ସାକାର ହେଲା ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟର ସ୍ୱପ୍ନ, ଯାହା କହିଥିଲେ ତାହା କଲେ ସରକାର

Key Points
ସହର ଠାରୁ ଦୂରରେ ରହିଛି ରେଢୁଆ ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟ ।
ଯୁକ୍ତ ୩ ବିଜ୍ଞାନରେ ପଢ଼ିବା ପାଇଁ ଇଚ୍ଛା ପ୍ରକାଶ କରୁଥିବା ଛାତ୍ରଛାତ୍ରୀ ଏଠି ନିରାଶ ହେଉଥିଲେ ।
ଯାହା କହିଥିଲେ ତାହା କରି ଦେଖାଇଲେ ସରକାର । ଛାତ୍ରଛାତ୍ରୀଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ, ସେଇ ପ୍ରତିଶ୍ରୁତି ପୁରଣ କଲେ । ମାତ୍ର ୮ ମାଦ ଭିତରେ ବଦଳିଲା ଚେହେରା । ଶିକ୍ଷା କ୍ଷେତ୍ରରେ ଦୁଇ ପାଦ ଆଗକୁ ଗଲା ଜଗତସିଂପୁର ରେଢୁଆ ସ୍ଥିତ ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟ । ମହାବିଦ୍ୟାଳୟରେ +୩ ବିଜ୍ଞାନ ଖୋଲିବା ନେଇ ୮ ମାସରେ ଦାବି ପୂରଣ ହେବାରୁ ସରକାରଙ୍କୁ ଧନ୍ୟବାଦ ଦେଲେ ସ୍ଥାନୀୟ ବାସିନ୍ଦା ଓ ଛାତ୍ରଛାତ୍ରୀ ।
ସହର ଠାରୁ ଦୂରରେ ରହିଛି ରେଢୁଆ ଗ୍ରାମାଞ୍ଚଳ ମହାବିଦ୍ୟାଳୟ । ଛାତ୍ରଛାତ୍ରୀମାନେ ପାଠ ପଢିବା ପାଇଁ ପ୍ରତ୍ୟେକ ଦିନ ଏଠାକୁ ଆସନ୍ତି । ହେଲେ ଯୁକ୍ତ ୩ ବିଜ୍ଞାନରେ ପଢ଼ିବା ପାଇଁ ଇଚ୍ଛା ପ୍ରକାଶ କରୁଥିବା ଛାତ୍ରଛାତ୍ରୀ ଏଠି ନିରାଶ ହୁଅନ୍ତି । କଲେଜରେ ପାଠ ପଢ଼ିବାକୁ ଇଚ୍ଛା ଥିଲେ ବି କିଛି ବ୍ୟବସ୍ଥା ନଥିବାରୁ ନିରାଶ ହେବାକୁ ପଡ଼ିଥାଏ ଛାତ୍ରଛାତ୍ରୀଙ୍କୁ । ଯୁକ୍ତ ୩ ବିଜ୍ଞାନ ପଢ଼ିବାର ବ୍ୟବସ୍ଥା ନଥିବାରୁ ଛାତ୍ରଛାତ୍ରୀ ବାଧ୍ୟ ହୋଇ କଳା କିମ୍ବା ବାଣିଜ୍ୟ ବିଷୟ ଗ୍ରହଣ କରୁଥିଲେ । ହେଲେ ସରକାର ଏବେ ଏହି ସମସ୍ୟର ସମାଧାନ କରିସାରିଛନ୍ତି । ଏବେଠୁ +୩ ବିଜ୍ଞାନରେ ପିଲା ପାଠ ପଢ଼ିପାରିବେ ।
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଦୀର୍ଘ ବର୍ଷର ବିଜେଡି ସରକାର ସ୍କୁଲ କଲେଜକୁ କେବଳ 5T ରେ ରୂପାନ୍ତର ସହିତ ରଙ୍ଗ ବୋଳିବାରେ ବ୍ୟସ୍ତ ରହିଲେ । ପିଲାମାନେ କେମିତି ଭଲ ପାଠ ପଢିବେ ସେନେଇ ଚିନ୍ତା କଲେ ନାହିଁ । ହେଲେ ଯେତେବେଳେ ସରକାର ପରିବର୍ତ୍ତନ ହେଲା ସ୍ଥାନୀୟ ବାସିନ୍ଦା ଛାତ୍ରଛାତ୍ରୀ କଲେଜ ଆଗରେ ଧାରଣା ଦେଲେ ଘଟଣାକୁ ନେଇ ତୁମ୍ବି ତୋଫାନ ମଧ୍ୟ ହେଲା । ଖବରପାଇ ଜଗତସିଂହପୁର ସାଂସଦ ବିଭୁ ପ୍ରସାଦ ତରାଇ ସମସ୍ୟାର ସମାଧାନ କରିବାକୁ ଆଗେଇ ଆସିଥିଲେ । ସେ ପ୍ରତିଶ୍ରୁତି ଦେଇଥିଲେ ଖୁବ୍ଶୀଘ୍ର କଲେଜରେ +୩ ବିଜ୍ଞାନ ଖୋଲିବା ପାଇଁ ଘୋଷଣା କରାଯିବ। ଏହି ପ୍ରତିଶ୍ରୁତିର ୮ ମାସ ଭିତରେ ହିଁ ତାହା ପୁରଣ ହୋଇଛି । ଏବେ ଛାତ୍ରଛାତ୍ରୀଙ୍କୁ +୩ ବିଜ୍ଞାନ ପଢିବା ପାଇଁ ଆଉ ବାହାରକୁ ଯିବାକୁ ପଡ଼ିବ ନାହିଁ।
ପ୍ରତିଶ୍ରୁତି ଦେଇ ପୂରଣ କରିଥିବା ନୁଆ ଲୋକଙ୍କ ସରକାରଙ୍କ ଏହିଭଳି ପଦକ୍ଷେପକୁ ଖୁବ୍ ପ୍ରଶଂସା କରିଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ । ଘର ପାଖରେ ପିଲାମାନେ ପାଠ ପଢିବାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ।