Odisha Politics / 'ଲକ୍ଷ ଲକ୍ଷ ଅଭିଯୋଗ ଆସୁଛି, ତାର ସମାଧାନ ବି ହେଉଛି'

Key Points
ଏହାର ସମାଧାନ ପାଇଁ ବିଭିନ୍ନ ଦିଗ ଉପରେ ବିଚାର ଚାଲିଛି ।
ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ହୋଇଥିବା ଅଭିଯୋଗର ୯୧ ପ୍ରତିଶତ ହୋଇଛି ସମାଧାନ । ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ସ୍ଥାନରେ ଉତ୍ତର ରଖି ତଥ୍ୟ ଦେଲେ ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ । ଆଇନ ମନ୍ତ୍ରୀ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ୧୩ ହଜାର ୩୫୮ଟି ଅଭିଯୋଗ ଆସିଛି । ଯେଉଁଥିରୁ ୧୨ ହଜାର ୪୩୨ ଅଭିଯୋଗର ସମାଧାନ ହୋଇସାରିଛି । ଜିଲ୍ଲା, ଉପଖଣ୍ଡ ଓ ତହସିଲସ୍ତରରେ ବି ପ୍ରତି ସୋମବାର ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଚାଲୁଛି ।
ମୁଖ୍ୟଶାସନ ସଚିବ ଓ ବିଭିନ୍ନ ନିର୍ଦେଶାଳୟ ସହ ଅନଲାଇନ ପୋର୍ଟାଲ ମାଧ୍ୟମରେ ବି ଅଭିଯୋଗ ରେଜିଷ୍ଟ୍ରେସନ କରାଯାଉଛି । ପୂର୍ବରୁ ୨୦୦୮ରୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଖୋଲିଥିଲେ ବି ପୂର୍ବ ସରକାର ସମୟରେ ଏହା ହେଉ ନଥିଲା କହିଛନ୍ତି ଆଇନ ମନ୍ତ୍ରୀ। ସେହିପରି ଆଇନ ମନ୍ତ୍ରୀ କହିଛନ୍ତି, ୧୪ ଲକ୍ଷ ୪୧ ହଜାର ୮୩୨ଟି ଅଭିଯୋଗ ଜନଶୁଣାଣି ପୋର୍ଟାଲରେ ରେଜିଷ୍ଟ୍ରେସନ ହୋଇଛି । ଏଥିରୁ ୧୩ ଲକ୍ଷ ୭ ହଜାର ୨୫୩ଟି ଅଭିଯୋଗର ସମାଧାନ ହୋଇଛି । ବାକି ଥିବା ୧ ଲକ୍ଷ ୩୪ ହଜାର ୫୭୯ଟି ଅଭିଯୋଗ ମଧ୍ୟରୁ ଅଧିକାଂଶ ଜଟିଳ ଅଛି । ଏହାର ସମାଧାନ ପାଇଁ ବିଭିନ୍ନ ଦିଗ ଉପରେ ବିଚାର ଚାଲିଛି ।
ଅନ୍ୟପଟେ କଟକ ବାରବାଟୀ ବିଧାୟକ ସୋଫିଆ ଫିରଦୋସ୍ ପଚାରିଥିଲେ ଯେ, ସରକାର କଟକ ଏବଂ ଭୁବନେଶ୍ୱରକୁ ଏକୀକୃତ କମିସନରେଟ୍ ପୋଲିସ ବ୍ୟବସ୍ଥା ପରି ଏକୀକୃତ ଦ୍ୱୈତନଗରୀ (ଟୁଇନ୍ ସିଟି) ପ୍ରଶାସନିକ କ୍ଷେତ୍ର ଭାବରେ ବିକଶିତ କରିବା ପାଇଁ କୌଣସି ପ୍ରସ୍ତାବ କରିଛନ୍ତି କି ?
ଯାହାର ଉତ୍ତରରେ କଟକ-ଭୁବନେଶ୍ୱର ଟୁଇନ୍ ସିଟି ପ୍ରଶାସନିକ କ୍ଷେତ୍ର ବିକାଶ ପାଇଁ କୌଣସି ଯୋଜନା ନାହିଁ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ବିଧାନସଭାରେ ସୂଚନା ପ୍ରଦାନ କରିଛନ୍ତି। ତେବେ ଭୁବନେଶ୍ୱର- କଟକ-ପୁରୀ- ପାରାଦୀପକୁ ନେଇ କ୍ୱାଡ୍ ସିଟି ବିକଶିତ ହେବ ବୋଲି କହିଛନ୍ତି।
ସମନ୍ୱିତ ସହରାଞ୍ଚଳ ଯୋଜନା, ଉନ୍ନତ ସଂଯୋଗୀକରଣ, ବୃଦ୍ଧି ପାଇଥିବା ଜମି ଉପଲବ୍ଧତା ଏବଂ ସନ୍ତୁଳିତ ଆଞ୍ଚଳିକ ବିକାଶ ସମ୍ପର୍କରେ କୌଣସି ସମ୍ଭାବ୍ୟତା ଅଧ୍ୟୟନ କିମ୍ବା କମିଟି ରିପୋର୍ଟ ଅଛି କି ? ଯଦି ଅଛି, ତେବେ ଦୁଇଟି ସହରର ଏପରି ସମନ୍ୱିତ ବିକାଶ ପାଇଁ ବର୍ତ୍ତମାନର ସ୍ଥିତି ଏବଂ ପ୍ରସ୍ତାବିତ ରୋଡମ୍ୟାପ୍ କ’ଣ ରହିଛି।
ଏହାର ଉତ୍ତରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ, H&UD ବିଭାଗର ସୂଚନା ଅନୁଯାୟୀ, କଟକ ଏବଂ ଭୁବନେଶ୍ୱରକୁ ଏକୀକୃତ କମିସନରେଟ୍ ପୋଲିସ ବ୍ୟବସ୍ଥା ଧାରାରେ ଏକୀକୃତ ଦ୍ୱୈତନଗରୀ ପ୍ରଶାସନିକ କ୍ଷେତ୍ର ଭାବରେ ବିକଶିତ କରିବା ପାଇଁ ନଗର ଯୋଜନା ବିଭାଗରେ କୌଣସି ପ୍ରସ୍ତାବ ବିଚାରାଧୀନ ନାହିଁ।
📱 Get Argus News App
✨Related Topics
Explore more stories