ଅର୍ଗସରେ ପର୍ଦ୍ଦାଫାସ୍ ପରେ ଚେତିଛି ଶିକ୍ଷା ବିଭାଗ

ଅର୍ଗସ ବ୍ୟୁରୋ:ଗଡୁଛି ଦିନ,ବରଗଡ଼ ଜିଲ୍ଲାରେ ଶତାଧିକ ନକଲି ଶିକ୍ଷକ ଥିବା କରାଯାଉଛି ସନ୍ଦେହ। କିଏ ସ୍କୁଲ ଆସୁନି, କିଏ ଇସ୍ତଫା ଦେଉଛି । ପୁଣି ବ୍ଲକ୍ ଶିକ୍ଷାଅଧିକାରୀଙ୍କ ନୋଟିସ୍ ପରେ ବି ଜବାବ ଦେଉନାହାନ୍ତି ଶିକ୍ଷକ । ଅର୍ଗସରେ ନକଲି ଶିକ୍ଷକଙ୍କ କେଳେଙ୍କାରୀର ପର୍ଦ୍ଦାଫାସ ହେବା ପରେ ସେମାନେ ଅଣ୍ଡରଗ୍ରାଉଣ୍ଡ ହେବାରେ ଲାଗିଛନ୍ତି । ବରପାଲି ବ୍ଲକ୍ ପିପିଲିପାଲି ସ୍କୁଲରେ କାର୍ଯ୍ୟରତ ମିଲନ କୁମ୍ଭାର ୧୮ ତାରିଖରେ ଛୁଟି ନେଇ ଛୁ । ନା ସ୍କୁଲ ଆସୁଛନ୍ତି ନା ବିଭାଗୀୟ ଅଧିକାରୀଙ୍କ ନିର୍ଦ୍ଦେଶ ପାଳନ କରୁଛନ୍ତି । ନକଲି ସାର୍ଟିଫିକେଟ୍ ଦେଇ ଚାକିରି କରିଥିଲେ ମିଲନ, ଏବେ ଛୁଟି ନନେଇ ଗାଏବ, ପୁଣି ବିଇଓଙ୍କ ପାଖରେ ଇସ୍ତଫା ଦେଇ ଖସି ଯିବାକୁ ଚେଷ୍ଟା କରିଥିଲେ । ତାଙ୍କୁ ତାଙ୍କ ସାର୍ଟିଫିକେଟ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ସେ ସାର୍ଟିଫିକେଟ ଦାଖଲ କରିନାହାନ୍ତି । ସେହିପରି ବରପାଲି ବ୍ଲକ କାଇଁଶିର୍ ଆଶ୍ରମ ସ୍କୁଲର ଶିକ୍ଷକ ରୋହିତ କୁମାର ଭୁଏ ବି ୧୮ ତାରିଖରୁ ଛୁଟି ନେଇ ସ୍କୁଲ ଆସୁନାହାନ୍ତି । ରୋହିତ ବି ଇସ୍ତଫା ଦେଇ ଯାଞ୍ଚ ପ୍ରକ୍ରିୟାରୁ ବର୍ତ୍ତିଯିବାକୁ ଚେଷ୍ଟା କରିଥିଲେ । ହେଲେ ତାଙ୍କ ଇସ୍ତଫା ଗ୍ରହଣ କରିନାହାନ୍ତି ବ୍ଲକ ଶିକ୍ଷା ଅଧିକାରୀ । ବରପାଲି ବ୍ଲକରେ ମାଳ ମାଳ ନକଲି ଶିକ୍ଷକ ଥିବାବେଳେ ଯାଞ୍ଚ ପ୍ରକ୍ରିୟା ଧିମା ଚାଲିଥିବା କୁହାଯାଉଛି।
ଅର୍ଗସରେ ବାରମ୍ବାର ଖବର ପ୍ରସାରଣ ପରେ ନକଲି ଶିକ୍ଷକଙ୍କୁ ଧରିବାକୁ ଆରମ୍ଭ ହୋଇଛି ପ୍ରକ୍ରିୟା। ବରଗଡ଼ ବ୍ଲକରେ ନିଯୁକ୍ତ ଶିକ୍ଷକଙ୍କ ସାର୍ଟିଫିକେଟ ଯାଞ୍ଚ ୩ଟି ପର୍ଯ୍ୟାୟରେ ହୋଇଛି । ପୂର୍ବତନ CI ସ୍ବର୍ଗତ କୈଲାସ ଚନ୍ଦ୍ର ଗୁରୁଙ୍କ କାର୍ଯ୍ୟକାଳ ମଧ୍ୟରେ ନିଯୁକ୍ତି ପାଇଥିବା ୬୫ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସାର୍ଟିଫେକେଟ ଯାଞ୍ଚ କରାଯାଇଛି । ୨୯ ତାରିଖରେ ୨୦୦୩ରୁ ୨୦୧୦ ପର୍ଯ୍ୟନ୍ତ ନିଯୁକ୍ତି ପାଇଥିବା ଶିକ୍ଷକଙ୍କ ସାର୍ଟିଫିକେଟ ଯାଞ୍ଚ ହୋଇଛି। ୩୦ରେ ବରଗଡ଼ ବ୍ଲକରେ ୨୦୧୧ରୁ ୨୦୧୮ ମଧ୍ୟରେ ନିଯୁକ୍ତି ପାଇଥିବା ଶିକ୍ଷକଙ୍କ ସାର୍ଟିଫିକେଟ ଯାଞ୍ଚ ମଧ୍ୟ ଶେଷ ହୋଇଛି । ସେହିପରି ଅନ୍ୟ ବ୍ଲକ ଗୁଡ଼ିକରେ ମଧ୍ୟ ଆରମ୍ଭ ହେବାକୁ ଯାଉଛି ଯାଞ୍ଚ ପ୍ରକ୍ରିୟା । ହେଲେ ବଡ଼ କଥା ଏହି ଯାଞ୍ଚ ପ୍ରକ୍ରିୟାରେ ନା ନକଲି ଶିକ୍ଷକ ଧରାପଡ଼ିବେ, ନା ଜଣାପଡ଼ିବ ତାଙ୍କ ଜାଲିଆତି। ବିଭାଗ ଦ୍ବାରା ଯାଞ୍ଚ ହେଇଛି ଅଥଚ ତାଙ୍କ ପାଖରେ ନାହିଁ ପେନାଲ ଲିଷ୍ଟ ବା ମେରିଟ ଲିଷ୍ଟ ।
କେ.ସି ଗୁରୁଙ୍କ ସମୟରେ ମେରିଟ ଲିଷ୍ଟରେ ହେରଫେର କରାଯାଇ ଅନେକ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଥିବା ଅଭିଯୋଗ ହେଉଥିବା ବେଳେ ବିନା ମେରିଟ ଲିଷ୍ଟ ଧରି ଯାଞ୍ଚ କରାଯିବା କେବଳ ସମୟ ବରବାଦ ବୋଲି ଅଭିଯୋଗ ହେଉଛି। କେବଳ ସେତିକିରେ ସୀମିତ ହୋଇନି ଘୋଟାଲା,ଅତିଥି ଶିକ୍ଷକ ନିଯୁକ୍ତିରେ ମଧ୍ୟ ବଡ଼ ଘୋଟଲା ହୋଇଥିବା ଚିତ୍ର ଆସୁଛି ସାମ୍ନାକୁ,ଏଥିରେ ବରଗଡ଼ ଡି.ଇ.ଓ ଙ୍କ ସମ୍ପୃକ୍ତି ରହିଛି । ନିୟମ ବିରୋଧରେ ଯାଇ ସମ୍ପର୍କୀୟଙ୍କୁ ଦେଇଛନ୍ତି ନିଯୁକ୍ତି ।
📱 Get Argus News App
✨ଧରାପଡିବା ପରେ ନିଯୁକ୍ତି ରଦ୍ଦ କରିଛନ୍ତି ଡି.ଇ.ଓ । ଖାଲି ପଦବୀରେ ଅବସରପ୍ରାପ୍ତ ଶିକ୍ଷକଙ୍କୁ ଅତିଥି ଶିକ୍ଷକ ଭାବେ ନିଯୁକ୍ତି ପାଇଁ ସରକାର ନିର୍ଦେଶ ଦେଇଥିଲେ,ହେଲେ ଟଙ୍କା ନେଇ ଦୁଇ ଅଣ ଶିକ୍ଷକ ଓ ଜଣେ ଅବସର ନେଇନଥିବା ଶିକ୍ଷକଙ୍କୁ ନିଯୁକ୍ତି ଦେଇଥିଲେ ବରଗଡ଼ ଡି.ଇ.ଓ,ଆଉ ଏବେ ଧରା ପଡିବା ପରେ ମୋ ଦ୍ୱାରା ଭୁଲ ହୋଇଛି ବୋଲି କହୁଛନ୍ତି ଡି.ଇ.ଓ। କେବଳ ୪୦ ନୁହେଁ ବରଗଡ଼ ଜିଲ୍ଲାରେ ଶତାଧିକ ନକଲି ଶିକ୍ଷକ ଥିବା ସନ୍ଦେହ କରାଯାଉଛି । ହେଲେ ଯାଞ୍ଚ ପ୍ରକ୍ରିୟା ଦେଖିଲେ ଲାଗୁଛି ଜଣଙ୍କୁ ମଧ୍ୟ ଧରିବା ମୁସ୍କିଲ୍।
