ରାମୁ ଡାକିଲେ ଚାହୁଁଛି... ଭୋକ ହେଲେ ଇଶାରା ଦେଉଛି, ଖାଉଛି ସେରଲାକ୍, ଲାକ୍ଟୋଜିନ୍...

ଛୁଆକୁ ରୋଗ ହେଲା ବୋଲି ମା' ଆଉ ସାଙ୍ଗରେ ନେଲାନି । ନବଜାତକୁ ଏକା ଛାଡ଼ି ଚାଲିଗଲା ମାଆ । ଜନ୍ମକଲା ଛୁଆକୁ କରିଦେଲା ପର । କୁନି ଛୁଆ ଏବେ ମା' ଛେଉଣ୍ଡ । ମାଆଠୁ କ୍ଷୀର ଖାଇବା ବୟସରେ, ସେ ଏବେ ଭୋକ ହେଲେ ଖାଉଛି ସେରଲାକ୍, ଲାକ୍ଟୋଜିନ୍ । ଆଉ ପେଟ ଗରମ ହେଲେ ପିଉଛି ଗ୍ଲୁକୋଜ । ଖାଲି ସେତିକି ନୁହେଁ ଯେଉଁ ବୟସରେ ସେ ଏବେ ବିନ୍ଦାସ ଖୋଲା ଆକାଶ ତଳେ ଜଙ୍ଗଲରେ ବୁଲିବା କଥା, ଏବେ ସେ ଚାରି କାନ୍ଥ ଭିତରେ ବାନ୍ଧି ହୋଇ ରହିଛି ।
ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ବଡ଼ମ୍ବାରେ । ଏକ ଛୁଆ ହାତୀ ଗୋଠଛଡା ହୋଇଯାଇଛି । କାରଣ ତାକୁ ହର୍ପିସ୍ ହୋଇଛି । ଯାହାଫଳରେ ତା'ର ମା୍ଆ ତାକୁ ଛାଡ଼ି ପଳାଇଛି । ତା'ପରେ ୨୦ ଦିନ ହେଲା ଛୁଆହାତୀ ‘ରାମୁ’ର ଚିକିତ୍ସା ଜାରି ରଖିଛି ବନବିଭାଗ । ହାତୀ ଛୁଆ ସୁସ୍ଥ ହେବା ପରେ କପିଳାସ ନଚେତ୍ ନନ୍ଦନକାନନରେ ଛଡ଼ାଯିବ ବୋଲି ଲକ୍ଷ୍ୟ ରଖିଛି ବନବିଭାଗ ।
ଏଇ ୨୦ ଦିନ ଭିତରେ ସେ ବନ କର୍ମଚାରୀଙ୍କ ସହ ଏତେ ମିଶି ସାରିଲାଣି ଯେ, ତାକୁ ରାମୁ ଡାକିଲେ ଚାହୁଁଛି...ଇସାରା କରି ଖାଇବାକୁ ବି ମାଗୁଛି। ୨୦ ଦିନ ହେଲା ବଡ଼ମ୍ବା ଗୋପପୁର ବିଟ୍ରେ ହର୍ପିସ୍ ଆକ୍ରାନ୍ତ ଛୁଆ ହାତୀକୁ ଚିକିତ୍ସା କରୁଛନ୍ତି ବନ କର୍ମଚାରୀ। ୪ ମାସର ଛୁଆ ହାତୀ ମା’ସହିତ ଜଙ୍ଗଲରେ ବୁଲୁଥିଲା। କିନ୍ତୁ ହାତୀର ଦେହ, କାନ, ଗୋଡ ତଥା ବିଭିନ୍ନ ସ୍ଥାନରେ ହର୍ପିସ ହୋଇଥିବାରୁ ସେ ଦୁର୍ବଳ ହୋଇପଡ଼ିଥିଲା। ହାତୀ ଦଳ ସହିତ ଯାଇ ନ ପାରିବାରୁ ଛୁଆକୁ ଛାଡ଼ି ପଳାଇଲା ମା’ହାତୀ । ସ୍ଥାନୀୟ ଲୋକଙ୍କ ଠାରୁ ଖବରପାଇ ବନ କର୍ମଚାରୀ ପହଂଚି ଛୁଆ ହାତୀକୁ ଉଦ୍ଧାର କରିବା ସହ ବିଟ ଅଧିନରେ ଦୁଇ ଜଣ ସ୍ବାର୍ଡଙ୍କ ଦ୍ୱାରା ହାତୀର ଚିକିତ୍ସା କରୁଛି ।
ହାତୀ ଛୁଆ ସୁସ୍ଥ ହେବାପରେ କପିଳାସ ନଚେତ୍ ନନ୍ଦନକାନନରେ ଛଡ଼ାଯିବ ବୋଲି ଲକ୍ଷ୍ୟ ରଖିଛି ବନବିଭାଗ । ଗତମାସ ୨୩ ତାରିଖ ଦିନ ବଡ଼ମ୍ବା ରେଞ୍ଜ ହଳଦିଆସେଣୀ ସଂରକ୍ଷିତ ଜଙ୍ଗଲର ଛାଞ୍ଚୁଣିଆ ଗାଁ ନିକଟସ୍ଥ ଏକ ବିଲରେ ଛୁଆ ହାତୀ ପଡ଼ିଥିବା ଖବର ପାଇଥିଲେ ବନବିଭାଗ ।