଇଥିଲେ ମୁଖ୍ୟମନ୍ତ୍ରୀ। ଆଉ ଆଜି ପ୍ରତ୍ୟୁଷାର ଚିକିତ୍ସା ପାଇଁ 5 ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି ମୋହନ ମାଝୀ।
ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସିଥିବା ଇଏ ହେଉଛନ୍ତି ଆଲୋକ କାଲସେ । ବୟସ 16 ବର୍ଷ । ଘର ବଲାଙ୍ଗୀରର ସୁତପଡା । ଜନ୍ମରୁ ଦିବ୍ୟାଙ୍ଗ ଆଲୋକ ନା ଚାଲି ପାରନ୍ତି ବା ବସି ପାରନ୍ତି । ଅନେକ ଡାକ୍ତରଙ୍କୁ ଦେଖାଇବା ପରେ ବି କିଛି ସୁଫଳ ନମିଳିବାରୁ ଆଜି ପୁଅକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସିଥିଲେ ମାଆ । ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି କଲେ। CMଙ୍କ ନିର୍ଦ୍ଦେଶ କ୍ରମେ ତୁରନ୍ତ ଆଲୋକଙ୍କୁ ଆମ୍ବୁଲାନ୍ସ ଡକାଇ ମେଡିକାଲ ପଠାଗଲା। ୩ ସେହିପରି ଇଏ ହେଉଛନ୍ତି ଗଞ୍ଜାମର ଧିରେନ ନାୟକ । ଉଭୟ ବାପା ମାଆ ସରକାରୀ ଚାକିରିଆ ଥିବା ବେଳେ ସେମାନଙ୍କ ମୃତ୍ୟୁ ହୋଇଥିଲା । କିନ୍ତୁ ଦିବ୍ୟାଙ୍ଗ ଧିରେନଙ୍କୁ ସରକାରୀ ପେନସନ ଆଉ ମିଳିଲାନି । 8 ବର୍ଷ ହେଲା ବିଭାଗରୁ ବିଭାଗ ଦୌଡି ଦୌଡ଼ି ନିରାଶ ହୋଇଥିଲେ। ତାଙ୍କ ସମସ୍ୟାର ସମାଧାନ ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ପ୍ରତ୍ୟୁଷା ଓ ଆଲୋକଙ୍କ ଭଳି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସୁଥିବା ଶହ ଶହ ଲୋକଙ୍କୁ ସେମାନଙ୍କ ସମସ୍ୟାର ମିଳୁଛି ତ୍ବରିତ ସମାଧାନ । ଆଜି ଅଷ୍ଟମ ପାଳି ଅଭିଯୋଗ ଶୁଣାଣି ପାଇଁ 1000 ଦରଖାସ୍ତ ପଞ୍ଜିକୃତ ହୋଇଥିଲା । 700 ଅଭିଯୋଗ ଶୁଣି କାର୍ଯ୍ୟକାରୀ କରିବାକୁ ବିଭିନ୍ନ ବିଭାଗକୁ ପଠାଯାଇଛି । ଏଯାଏଁ ମୋଟ 8031 ଦରଖାସ୍ତ ମିଳିଥିବା ବେଳେ 6 ହଜାର 545 ଅଭିଯୋଗର ସମାଧାନ ହୋଇଛି । ହାର ପ୍ରାୟ 81 ପ୍ରତିଶତ । 90 ଦିନ ଭିତରେ ଆବେଦନର ସାମାଧାନ ପାଇଁ ଚେଷ୍ଟା କରୁଛନ୍ତି ସରକାର । ଭୁବନେଶ୍ୱର ଆସିବା ପାଇଁ ଅଯଥା ଖର୍ଚ୍ଚାନ୍ତ ନ ହୋଇ ନିଜ ନିଜ ଜିଲ୍ଲାର ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ଲୋକଙ୍କୁ ପରାମର୍ଶ ଦେଇଛନ୍ତି ।
ଆଜି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସିଥିବା ଲୋକଙ୍କ ମଧ୍ୟରେ ଅଧିକାଂଶ ଥିଲେ ଦିବ୍ୟାଙ୍ଗ । ଏମାନେ ଅଭିଯୋଗ ପାଇଁ ଅପେକ୍ଷା କରିଥିବା ବେଳେ ମନ୍ତ୍ରୀ ଓ ସରକାରୀ ଅଧିକାରୀଙ୍କ ସହ ନିଜେ ଦିବ୍ୟାଙ୍ଗଙ୍କ ପାଖରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ।