ଏମ୍ସରେ ଚିକିତ୍ସାଧୀନ ପୀଡ଼ିତାଙ୍କ ଅବସ୍ଥା ଏବେବି ସଙ୍କଟାପନ୍ନ

Key Points
ପୀଡ଼ିତାଙ୍କ ପରିବାରକୁ ଭେଟିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
କହିଲେ ଲୁଚାଇବାର ନାହିଁ, ଦବାଇବାରନାହିଁ କି ଚାପିବାର ନାହିଁ
FM କଲେଜରେ ଦ୍ବିତୀୟ ଦିନ ପାଇଁ କ୍ରାଇମବ୍ରାଞ୍ଚର ତନାଘନା
ମୁଖ୍ୟ ଶାସନ ସଚିବ ଡିଜି ଓ ୩ ସଚିବଙ୍କ ସହ କଲେ ଆଲୋଚନା
ଏଫଏମ ଛାତ୍ରୀ ଆତ୍ମାହୁତି ଘଟଣାକୁ ନେଇ ରାଜ୍ୟ ସରକାର ଦେଖାଇଛନ୍ତି କଠୋର ଆଭିମୁଖ୍ୟ। ଅଭିଯୁକ୍ତ HOD ଙ୍କ ପରେ ଏବେ କଲେଜର ନିଲମ୍ବିତ ଅଧ୍ୟକ୍ଷ ଦିଲ୍ଲୀପ ଘୋଷଙ୍କୁ ଗିରଫ କରାଯାଇଛି। ଆଜି ଦିନ ବେଳା ମୁଖ୍ୟ ଶାସନ ସଚିବ ପୋଲିସ ଡିଜିଙ୍କ ସମେତ ମହିଳା ଓ ଶିଶୁ ବିକାଶ ବିଭାଗ, ଉଚ୍ଚଶିକ୍ଷା ବିଭାଗ, ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପ୍ରମୁଖ ସଚିବଙ୍କ ସହ କରିଥିଲେ ଆଲୋଚନା। ଅପରାହ୍ନ ସାଢେ ୪ ଟା ବେଳକୁ ନିଲମ୍ବିତ ଅଧ୍ୟକ୍ଷଙ୍କ ଗିରଫ ନେଇ ବାଲେଶ୍ବର ଏସପିଦେଇଥିଲେ ସୂଚନା। ସେପଟେ ଆଜି ଦ୍ବିତୀୟ ଦିନରେ ଫକୀରମୋହନ କଲେଜ ପରିସରରେ ପହଞ୍ଚି କ୍ରାଇମବ୍ରାଞ୍ଚର ଓ୍ବେମନ୍ ସେଲ କରିଛି ତନାଘନା। ICC ମେମ୍ବରଙ୍କ ରିପୋର୍ଟ ଆଧାରରେ କରିଛନ୍ତି ତଦନ୍ତ।
କେଉଁଭଳି ଓ କେଉଁ ପରିସ୍ଥିତିରେ ଛାତ୍ରୀ ଜଣକ ଏଭଳି ଚରମ ନିଷ୍ପତ୍ତି ନେଲେ। ତାହା ଅଧିକ ତଦନ୍ତ ପରେ ଜଣା ପଡିବ ବୋଲି କହିଛନ୍ତି କ୍ରାଇମ୍ ବ୍ରାଞ୍ଚର ଅଧିକାରୀ । ସେପଟେ କଲେଜ ଇଣ୍ଟରନାଲ କମିଟିର ସଦସ୍ୟ କଲେଜ ଅଧ୍ୟକ୍ଷଙ୍କ ଅବହେଳାକୁ ଦାୟୀ କରିଛନ୍ତି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏମ୍ସ ଯାଇ ଛାତ୍ରୀଙ୍କ ଅବସ୍ଥା ବୁଝିବା ସହ ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇଥିଲେ। ପୀଡ଼ିତା ଆତ୍ମାହୁତି ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ରାଜ୍ୟ ସରକାର ତ୍ବରିତ ଓ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କାହାରିକୁ ଛଡାଯିବନାହିଁ। ଏମ୍ସ ଭେଣ୍ଟିଲେଟରରେ ଚିକିତ୍ସାଧୀନ ପୀଡ଼ିତାଙ୍କ ଅବସ୍ଥା ଏବେବି ସଙ୍କଟାପନ୍ନ ରହିଛି। 24 ଘଣ୍ଟିଆ ଡାକ୍ତରୀ ଟିମ ପୁରା ନଜର ରଖିଛନ୍ତି । ଦିଲ୍ଲୀ ଏମ୍ସ ସହ ନିରନ୍ତର ଯୋଗାଯୋଗରେ ରହି ଚାଲିଛି ଚକିତ୍ସା । ପୀଡ଼ିତାଙ୍କ ପାଇଁ ଆଗାମୀ ୭୨ ଘଣ୍ଟା ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ଏମ୍ସ ସୁପରିଣ୍ଟେଣ୍ଡେଣ୍ଟ। ଏବେ ପରିବାର ଲେକେ ଝିଅର ଆଶୁ ଆରୋଗ୍ୟ ନେଇ ଭଗବାନଙ୍କ ଉପରେ ରଖିଛନ୍ତି ଭରସା। ପୀଡ଼ିତାଙ୍କ ଭାଇ ଘଟଣା ପଛର ସମସ୍ତ ଦୋଷୀଙ୍କ ବିରୋଧରେ କଠୋର ଦଣ୍ଡ ପାଇଁ କରିଛନ୍ତି ଦାବି। ଏଥିସହ କଲେଜର ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମର ତଦନ୍ତ ରିପୋର୍ଟକୁ ନେଇ ପ୍ରଶ୍ନ ଉଠାଇଛନ୍ତି।