ଦିନକୁ ଦିନ ସଂଗିନ୍ ହେବାରେ ଲାଗିଛି ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର ଅବସ୍ଥା

Key Points
ଅବହେଳିତ "ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ" ବିଶ୍ବବିଦ୍ୟାଳୟ
ନାକ୍-ଏ ଗ୍ରେଡ ମିଳିଥିବା ସତ୍ତ୍ୱେ ଏଯାଏଁ ଖୋଲିପାରୁନି ଦୂର ନିରନ୍ତର ଶିକ୍ଷା
୨ ବର୍ଷରୁ ଉର୍ଦ୍ଧ ହେଲାଣି ନାହାନ୍ତି ସ୍ଥାୟୀ କୁଳପତି
୬୦ ପ୍ରତିଶତ ପଦବୀ ଖାଲି, ଅତିଥି ଓ ଚୁକ୍ତିଭିତ୍ତିକ ଅଧ୍ୟାପକଙ୍କୁ ନେଇ ଚାଲିଛି ବିଭାଗ
ଦିନକୁ ଦିନ ସଂଗିନ୍ ହେବାରେ ଲାଗିଛି ମୟୂରଭଞ୍ଜରେ ସ୍ଥାପିତ ଥିବା ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର ଅବସ୍ଥା । ଦୀର୍ଘ ଦୁଇବର୍ଷ ରୁ ଉର୍ଦ୍ଧ ହେଲାଣି ବିଶ୍ବବିଦ୍ୟାଳୟର ସ୍ଥାୟୀ କୁଳପତି ପଦ ଫାଙ୍କା ପଡ଼ିଥିବା ବେଳେ ୬୦ ପ୍ରତିଶତ ପଦବୀ ଖାଲି ପଡ଼ିଛି। ନିୟମିତ ବିଭାଗଗୁଡିକ ପାଇଁ ୧୫ଜଣ ପ୍ରଫେସର, ୩୩ଜଣ ଏସୋସିଏଟ ପ୍ରଫେସର ଓ ୫୦ଜଣ ଏସିସଟାନ୍ସ ପ୍ରଫେସର ମଞ୍ଜୁରୀ ପଦବୀ ରହିଥିବା ବେଳେ ୫୮ ପଦବୀ ଏବେବି ଖାଲି ପଡିଛି । ସେହିପରି ବିଶ୍ବବିଦ୍ୟାଳୟରେ ୪୦ଜଣ ଅତିଥି ଅଧ୍ୟାପକଙ୍କ ସହ ୧୦ଜଣ ଚୁକ୍ତିଭିତ୍ତିକ ଅଧ୍ୟାପକ ନିଯୁକ୍ତ ଅଛନ୍ତି । ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାରେ ଦୂର ନିରନ୍ତର ବା ଡିସଟାନ୍ସ କୋର୍ସ ଶିକ୍ଷାର ଅଧିକ ଆବଶ୍ୟକତା ଥିବା ବେଳେ ଏବେ ତାହା ବନ୍ଦ ରହିଛି । ୩ବର୍ଷ ତଳେ ତତ୍କାଳୀନ କୂଳପତି ପ୍ରଫେସର କିଶୋର ବସା ଙ୍କ ପ୍ରଚେଷ୍ଟାରେ "ନାକ -ଏ ଗ୍ରେଡ଼" ମାନ୍ୟତା ପାଇଥିଲା ବିଶ୍ବବିଦ୍ୟାଳୟ । ହେଲେ ପରବର୍ତ୍ତୀ ପର୍ଯ୍ୟାୟରେ ବିଶ୍ବବିଦ୍ୟାଳୟ ଆଗକୁ ବଢିବା ପରିବର୍ତ୍ତେ ପଛକୁ ଯାଉଥିବା ଅଭିଯୋଗ ଆସିଛି ।
ରାଜ୍ୟରେ ସରକାର ବଦଳିବା ପରେ ଜାତୀୟ ଶିକ୍ଷାନିତି-୨୦୨୦ ଲାଗୁ ହୋଇଛି । ନିକଟରେ ବିଶ୍ବବିଦ୍ୟାଳୟର ଭିତ୍ତିଭୂମିର ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ୧୦୦ କୋଟି ଅନୁଦାନ ମଧ୍ୟ ଆସିଛି । ହେଲେ ଖାଲି ପଡିଥିବା ଅଧ୍ୟାପକ ପଦବୀ, ସେଲ୍ଫଫାଇନାନ୍ସି୍ଂ କୋର୍ସରେ ଶିକ୍ଷାଦାନ ଓ ସ୍ଥାୟୀ କୂଳପତିଙ୍କ ସ୍ଥାନ ଖାଲି ପାଇଁ ବିଭିନ୍ନ ସମାସ୍ୟା ଉପୁଜୁଛି। ଓଡ଼ିଶା ବିଶ୍ବବିଦ୍ୟାଳୟ ସଂଶୋଧନ ଆଇନକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଏଯାଏଁ ତୁଟିନି। ସେପଟେ ସରକାର ତୁରନ୍ତ ଏସବୁ ବିଷୟରେ ବିହିତ ପଦକ୍ଷେପ ନେବାପାଇଁ ଦାବି କରିଛନ୍ତି ମୟୂରଭଞ୍ଜ ମହାରାଜା ପ୍ରବୀଣଚନ୍ଦ୍ର ଭଞ୍ଜଦେଓ ।
ପୂର୍ବ ସରକାରଙ୍କ ଅପାରଦର୍ଶିତା କାରଣରୁ ବିଶ୍ବବିଦ୍ୟାଳୟ ଯେତିକି ଉପରକୁ ଉଠିବା କଥା ସେତିକି ଯାଇପାରିନାହିଁ । ରାଜ୍ୟରେ ସରକାର ବଦଳିଛି...ତେଣୁ ନୁଆ ସରକାର ବିଶ୍ବବିଦ୍ୟାଳୟର ସ୍ଥିତି ସୁଧାର କରିବେ ବୋଲି ଜିଲ୍ଲାବାସୀ ଆଶା ଓ ଭରସା ରଖିଛନ୍ତି ।